ବଳଦ ନେଇ ହଳଚାଷକୁ ଯାଉଥିଲେ, ଅକାଳରେ ଚାଲିଗଲା ଜୀବନ: ୧୦୮ ଆମ୍ବୁଲାନ୍ସ ଧକ୍କାରେ ୬୮ ବର୍ଷୀୟ ଚାଷୀ ମୃତ
ସିନାପାଲି, ୯/୮ (କଳିଙ୍ଗ ଫୋକସ) ମଳୟ ମେହେର: ଭୋର ସକାଳୁ ହଳଚାଷ ପାଇଁ ବଳଦ ନେଇ ଘରୁ ବାହାରିଥିଲେ । ହେଲେ ଚାଷ ଜମିରେ ପହଞ୍ଚିବା ପୂର୍ବରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ତାଙ୍କ ଜୀବନ ନେଇଗଲା । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧୀନ ପଦରଭଟାସ୍ଥିତ ବିଜୁ ଏକ୍ସପ୍ରେସ୍ ୱେରେ ରବିବାର ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ବୃଦ୍ଧ ଚାଷୀଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତକ ହେଲେ ଗୋଡାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରଗାଁର ଭାରତ ପାତ୍ର (୬୮)।
ସୂଚନା ଅନୁଯାୟୀ, ଭାରତ ପାତ୍ର ଭୋରୁ ହଳଚାଷ କରିବା ପାଇଁ ବଳଦ ନେଇ କାପସିସ୍ଥିତ ପଦରଭଟା ଅଭିମୁଖେ ଯାଉଥିଲେ । ଏହି ସମୟରେ ବିଜୁ ଏକ୍ସପ୍ରେସ୍ ୱେରେ ପଛପଟୁ ଆସୁଥିବା ୧୦୮ ଆମ୍ବୁଲାନ୍ସ (OD 02 CQ 8211) ତାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଧକ୍କାରେ ଭାରତ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ ।
ଘଟଣା ସମ୍ପର୍କରେ ଖବର ପାଇ ଖଡ଼ିଆଳ ଏସଡିପିଓ ଓ ସିନାପାଲି ଥାନା ଆଇଆଇସି ମହେଶ୍ୱର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସିନାପାଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ଗୁରୁତର ଆହତ ଭାରତଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଦୁର୍ଘଟଣା ପରେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଥିଲା । ସୂଚନା ପାଇ ସିନାପାଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏଥିସହ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଆଶ୍ୱାସନ ଦେଇଥିଲେ ।
ପରେ ସିନାପାଲି ପୁଲିସ ଶବ ବ୍ୟବଚ୍ଛେଦ କରାଇ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଏନେଇ ପୁଲିସ ମାମଲା ରୁଜୁ କରି ଦୁର୍ଘଟଣାର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଜାରି ରଖିଛି ।
ଭୋର ସକାଳୁ ହଳଚାଷ ପାଇଁ ବଳଦ ନେଇ ଘରୁ ବାହାରିଥିବା ଜଣେ ଚାଷୀଙ୍କ ଏଭଳି ଅକାଳ ମୃତ୍ୟୁ ଡଙ୍ଗରଗାଁ ସମେତ ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଚାଷ କାମ ପାଇଁ ବାହାରିଥିବା ଭାରତ ଆଉ ଘରକୁ ଫେରିନଥିବା ଘଟଣା ପରିବାର ଓ ସ୍ଥାନୀୟ ଲୋକଙ୍କୁ ଗଭୀର ମର୍ମାହତ କରିଛି