ଫୁଲକିମୁଣ୍ଡା ପଞ୍ଚାୟତ ହାଇସ୍କୁଲ ଠାରେ ସମର କ୍ୟାମ୍ପ ପାଳିତ
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହାଜପାଣି ପଞ୍ଚାୟତ ଅନ୍ତର୍ଗତ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସମର କ୍ୟାମ୍ପ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ସାମଗ୍ରୀର ବିକଳ୍ପ ଭାବେ ପରିବେଶ ଅନୁକୂଳ ସାମଗ୍ରୀରୁ ଦୈନନ୍ଦିନ ବ୍ୟବହାର ଯୋଗ୍ୟ ଜିନିଷ ପ୍ରସ୍ତୁତିର କୌଶଳ ଶିକ୍ଷାଦାନ ସହ ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଏସ୍ପି ଅମୃତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖପ୍ରାଖୋଲ ବ୍ଲକ ଅତିରିକ୍ତ ତହସିଲଦାର ସତ୍ୟସୁନ୍ଦର ରାଉତରାଏ, ଲାଠୋର ଥାନା ଅଧିକାରୀ ଅବିନାଶ ପ୍ରଧାନ, ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର, ତୁରେକେଲା ଥାନା ଅଧିକାରୀ ରାକେଶ ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରହରି ବଳ, ପ୍ରଧାନଶିକ୍ଷକ ନବକିଶୋର ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦଲାଲ ମାଝୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ପଦ୍ମକୁମାର ସିଂ ବରିହା ଯୋଗଦେଇଥିଲେ। ଶିବିରରେ ଛାତ୍ରଛାତ୍ରୀମାନେ କାଗଜ ହସ୍ତଶିଳ୍ପ, ବାଉଁଶ କାରିଗରୀ, ତାଳ, ଶାଳ ଓ ଖଜୁରୀ ପତ୍ର ହସ୍ତଶିଳ୍ପ, ମୃତ୍ତିକା ଶିଳ୍ପ ଓ ସିଡ୍ ବଲ୍ ଆଦି ବିଭିନ୍ନ ସୃଜନଶୀଳ କାର୍ଯ୍ୟର ପ୍ରସ୍ତୁତି ଓ ପ୍ରଦର୍ଶନ କରିଥିଲେ। କପଡ଼ା ଓ କାଗଜରୁ ବିଭିନ୍ନ ପ୍ରକାର ବ୍ୟାଗ, ବାଉଁଶରୁ ଫୁଲ ଚାଙ୍ଗୁଡ଼ି, କୁଲା, ଆସନ, ବିଞ୍ଚଣା ଓ ପେନ୍ଷ୍ଟାଣ୍ଡ ଏବଂ ମାଟିରୁ ଦୀପ ଓ ପୂଜା ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କ କାରୁକାର୍ଯ୍ୟ ପରିଦର୍ଶନ କରି ସେମାନଙ୍କ ପ୍ରତିଭାର ପ୍ରଶଂସା କରିଥିଲେ। ବିଭିନ୍ନ ବିଭାଗରେ ନବକିଶୋର ନନ୍ଦ, ବୀଣାପାଣି ବେହେରା, ଦୀପିକା ପଟ୍ଟନାୟକ, ଅକ୍ଷର ଭଇଁଷାଲ, କନ୍ଦର୍ପ ନାଗ ଓ ସହଦେବ କୁମାର ପତି ମାଷ୍ଟର ଟ୍ରେନର ଭାବେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବିଭିନ୍ନ ହସ୍ତଶିଳ୍ପ ବିଭାଗରେ ସୁଶୀଳା ମାଝୀ, ଉମାକାନ୍ତି ଧରୁଆ, ଅଲିମା, କୁମୁଦିନୀ ବରିହା, ନୂମଲି ସମରଥ ଓ ନରେଶ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ଭୁବନେଶ୍ୱର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରର ସଫଳ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।