Header-News-Banner

ଜନାର୍ଦ୍ଦନପୁର ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
8d2f8970-7fd8-46a3-98b6-57521a6aefa7

କେନ୍ଦୁଝର, ୨୨/୮ (ଜଗବନ୍ଧୁ ବାରିକ ): ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜନାର୍ଦ୍ଦନପୁରର ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ରତ୍ନ ମଞ୍ଜରୀ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଏକ ଭାବଗମ୍ଭୀର ଓ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରାଣବନ୍ଧୁ ପରିଡ଼ା ସଭାରେ ସଭାପତିତ୍ୱ କରିଥିଲେ।ଦୀର୍ଘ ଶିକ୍ଷାଦାନ ଜୀବନରେ ଶ୍ରୀମତୀ ନାୟକ ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼ାରେ ନୁହେଁ, ବରଂ ଶୃଙ୍ଖଳା, ନୀତି, ମାନବିକତା ଓ ଉତ୍ତମ ଚରିତ୍ର ଗଠନରେ ମଧ୍ୟ ମାର୍ଗଦର୍ଶନ କରିଆସିଥିଲେ। ତାଙ୍କର ସରଳ, ସ୍ନେହଶୀଳ ଓ ଛାତ୍ରବତ୍ସଳ ବ୍ୟବହାର ଯୋଗୁଁ ସେ ଛାତ୍ରଛାତ୍ରୀ, ସହକର୍ମୀ ଓ ଅଭିଭାବକଙ୍କ ମଧ୍ୟରେ ସ୍ୱତନ୍ତ୍ର ସମ୍ମାନ ହାସଲ କରିଥିଲେ।ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ନୂତନ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ଶ୍ରୀମତୀ ନାୟକଙ୍କ ସହ ବିତାଇଥିବା ବିଭିନ୍ନ ସ୍ମୃତି ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ତାଙ୍କଠାରୁ ପାଇଥିବା ଶିକ୍ଷା, ସ୍ନେହ, ପ୍ରେରଣା ଓ ମାର୍ଗଦର୍ଶନ ସେମାନଙ୍କ ଜୀବନରେ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେମାନେ କହିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ସଭାକୁ ଆହୁରି ଆବେଗପୂର୍ଣ୍ଣ କରିଥିଲା। ଗଣିତ ଶିକ୍ଷୟିତ୍ରୀ ଶ୍ରୀମତୀ ମନ୍ଦାକିନୀ ସାହୁ ଓ ଇଂରାଜୀ ଶିକ୍ଷକ ଶ୍ରୀ ଡମ୍ବରୁଧର ମହନ୍ତ ଦୀର୍ଘ ୧୫ ବର୍ଷ ଧରି ଶ୍ରୀମତୀ ନାୟକଙ୍କ ସହ କାର୍ଯ୍ୟ କରିବାର ଅନୁଭୂତି ଓ ଅଭୁଲା ସ୍ମୃତି ବାଣ୍ଟିଥିଲେ। ତାଙ୍କ ସରଳତା, ସ୍ନେହଶୀଳତା, କର୍ତ୍ତବ୍ୟନିଷ୍ଠା ଓ ସହଯୋଗୀ ମନୋଭାବକୁ ସ୍ମରଣ କରି ଉଭୟେ ଭାବବିହ୍ୱଳ ହୋଇପଡ଼ିଥିଲ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରାଣବନ୍ଧୁ ପରିଡ଼ା ନିଜ ବକ୍ତବ୍ୟରେ ଶ୍ରୀମତୀ ନାୟକଙ୍କ ଦୀର୍ଘ ଶିକ୍ଷାଦାନ ଜୀବନର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ବିଦ୍ୟାଳୟ ପ୍ରତି ଅବଦାନର ଭୂୟସୀ ପ୍ରଶଂସା କରିଥିଲେ। ସେ ତାଙ୍କର ଅବସର ଜୀବନ ସୁଖମୟ, ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ହେଉ ବୋଲି ଶୁଭକାମନା ଜଣାଇଥିଲେ।ଶ୍ରୀମତୀ ମନ୍ଦାକିନୀ ସାହୁ ସଭାପତି ଚୟନକରିଥିବାବେଳେ ଶ୍ରୀ ବିଜୟ କୁମାର ପାଣିଗ୍ରାହୀ ଶ୍ରୀମତୀ ନାୟକଙ୍କ ପାଇଁ ପ୍ରସ୍ତୁତ ମାନପତ୍ର ପାଠ କରିଥିଲେ। ପରେ ତାଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଅନ୍ୟ ସହକର୍ମୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ତାଙ୍କ ସହ ଥିବା ଦୀର୍ଘଦିନର କାର୍ଯ୍ୟାନୁଭୂତି ଓ ସ୍ମୃତି ବାଣ୍ଟିଥିଲେ।ସଭାକୁ ସଫଳ କରିବାରେ ଶିକ୍ଷକ-ଶିକ୍ଷୟିତ୍ରୀ ସନ୍ଦୀପ୍ତା ଦେଓ, ରଞ୍ଜନ ନାଏକ, ରଞ୍ଜନ ପତି, ସୁବାଷ ପାତ୍ର ଓ କୁମୁଦିନୀ ମହାପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶ୍ରୀମତୀ ସୁଚରିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଉପସ୍ଥିତ ସମସ୍ତେ ଶ୍ରୀମତୀ ରତ୍ନ ମଞ୍ଜରୀ ନାୟକଙ୍କ ଅବସର ଜୀବନ ସୁସ୍ଥ, ସୁଖମୟ, ଶାନ୍ତିପୂର୍ଣ୍ଣ ଓ ଦୀର୍ଘାୟୁ ହେଉ ବୋଲି ଶୁଭକାମନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *