Header-News-Banner

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଫକୀରମୋହନ ବିଶ୍ବବିଦ୍ୟାଳୟର ବିଶାଳ ଚାରାରୋପଣ କାର୍ଯ୍ୟକ୍ରମ।

0
WhatsApp Image 2026-06-05 at 6.19.28 PM (1)

ନୀଳଗିରି,ତା,୦୫/୬(ନୀଳଗିରି)
ବିଶ୍ୱ ପରିବେଶ ଦିବସ ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗର ଦ୍ବାରା ମଛୁଆ ଗ୍ରାମ ଏବଂ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ କ୍ୟାମ୍ପସ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ବିଶାଳ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ୨୦୦ରୁ ଅଧିକ ପଣସ, ନିମ୍ବ, ଅର୍ଜୁନ, ଶିଶୁ, ଆମ୍ବ, ବେଲ ଏବଂ ଜାମୁ ପ୍ରଜାତିର ଚାରାଗଛ ରୋପଣ କରାଯାଇଥିଲା।
ମଛୁଆ ଗ୍ରାମର ସରପଞ୍ଚ ଏବଂ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ପତିତ ଭୂମିରେ ଏହି ଚାରାରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ କୁଳପତିଙ୍କ ଦ୍ବାରା ଏକ ‘ପଲ୍ଲୀ ତୋଟା’ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଆଗାମୀ ଦିନରେ ଏହି ପଲ୍ଲୀ ତୋଟାରେ ନିୟମିତ ବ୍ୟବଧାନରେ ଚାରାରୋପଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ନେଇ ମଧ୍ଯ ସୂଚୀତ କରାଯାଇଛି।
ଏହି ପଦକ୍ଷେପ ଗ୍ରାମାଞ୍ଚଳର ସବୁଜିମା ବୃଦ୍ଧି ଓ ପରିବେଶ ସନ୍ତୁଳନ ରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ପରିବେଶ ବିଜ୍ଞାନ ବିଭାଗର ମୁଖ୍ଯ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ମତ ପ୍ରକାଶ କରିଥିଲେ।
କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଏବଂ ସୁଚିନ୍ତିତ ଯୋଜନା ଅନୁଯାୟୀ ରୋପିତ ଚାରାଗଛଗୁଡ଼ିକୁ ତାରବାଡ଼ ଦ୍ୱାରା ସୁରକ୍ଷିତ କରାଯିବା ସହ ସେଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଓ ସମ୍ପୂର୍ଣ୍ଣ ଯତ୍ନର ଦାୟିତ୍ୱ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ନିର୍ବାହ କରିବ।
କାର୍ଯ୍ୟକ୍ରମ ସମୟରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ଜୈବିକ ସାର ଓ ମାଟି ମିଶାଇ ପ୍ରସ୍ତୁତ କରାଯାଇଥିବା ମଞ୍ଜି ଗୁଳାଗୁଡ଼ିକୁ ଅପହଞ୍ଚ ଅଞ୍ଚଳରେ କ୍ଷେପଣ କରାଯାଇ ପ୍ରାକୃତିକ ବନୀକରଣକୁ ଉତ୍ସାହିତ କରାଯାଇଥିଲା।
ଏହି ବିଶାଳ ଚାରାରୋପଣ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସହ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ ଅଗ୍ରୱାଲା, ବିଶ୍ୱବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଅଂଶଗ୍ରାହୀ ମାନେ ନିଜ ମତବ୍ୟକ୍ତ କରି କହିଥିଲେ ଯେ, ପରିବେଶ ସୁରକ୍ଷା କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ; ବରଂ ଏହା ଏକ ନିରନ୍ତର ସାମାଜିକ ଦାୟିତ୍ୱ। ବୃକ୍ଷରୋପଣ ଓ ସେଗୁଡ଼ିକର ସଠିକ୍ ଯତ୍ନ ମାଧ୍ୟମରେ ଆସନ୍ତା ପିଢ଼ି ପାଇଁ ଏକ ସବୁଜ ଓ ସୁସ୍ଥ ପରିବେଶ ଗଢ଼ି ତୋଳିବା ସମ୍ଭବ ବୋଲି ସେମାନେ ଆହ୍ୱାନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *