ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ପରିବାରକୁ ଭେଟିଲେ ସାଂସଦ ପ୍ରତିନିଧି
ଘଟଗାଁ, ୧୬। ୬ (ତ୍ରିଲୋଚନ ପାତ୍ର ) ରଜ ପର୍ବର ଆନନ୍ଦ ଉତ୍ସବ ମଧ୍ୟରେ ଦଇବଶ୍ୟା ସୁନ୍ଦରପୁର ଗ୍ରାମର ଦେବାନନ୍ଦ ମହାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ପଡ଼ିଛି। ଅଗ୍ନିକାଣ୍ଡରେ ତାଙ୍କର ଚାରି ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ଧାନ, ଚାଉଳ, ବସ୍ତ୍ର, ବିଛଣା ସମେତ ସମସ୍ତ ଚଳନ୍ତି ସାମଗ୍ରୀ ଅଗ୍ନିରେ ପାଉଁଶ ହୋଇଯାଇଛି। ଯାହା ଫଳରେ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ସାଂସଦ କେନ୍ଦୁଝର ପ୍ରତିନିଧି ବ୍ଲକ ପ୍ରତିନିଧି ପ୍ରହ୍ଲାଦ କୁମାର ପଲେଇଙ୍କ ନେତୃତ୍ୱରେ ମିତ୍ର ମହାନ୍ତ, ଡମ୍ବୁରୁ ମହାନ୍ତ, ସୁଧୀର ସାହୁ ତପୁ ପ୍ରଧାନ, ପ୍ରଦୀପ ମହାପାତ୍ର, କଲ୍ୟାଣ ମହାନ୍ତ, ଖଗେଶ୍ୱର ମହାନ୍ତ, ବିପିନ ମହାନ୍ତ ଓ ଟିକିନ ମହାନ୍ତ ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ।ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ପରିବାର ଦୁଃଖଦ ଅବସ୍ଥା ଦେଖି ସମବେଦନା ଜଣାଇବା ସହ କିଛି ଅତି ଆବଶ୍ୟକ ସାମଗ୍ରୀ ସହାୟତା ପ୍ରଦାନ କରିଥିଲେ। ଏହାସହ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟଙ୍କ ସହ ଆଲୋଚନା କରି ଦେବାନନ୍ଦ ମହାନ୍ତଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।