Header-News-Banner

ନାରୀ ପ୍ରଗତି ପାଇଁ ଶିକ୍ଷା, ସଂସ୍କାର ଓ ସଂସ୍କୃତି ଉପରେ ଗୁରୁତ୍ବ ଦିଆଯାଉ

0
IMG-20260310-WA0115

ବରଗଡ଼:, ୧୦/୦୩ -(ଯୋଗେନ୍ଦ୍ର ସାହୁ )
ନାରୀ ଯଦି ଆଦର୍ଶ, ମର୍ଯ୍ୟାଦାକୁ ଧରି ସକାରାତ୍ମକ ମାନସିକତାର ସହିତ ସଂସ୍କାର ଓ ସଂସ୍କୃତିକୁ ଗୁରୁତ୍ଵ ଦେଇ, ଶିକ୍ଷାକୁ ପାଥେୟ କରି ସ୍ୱାବଲମ୍ବୀ ହେଲେ ନିଜର ଉନ୍ନତି ସହିତ ଦେଶ ଓ ଜାତିର ପରିବର୍ତ୍ତନ ତଥା ପ୍ରଗତି ସମ୍ଭବ ହେବ ବୋଲି ବରଗଡ଼ ମହିଳା ସମିତି ପକ୍ଷରୁ ପାଳିତ ଆନ୍ତର୍ଜାତିକ ମହିଳା ଦିବସ ସମାରୋହରେ ମତପ୍ରକାଶ ପାଇଛି। ସମିତିର ସଭାନେତ୍ରୀ ଅଞ୍ଜନା ଦାସଙ୍କ ସଭାପତିତ୍ବ ଏବଂ ପ୍ରଣତି ପ୍ରଧାନଙ୍କ ପରିଚାଳନାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ପଞ୍ଚାୟତ ମହାବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ସହକାରୀ ପ୍ରଫେସର୍ ସୁନନ୍ଦିନୀ ଦାଶ, ମୁଖ୍ୟଅତିଥି ହିନ୍ଦୀ ବାଳକ ବିଦ୍ୟାଳୟର ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା, ସମ୍ମାନିତ ଅତିଥି ସମାଜସେବୀ ଗୀତା ମିଶ୍ର, ସୁନିତା କର ଓ ଦିବ୍ୟକାନ୍ତି ଭୋଇ ପ୍ରମୁଖ ମହିଳା ଦିବସର ଅନୁଚିନ୍ତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଅଧ୍ୟାପିକା ଦାଶ କହିଥିଲେ, ନାରୀ କେବେ ଅବଲା ନୁହେଁ କି ଦୁର୍ବଳା ନୁହେଁ, ଯୁଗେ ଯୁଗେ ମହାନ। ତାକୁ ସଶକ୍ତ କରିବାର ଆବଶ୍ୟକତା ନାହିଁ, କେବଳ ନାରୀ ଚେତନା ଜାଗରଣର ଆବଶ୍ୟକତା ରହିଛି।ଶିକ୍ଷୟତ୍ରୀ ପଣ୍ଡା କହିଥିଲେ, ସାଧନା କେବେହେଲେ ବିଫଳ ହୁଏ ନାହିଁ। ନାରୀ ଶକ୍ତି ବଳରେ ହିଁ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ମତବ୍ୟକ୍ତ କରି ବରଗଡ଼ ମହିଳା ସମିତିର ସେବାକାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ।
ପ୍ରାରମ୍ଭରେ ବରିଷ୍ଠ ସଦସ୍ୟା ମମତା ମିଶ୍ର ଅତିଥି ପରିଚୟ ସହ ସ୍ଵାଗତ ଭାଷଣ, କବିତା ଦେବତା କବିତା ପାଠ, ସମ୍ପାଦିକା ସୁଧାଂଶୁବାଲା ଦାଶ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।
ଏହି ଅବସରରେ ବରପାଲି ବ୍ଲକ ଲେଣ୍ଡା ଗ୍ରାମର ୯୫ ବର୍ଷୀୟା ବିଶିଷ୍ଟ ସମାଜସେବୀ ସୁଲୋଚନା ମିଶ୍ର ଓ ସମିତିର ପ୍ରତିଷ୍ଠାତା ସଦସ୍ୟା ଅନୁପମା ଦାଶଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ, ସଦସ୍ୟା ପଦ୍ମିନୀ ସାହୁଙ୍କୁ ବର୍ଷର ସଚେତନ ସଦସ୍ୟା ସମ୍ମାନ ଓ ସଲୋନୀ ଦାଶଙ୍କୁ ସକ୍ରିୟ ସଦସ୍ୟା ସମ୍ମାନରେ ଅତିଥିଗଣ ସମ୍ମାନିତ କରିଥିଲେ। ପରିଶେଷରେ ରାଧାରାଣୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୁବି ମିଶ୍ର, ନିବେଦିତା ମିଶ୍ର, ରୀନୁ ପତି, ପଦ୍ମିନୀ ପ୍ରଧାନ, ଗୀତାଞ୍ଜଳି ପାଣିଗ୍ରାହୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *