SIR ଖୋଲିଲା ଶିକ୍ଷକଙ୍କ ଜାଲିଆତିର ଗୁମରବ୍ରାହ୍ମଣ ହୋଇ ଆଦିବାସୀ କୋଟାରେ କରୁଛନ୍ତି ଶିକ୍ଷକତା
ବାଲେଶ୍ଵର:ତା:୧୦/୦୮/୨୦୨୬, ରିଖ (ଜ୍ୟୋତିରଞ୍ଜନ ପଟ୍ଟୟତ):ବାଲେଶ୍ୱର ଜିଲ୍ଲା ପ୍ରତିନିଧି :ଓଡିଶାରେ ନକଲି ସାର୍ଟିଫିକେଟ ତଥା ନକଲି ଜାତି ପ୍ରମାଣ ପତ୍ର ରେ ଚାକିରି ର ଅଭିଯୋଗ ଲମ୍ବୁଥିବା ବେଳେ, ସରକାର ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖିବାକୁ ମିଳୁଛି। ତେବେ ମୁଖ୍ୟତଃ ଶିକ୍ଷା ବିଭାଗରେ ମାଳ ମାଳ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଛି। ତେବେ ଏସଆଇଆର ବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ଖୋଲିଛି ଜନୈକ ସରକାରୀ ଶିକ୍ଷକଙ୍କ ଜାଲିଆତିର ଗୁମର। ଫଳରେ ହଡର ଘଣାରେ ପଡ଼ିଛନ୍ତି ଶିକ୍ଷକ ଜଣକ। ବ୍ରାହ୍ମଣ ହୋଇ ଆଦିବାସୀ ଜାତିରେ ଶିକ୍ଷକ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ, ବୟସ ପ୍ରମାଣ ପତ୍ର ଓ ଜାତି ସାର୍ଟିଫିକେଟ ଉପରେ ଉଠିଛି ପ୍ରଶ୍ନ ? କଥାରେ ଅଛି ଗୋଟିଏ ମିଛ ଲୁଚାଇବାକୁ ଯାଇ ଶହେ ମିଛର ଆଶ୍ରୟ ନେଇଛନ୍ତି ଶିକ୍ଷକ ଜଣକ। ଏପରି ଜଣେ ଜାଲ୍ ଶିକ୍ଷକଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି। ସୂଚନାରୁ ପ୍ରକାଶ ସଦର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର କାଟୁଳଡିହା ଗ୍ରାମର ଲେଡା ମାଝୀଙ୍କ ପୁଅ ଦେବବ୍ରତ ମାଝୀଙ୍କୁ ଆଦିବାସୀ କୁଟାରେ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୦୬ ମସିହାରେ ଶିକ୍ଷାସହାୟକ ପଦରେ ଶ୍ରୀରାମପୁର ପ୍ରାଇମେରୀ ସ୍କୁଲରେ ନିଯୁକ୍ତି ମିଳିଥିବା ବେଳେ,ଏବେ ସେ ବିଞ୍ଝ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ତେବେ ଓଡିଶାରେ ଚାଲୁଥିବା ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ୨୦୦୨ ଭୋଟର୍ ତାଲିକା ପ୍ରକାଶ ପାଇବା ପରେ,ଶିକ୍ଷକ ଦେବବ୍ରତ ମାଝୀଙ୍କ ଜାଲିଆତିର ସମସ୍ତ ଗୁମର ଖୋଲିଯାଇଛି। ୨୦୦୨ ତାଲିକାରେ ଦୁଇଟି ସ୍ଥାନରେ ଅଲଗା ଟାଇଟଲ୍ ଥିବା ଦେଖିବାକୁ ମିଳିଛି। ବସ୍ତା-୧୩ ବିଧାନସଭା କ୍ଷେତ୍ର ଭାଗ- ୧୧୦ ରେ ୪୧୮ ସିରିଏଲ୍ ନମ୍ବର ରେ ,ପାଞ୍ଚପଡା- ୨ ଏସଆଇଆର ୨୦୦୨ ଭୋଟର୍ ତାଲିକାରେ ହରିହର ସନ୍ଧିବିଗ୍ରହଙ୍କ ପୁଅ ଦେବବ୍ରତ ସନ୍ଧିବିଗ୍ରହ ରହିଥିବା ବେଳେ ,ବୟସ ୧୮ ରହିଛି। ସେପଟେ ସେହି ବିଧାନସଭା ବସ୍ତା କ୍ଷେତ୍ରର ଭାଗ ନମ୍ବର ୬୯ ରେ ସିରିଏଲ୍ ନମ୍ବର ୧୦୦ କାଟୁଳଡିହା ଏସ ଆଇ ଆର ୨୦୦୨ ଭୋଟର୍ ତାଲିକାରେ ବାପାଙ୍କ ନାମ ଲେଢା ମାଝୀ ଥାଇ ଦେବବ୍ରତ ମାଝୀ ଙ୍କ ବୟସ ୧୯ ରହିଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଜଣେ ବ୍ୟକ୍ତିଙ୍କ ନାମ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଦୁଇଟି ସ୍ଥାନରେ ରହିବା ସହ ଭିନ୍ନ ଟାଇଟଲ୍ ଓ ବୟସ ମଧ୍ୟ ଭିନ୍ନ ରହିଛି। ଏଠାରେ ସୂଚନାଯୋଗ୍ୟ ବାସ୍ତବରେ ଶିକ୍ଷକ ଦେବବ୍ରତ ମାଝୀଙ୍କ ଜନ୍ମିତ ବାପା ପାଞ୍ଚପଡା ଗ୍ରାମର ହରିହର ସନ୍ଧିବିଗ୍ରହ ହୋଇଥିବା ବେଳେ, ଲେଡା ମାଝୀ ଙ୍କ ସନ୍ତାନ ନଥିବାରୁ ଦେବବ୍ରତଙ୍କୁ ପୋଷ୍ୟ ସନ୍ତାନ କରିଥିବାର ଶିକ୍ଷକ ଦେବବ୍ରତ ଦାବି କରିବା ସହ,ଜନ୍ମରୁ ଲେଢା ମାଝୀ ଙ୍କ ଘରେ ରହି ଆସୁଛନ୍ତି। ସେହି ଦୃଷ୍ଟିରୁ ବ୍ରାହ୍ମଣ କୂଳରେ ଜନ୍ମିତ ହୋଇଥିଲେ ବି ସେ ପାଳିତ ଆଦିବାସୀ ବାପା ଲେଢା ମାଝୀ ଙ୍କ ପୁଅ ଭାବରେ ପରିଚିତ ହେବା ସହ, ଆଦିବାସୀ କୋଟାରେ ଚାକିରି ପାଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ଯଦି ଲେଢା ମାଝୀ ଙ୍କ ପୋଷ୍ୟ ସନ୍ତାନ ଥିଲେ ତେବେ ୨୦୦୨ ଏସ ଆଇ ଆର୍ ତାଲିକାରେ ଜନ୍ମିତ ବାପା ହରିହର ସନ୍ଧିବିଗ୍ରହଙ୍କ ପରିବାରେ କେମିତି ରହିଥିଲେ ? ସେତେବେଳକୁ ତାଙ୍କ ବୟସ ୧୮ ବର୍ଷ ହୋଇଥିଲା । ସେପଟେ ପୋଷ୍ୟ ସନ୍ତାନ କରିଥିବା ଲେଢା ମାଝୀ,ପିତା- ଖେଚଡା ମାଝୀ ଙ୍କ ନାମ ୨୦୦୨ ତାଲିକା ବିଧାନସଭା କ୍ଷେତ୍ର ବସ୍ତାର ଭାଗ ନମ୍ବର – ୭୦ ,ସିରିଏଲ୍ ନମ୍ବର ୬୧୮ ରେ ହଳଦିପାଳ ଗ୍ରାମର ଉଲ୍ଲେଖ ରହିଛି। ଅର୍ଥାତ୍ ଏଥିରୁ ସ୍ପଷ୍ଟ ଲେଢା ମାଝୀଙ୍କ ଘର ହଳଦିପାଳ ଗ୍ରାମରେ ହୋଇଥିଲା ବେଳେ ଦେବବ୍ରତ ମାଝୀଙ୍କ ଘର ଅନ୍ୟ ଏକ ଗାଁ କାଟୁଳଡିହା କିମ୍ବା ପାଞ୍ଚପଡା ଅଟେ। ଅର୍ଥାତ୍ ଦେବବ୍ରତ ମାଝୀ ୨୦୦୨ ରେ ଲେଢା ମାଝୀଙ୍କ ଘରେ ରହୁନଥିଲେ। ତେବେ ଏଥିରୁ ସ୍ପଷ୍ଟ ଦେବବ୍ରତ ସନ୍ଧିବିଗ୍ରହ ଜଣେ ବ୍ରାହ୍ମଣ କୂଳରେ ଜନ୍ମିତ ହୋଇଥିଲେ ମଧ୍ୟ,କେବଳ ସରକାରୀ ଚାକିରି ପାଇବା ପାଇଁ ଆଦିବାସୀ ହେବା ସହ ଲେଢା ମାଝୀଙ୍କ ପୋଷ୍ୟ ସନ୍ତାନ ବୋଲି କେବଳ କାଗଜ କଲମରେ ମିଥ୍ୟା ଡକ୍ୟୁମେଣ୍ଟ ତିଆରି ହୋଇଛି। ସେପଟେ ଶିକ୍ଷକଙ୍କ ବୟସକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଦେବବ୍ରତ ଙ୍କ ମ୍ୟାଟ୍ରିକ ସାର୍ଟିଫିକେଟ ରେ ଜନ୍ମ ତାରିଖ ୧୯ . ୭ . ୧୯୮୫ ଉଲ୍ଲେଖ ରହିଥିବା ବେଳେ ୨୦୦୦ ମସିହାରେ ଛାନୁଆଁ ହାଇସ୍କୁଲରୁ ମାଟ୍ରିକ ପାସ୍ କରିଛନ୍ତି। ୨୦୦୦ ମସିହାରେ ଯଦି ମ୍ୟାଟ୍ରିକ ପାସ୍ କରିଛନ୍ତି,ତେବେ ସେତେବେଳକୁ ତାଙ୍କ ବୟସ ୧୪ ବର୍ଷ ହେଉଥିବା ବେଳେ, ଏସ ଆଇ ଆର ୨୦୦୨ ଭୋଟର୍ ତାଲିକାରେ ଦୁଇଟି ସ୍ଥାନରେ ଭିନ୍ନ ବର୍ଷ, ଯଥାକ୍ରମେ ୧୮ , ୧୯ ରହିଛି । ତେବେ ସାର୍ଟିଫିକେଟ ବୟସ କିନ୍ତୁ ୨୦୦୨ ବେଳକୁ ୧୬ ହେଉଛି। ଅର୍ଥାତ୍ ସାର୍ଟିଫିକେଟରେ ବୟସ କମ୍ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ କହୁଛି ଜଣେ ବ୍ୟକ୍ତିଙ୍କ ଜାତି ତାଙ୍କ ଜନ୍ମିତ ପିତାଙ୍କ ଜାତିକୁ ଧରାଯିବ, ପୋଷ୍ୟ ସନ୍ତାନ ହେଲେ ମଧ୍ୟ ଜାତି ଜନ୍ମିତ ବାପାଙ୍କର ବୋଲି ଧରାଯିବ। ଏଠାରେ ଦେବବ୍ରତଙ୍କ ଜନ୍ମିତ ବାପା ହରିହର ସନ୍ଧିବିଗ୍ରହ ହୋଇଥିବା ବେଳେ,ସେ ବ୍ରାହ୍ମଣ ଅଟନ୍ତି।ତେଣୁ ଦେବବ୍ରତ ଙ୍କ ଜାତି ବ୍ରାହ୍ମଣ ଧରାଯିବ। ତେବେ ତାଙ୍କୁ ଆଦିବାସୀ ଜାତିର ସାର୍ଟିଫିକେଟ ମିଳିବାକୁ ନେଇ ଉଠୁଛି ପ୍ରଶ୍ନ ? ସେପଟେ ଶିକ୍ଷକଙ୍କ ଜାଲିଆତିର ଗୁମର ଏଇଠି ସରିନି । ଶିକ୍ଷକ ଦେବବ୍ରତ ୨୦୧୦ ମସିହାରେ ଜନୈକ ବ୍ରାହ୍ମଣ ଝିଅଙ୍କୁ ରୁପ୍ସା ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ବିବାହ କରିଥିବା ବେଳେ, ବିବାହ କାଗଜରେ ହରିହର ସନ୍ଧିବିଗ୍ରହଙ୍କ ପୁଅ ଦେବବ୍ରତ ସନ୍ଧିବିଗ୍ରହ ଭାବରେ ଦସ୍ତଖତ କରିଛନ୍ତି। ଜନ୍ମିତ ବାପା ହରିହର ସନ୍ଧିବିଗ୍ରହ ବରକର୍ତା ଭାବରେ ଦସ୍ତଖତ କରିଥିବା ବେଳେ,ପାଞ୍ଚପଡାର ଠିକଣା ଉଲ୍ଲେଖ ରହିଛି। ଏପଟେ ଲେଡା ମାଝୀଙ୍କ ପୁଅ ଭାବରେ ଦେବବ୍ରତ ମାଝୀ ହୋଇ ଆଦିବାସୀ କୋଟାରେ ସରକାରୀ ଚାକିରି ୨୦୦୬ ମସିହାରୁ କରୁଥିବା ବେଳେ, ସେପଟେ ୨୦୧୦ ରେ ବିବାହରେ ବ୍ରାହ୍ମଣ ଏବଂ ଦେବବ୍ରତ ସନ୍ଧିବିଗ୍ରହ ନାମରେ ପରିଚୟ ଦେଉଛନ୍ତି। ବ୍ରାହ୍ମଣ ଝିଅକୁ ମନ୍ଦିରରେ ବିବାହ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଆଦିବାସୀ ମାନଙ୍କ ବାହାଘର କୌଣସି ହିନ୍ଦୁ ମନ୍ଦିର କିମ୍ବା ହିନ୍ଦୁ ପରମ୍ପରା ଓ ରିତିନିତିରେ ହୋଇନଥାଏ। ଆଦିବାସୀ ପରମ୍ପରା ଅଲଗା ଓ ବାହାଘର ପ୍ରଥା ପରମ୍ପରା ଅଲଗା। ତେବେ ଏଥିରୁ ସ୍ପଷ୍ଟ ଦେବବ୍ରତ ଆଦିବାସୀ ପରମ୍ପରାରେ ଚଳୁନଥିବା ବେଳେ ବ୍ରାହ୍ମଣ ପରମ୍ପରା ରେ ଚଳୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ଦିରରେ ବିବାହ ସମୟରେ ବରକର୍ତା ଭାବରେ ଜନ୍ମିତ ବାପା ହରିହର ସନ୍ଧିବିଗ୍ରହ ଙ୍କ ଦସ୍ତଖତ ରହିଛି। ପାଳିତ ବାପା ଲେଡା ମାଝୀ କିମ୍ବା ତାଙ୍କ ଆଦିବାସୀ ସଂପ୍ରଦାୟର କୌଣସି ଲୋକଙ୍କ ଉପସ୍ଥିତି କିମ୍ବା ଦସ୍ତଖତ ନାହିଁ। ଏବେବି ଶିକ୍ଷକ ଦେବବ୍ରତ ଜନ୍ମିତ ବାପା ହରିହର ସନ୍ଧିବିଗ୍ରହ ଙ୍କ ଘରେ ଅର୍ଥାତ୍ ପାଞ୍ଚପଡା ରେ ରହୁଥିବା ବେଳେ , କାଟୁଳଡିହା ତାଙ୍କ ମାମୁଁ ଙ୍କ ଗାଁ ହୋଇଥିବା ବେଳେ, ସେ ଚଞ୍ଚକତା କରି ଆଦିବାସୀ କୁଟାରେ କେବଳ ଚାକିରି ହାତେଇବା ପାଇଁ, ଏପରି ଏକ ନାଟକୀୟ କାର୍ଯ୍ୟ କରିଥିବା ବେଳେ, ଏସ ଆଇ ଆର ୨୦୦୨ ଭୋଟର ତାଲିକା, ଶିକ୍ଷକଙ୍କ ସମସ୍ତ ଜାଲିଆତିର ଗୁମର ଖୋଲି ଦେଇଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଲେଡା ମାଝୀଙ୍କର ପୁଅ ରାମଦାସ ମାଝି (୨୭) ରହିଛନ୍ତି। ଯାହାଙ୍କ ୨୦୦୨ ଏସ ଆଇ ଆର ତାଲିକାରେ ୧୩ -ବସ୍ତା ନିର୍ବାଚନ ମଣ୍ଡଳୀରେ ଭାଗ ୭୦ ହଳଦୀପାଳ ଭୋଟର ତାଲିକା ରେ ଲେଡା ମାଝୀଙ୍କ ପରିବାରରେ ସିରିଏଲ୍ ନମ୍ବର ୬୨୬ ରେ ନାମ ରହିଛି। ଏଠାରେ ସୂଚନାଯୋଗ୍ୟ ଜନ୍ମିତ ବାପା ହରିହର ସନ୍ଧିବିଗ୍ରହଙ୍କ ଦେବବ୍ରତ ଏକମାତ୍ର ପୁତ୍ର ଅଟନ୍ତି । ତେବେ ପୋଷ୍ୟ ସନ୍ତାନ ଆଇନ୍ କହୁଛି ଯାହାର ଏକମାତ୍ର ପୁତ୍ର ଥିବ ସେ ଅନ୍ୟକୁ ପୋଷ୍ୟ ଦେଇ ପାରିବ ନାହିଁ କିମ୍ବା ଯଦି ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପୁତ୍ର ରହିଛି,ସେ ମଧ୍ୟ ପୋଷ୍ୟ ଗ୍ରହଣ କରିପାରିବେ ନାହିଁ। ତେବେ ଏଠାରେ ଆଇନ୍ କୁ ଉଲଂଘନ କରାଯାଇଥିବା ଦେଖିବାକୁ ମିଳୁଛି। ତେବେ ଫେକ୍ ଡକ୍ୟୁମେଣ୍ଟ କରି ବ୍ରାହ୍ମଣ କୂଳରେ ଜନ୍ମହୋଇ ଚଞ୍ଚକତା କରି ଆଦିବାସୀ କୋଟାରେ ଚାକିରି କରିଥିବା ଶିକ୍ଷକ ଦେବବ୍ରତ ମାଝୀ / ସନ୍ଧିବିଗ୍ରହ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଦେବବ୍ରତ ମାଝୀ/ ସନ୍ଧିବିଗ୍ରହ ଙ୍କ ଔରସରୁ ଏକ ଝିଅ ୨୦୧୧ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ, ଦେବବ୍ରତ ନିଜ ଝିଅର ନାମ ଦେବଶ୍ରୀ ମାଝୀ ବଦଳରେ ଦେବଶ୍ରୀ ପାଣିଗ୍ରାହୀ ରଖିଛନ୍ତି। ଅର୍ଥାତ୍ ଦେବବ୍ରତ ନିଜ ଝିଅକୁ ଆଦିବାସୀ ବୋଲି ସାମାଜିକ ସ୍ବୀକୃତି ଦେବାକୁ ପସନ୍ଦ କରିନାହାନ୍ତି।ଫଳରେ ତାଙ୍କ ସ୍ତ୍ରୀ ଙ୍କ ଟାଇଟେଲ୍ ପାଣିଗ୍ରାହୀ ଟାଇଟଲ୍ ରଖି ନିଜକୁ ତଥା ଝିଅକୁ ବ୍ରାହ୍ମଣ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦେବବ୍ରତ ୨୦୦୦ ମସିହାରେ ହାଇସ୍କୁଲ ପାସ୍ କରିଥିବା ବେଳେ,ସେ ଆଦିବାସୀ ତଥା ଲେଡା ମାଝୀଙ୍କ ପୁଅ ବୋଲି ପ୍ରମାଣିତ କରିବା ପାଇଁ ୧୯୯୯ ମସିହାରେ ଏକ ସରକାରୀ ଜମି ଦଖଲ କରିଥିବା ନେଇ ଏକ ଏଲ ଇ କେସ୍ ୬୭୬/୯୯ ନମ୍ବର ମୂଳେ ମାମଲା କରାଯାଇ, ତହସିଲଦାର ଙ୍କ ଠାରୁ ସରକାରୀ ଜମିକୁ ନିଜ ନାମରେ ରେକର୍ଡ କରାଇଛନ୍ତି। ଯେତେବେଳେ କି ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ ଏବଂ ବୟସ ମାତ୍ର ୧୪ ବର୍ଷ ଥିଲା।୧୪ ବର୍ଷର ଜଣେ ନା ବାଳକ କେବେ ସରକାରୀ ଜମିକୁ ଜବରଦଖଲ କଲେ ?ତେବେ ଶିକ୍ଷକଙ୍କ ଏପରି ଜାଲିଆତିର ବିଭାଗୀୟ ତଦନ୍ତ ହେବା ସହ ବେଆଇନ୍ ଭାବରେ ହାସଲ୍ କରାଯାଇଥିବା ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ ତଥା ନିଯୁକ୍ତି କୁ ରଦ୍ଦ କରିବା ସହ, ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଦରମା ଆକାରରେ ନେଇଥିବା ସମସ୍ତ ଦରମା ଟଙ୍କା ଆଦାୟ ସହ ଫୌଜଦାରୀ ମକଦ୍ଦମା କରାଯିବା ସହ ଏହି ଜାଲିଆତିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କୁ ତଦନ୍ତ ସହ ଗିରଫ କରିବାକୁ ସାଧାରଣରେ ଦାବି ଉଠିଛି ।