ଯୁବକଙ୍କ ଆତ୍ମହତ୍ୟା ପୁଲିସର ତଦନ୍ତ ଜାରୀ
ମ.ରାମପୁର,ତା୧।୭ (ନି. ପ୍ର)ମ ରାମପୁର ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଯୋଗୁ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି। ବି. ରାଜକୁମାର ବୈଠାରୁ ( ରାଜା ) ବୟସ (୩୫) ଗତ କିଛି ମାସ ହେଲା ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ତରରେ ବିଚଳିତ ଥିଲେ।ସ୍ତ୍ରୀ ଓ ପୁଅକୁ ନେଇ ତାଙ୍କର ସଂସାର ଚାଲିଥିଲା। ଗତ କିଛିଦିନ ହେଲା କୌଣସି କାରଣରୁ ତାଙ୍କର ସ୍ତ୍ରୀ ନିଜ ପୁଅକୁ ସାଙ୍ଗରେ ନେଇ ବାପ ଘରକୁ ଯାଇଥିଲେ। ଏଣୁ ସେ ଏତେ ବଡ ଘର ଭିତରେ ଏକୁଟିଆ ରହୁଥିଲେ। ଗତ ଚାରିଦିନ ହେଲା ତାଙ୍କର ମାନସିକ ସ୍ଥିତି ଭଲ ନଥିଲା ବୋଲି ଶୁଣିବାକୁ ମିଳୁଛି, ହେଲେ ସୋମବାର ଦିନ ସନ୍ଧ୍ୟା ଠାରୁ ସେ ବାହାରକୁ ବାହାରି ନଥିଲେ। ମଙ୍ଗଳବାର ଦିନ ଦିନତମାମ ସାଙ୍ଗ ସାଥି ଓ ପରିଚିତ ମାନେ ଫୋନ କରିଥିଲେ ବି ଉଠାଇନଥିଲେ। ଆଜି ବୁଧବାର ସକାଳ ସମୟରେ ସେ ବାହାରି ନଥିବା ନେଇ ଖବର ପ୍ରଚାରିତ ହେଲାପରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ। ପରେ ମ.ରାମପୁର ପୋଲିସ ଓ ରାଜାଙ୍କ ନିଜ କକା ଅମ୍ବିକା ବୈଠାରୁ ଆସି ପହଂଚିଲା ପରେ କବାଟ ଭିତର ପଟୁ କବାଟ ବନ୍ଦ ଥିବା ଜାଣି ଗ୍ରାମବାସୀଙ୍କ ସମ୍ମୁଖରେ କବାଟ ଭଙ୍ଗା ଯାଇଥିଲା। ତା ପରେ ଯାହା ଦେଖିବାକୁ ମିଳିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଘର ଭିତରେ ରାଜା ଏକ ଦଉଡି ଜରିଆରେ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଉକ୍ତ ଶବକୁ ଉଦ୍ଧାର କରି କେସିଙ୍ଗା ଡାକ୍ତର ଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ଓ ପରିଜନ ପହଂଚି ପାରି ନଥିବାରୁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣା ପଡିଛି। ଏ ନେଇ ମ.ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଖବର ମିଳିଛି।