ତୃଟିମୁକ୍ତ ଓ ବିଜ୍ଞାନ ସମ୍ମତ ପାଠ୍ୟପୁସ୍ତକ ଦାବିରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର।
ବିଂଝାରପୁର ତା ୩୦.୦୬ – ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ବର୍ତ୍ତମାନ ଯାଏ ବାଇଶି ଶହରୁ ଅଧିକ ବନାନଗତ, ବ୍ୟାକରଣଗତ ଓ ତଥ୍ୟଗତ ତୃଟି ପରିଲକ୍ଷିତ ହୋଇଛି। କେବଳ ସେତିକି ନୁହେଁ ଗୁରୁତ୍ୱପୂର୍ଣ୍ଣ ମୌଳିକ ଧାରଣା ଗଢିତୋଳୁଥିବା ବିଷୟବସ୍ତୁକୁ ବାଦ ଦିଆଯାଇ ଅନେକ ଅବୈଜ୍ଞାନିକ ବିଷୟ ସ୍ଥାନିତ କରାଯାଇଛି। ବହୁ ପ୍ରତିବାଦ ପରେ ଯୋଗାଇ ଦିଆଯାଇଥିବା ସଂଶୋଧିତ ପୁସ୍ତିକା ମଧ୍ୟରେ ବି ଅନେକ ଭୁଲ ରହିଛି।
ସାମାଜିକ ବିଜ୍ଞାନ ପୁସ୍ତକରେ “ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ମାଧ୍ୟମରେ ମାଟି ପବିତ୍ର ହୁଏ” ଭଳି ବହୁ ଅବୈଜ୍ଞାନିକ ବିଷୟ ସ୍ଥାନିତ ହୋଇଛି। ସେମିତି ଭୂଗୋଳରେ ଭୌଗୋଳିକ ଜ୍ଞାନର ଭିତ୍ତିଭୂମି “ପ୍ରାକୃତିକ ଭୂଗୋଳ”କୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି।ବିଜ୍ଞାନ ବହିରେ ମହାନ ବୈଜ୍ଞାନିକ ସାର ଆଇଜାକ ନ୍ୟୁଟନଙ୍କୁ “ଶ୍ରେଷ୍ଠ ପାଇଲଟ” କୁହାଯାଇଛି। ଗଣିତ ବହିରୁ ଜ୍ୟାମିତି, ତ୍ରିକୋଣମିତି, ପରିମିତି, ସେଟ୍, ପଲିନୋମିଆଲ୍, ବ୍ୟବସାୟିକ ଗଣିତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଉଠାଇ ଦିଆଯାଇଛି। ଏଥିସହିତ ଓଡ଼ିଶାର ନିୟମଗିରି ପାହାଡ଼ ଝାଡ଼ଖଣ୍ଡରେ ରହିଛି ବୋଲ କୁହାଯାଇଛି।ଏହା ହିଁ ବିଜେପି ସରକାରଙ୍କ ଓଡ଼ିଆ ଅସ୍ମିତାର ପରିଚୟ ଓ ଗୁଣାତ୍ମକ ଶିକ୍ଷାର ନମୁନା। ଏପରିକି ୩ୟ ଶ୍ରେଣୀରୁ “ବାଂଶୁରୀ-୧” ବହିରେ ୨୦ଟା ଚ୍ୟାପ୍ଟର, ଖେଳ ଯୋଗ ବହିରେ ୭ଟା ଚ୍ୟାପ୍ଟର ନୂତନ ଭାବେ ପ୍ରଚଳନ କରାଯାଇଛି। ଏହା ଦ୍ୱାରା ପିଲାମାନଙ୍କ ଉପରେ ଅନାବଶ୍ୟକ ବୋଝ ଲଦି ଦିଆଯାଇଛି। ଯାହା ପିଲାମାନଙ୍କ ଜ୍ଞାନାର୍ଜନର ମୂଳଦୁଆକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବ।
ଏହି ପରିସ୍ଥିତିରେ ଶିକ୍ଷକ ମାନଙ୍କୁ ଏକ ସଂଶୋଧିତ, ମୂଳଗତ ଭାବେ ଅବୈଜ୍ଞାନିକ ଚିଠା ପୁସ୍ତକ ଧରାଇଦେଇ କାମ ଚଳାଇ ଦେବା ନ୍ୟାୟରେ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ନେଇ ଖେଳ ଖେଳିବା ବନ୍ଦକରି, ଚ଼ଳିତ ବର୍ଷ ପୁରଣା ବହିରେ ପାଠ ପଢାଇ ଆସନ୍ତା ବର୍ଷ ଠାରୁ ଯଥାର୍ଥ ବିଜ୍ଞାନ ସମ୍ମତ , ଧର୍ମନିରପେକ୍ଷ ପୁସ୍ତକ ପ୍ରସ୍ତୁତ କରି ପିଲାମାନଙ୍କୁ ଯୋଗାଇ ଦିଆଯାଇ ଏହି ସବୁ ବିଭ୍ରାଟର ମୂଳ ଉତ୍ସ ଏନ୍.ଇ.ପି- ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦିଆଯାଇଥିବା ପ୍ରତିବାଦ ଦିବସ ଅବସରରେ ଆଜି କ୍ଷୀରୋଦ କର, ଅଚ୍ୟୁତ ପ୍ରଧାନ, ତରଙ୍ଗିଣୀ ଦାସ, ରାଧାବଲ୍ଲଭ ମଲ୍ଲିକ,ସଂଯୁକ୍ତା ନାୟକ, ବ୍ରହ୍ମାନନ୍ଦ ମଲ୍ଲିକ, ଗୋବିନ୍ଦ ସାହୁ, ମାଧବୀ ମଲ୍ଲିକ,ଧନେଶ୍ୱର ଦାସ, କାମଦେବ ମଲ୍ଲିକ, କୃଷ୍ଣ ମଲିକ, ମାନସ ଯେନା, କ୍ଷୀରୋଦ ଯେନା ଆଦିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଂଝାରପୁର ବି.ଡି.ଓ.ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପାଠ୍ୟପୁସ୍ତକ ଗୁଡିକରେ ପରିଲକ୍ଷିତ ତୃଟି “ସ୍ୱାଭାବିକ ଓ ସାମାନ୍ୟ” ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ଓ ଚରମ ଶିକ୍ଷାବିରୋଧୀ ନୀତିର ପରିଚୟ ବୋଲି ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଓଡିଶା ରାଜ୍ୟ ସମ୍ପାଦକ ଶଙ୍କର ଦାଶଗୁପ୍ତ କହିଛନ୍ତି|
ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଯେନା ଙ୍କ ରିପୋର୍ଟ କଳିଙ୍ଗ 24 ନିୟୁଜ