ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସମଗ୍ର ରାଜ୍ୟରେ ୬ଷ୍ଠ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ଲଡୁଗାଁର ଅମନ ଗୋୟଲ
କଳାହାଣ୍ଡି,କୋକସରା କୋକସରା ୨୮/୦୫: ରୁପେନ୍ଦ୍ର ସୁନାନି: ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ,ଲଡୁଗାଁର ଅମନ ଗୋୟଲ ସମଗ୍ର ରାଜ୍ୟରେ ଷଷ୍ଠ ସ୍ଥାନରେ କୃତକାର୍ଯ୍ୟ ହୋଇ ଜିଲ୍ଲା ତଥା ଅଞ୍ଚଳ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି।ଲଡୁଗାଁ ଗ୍ରାମର ସ୍ବର୍ଗତ ରମେଶ ଗୋୟଲ ଓ ଗାୟତ୍ରୀ ଅଗ୍ରୱାଲଙ୍କ ଦ୍ଵିତୀୟ ପୁତ୍ର ହେଉଛନ୍ତି ଅମନ ଗୋୟଲ। ସେ ଲଡୁଗାଁ ସରସ୍ୱତୀ ଶିଶୁ ମନ୍ଦିରରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରି ପରେ ନବରଙ୍ଗପୁରରେ ମାଟ୍ରିକ ପରୀକ୍ଷା ଓ ବରଗଡ଼ ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ଯୁକ୍ତ ୨ , ପରେ ସିମ୍ବାୟୋସିସ୍ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କମର୍ସ,ପୁଣେରୁ ବି.କମ (ବାଣିଜ୍ୟରେ ସ୍ନାତକ) କରିଥିଲେ। ୨୦୨୧ ରେ ଚାଟାର୍ଡ ଏକାଉଣ୍ଟଟେଣ୍ଟ ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଓଡିଶା ପ୍ରଶାସନିକ ସେବା ପାଇଁ କୋଚିଂ ନେଇ ପ୍ରଥମ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି ।
କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ଆଜି ସେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଏହି ସଫଳତା ହାସଲ କରିଥିବାରୁ ଅମନ ଗୋୟଲଙ୍କ ଏହି ସଫଳତା ରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ସଭାପତି ସାହିଲ ଅଗ୍ରୱାଲ, ସମ୍ପାଦକ ଗୌରବ ଅଗ୍ରୱାଲ,ଯୁଗଳ କିଶୋର ଅଗ୍ରୱାଲ, ଗୌତମ ଅଗ୍ରୱାଲ,ମୁରଲୀ ଅଗ୍ରୱାଲ,ପଙ୍କଜ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା,କମଳ ଅଗ୍ରୱାଲ,ଜଗ ମୋହନ ଅଗ୍ରୱାଲ,ନିଲେଶ ଅଗ୍ରୱାଲ,ଜୟ ଭଗବାନ ଅଗ୍ରୱାଲ, ସଞ୍ଜୟ ସିଂହଳ ସମେତ ସମସ୍ତ ଗ୍ରାମବାସୀ ସନ୍ଧ୍ୟାରେ ନିଜ ମାଟି ଲଡୁଗାଁ ଠାରେ ଅମନ ଅଗ୍ରୱାଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏକ ଶୋଭାଯାତ୍ରାରେ ଗାଁ ର ଏହି ସୁନା ପୁଅକୁ ପାଛୋଟି ନେଇଥିଲେ।ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ ହେଵ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ଅମନଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।