ନୂଆପଡ଼ା ଜିଲ୍ଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନା ଛାତ୍ରଙ୍କ ସଫଳତା
ମୋବାଇଲ ଆପ “ସତର୍କ ସଙ୍କେତ” ଦୁର୍ଘଟଣା ରୋକିବା ସହିତ ଜିଲ୍ଲା ପାଇଁ ଗୌରବ ଆଣିଛି – ଜିଲ୍ଲାପାଳ
ନୂଆପଡା: ୦୫/୧୨ (ମଳୟ ମେହେର / ବିଜୟ ବରିହା) ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରିଂ ଲ୍ୟାବ (Atal Tinkering Lab) ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ନୂଆପଡ଼ା ଜିଲ୍ଲା ଦୃଷ୍ଟିଆକର୍ଷକ ସଫଳତା ହାସଲ କରିଛି। ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନାର ଛାତ୍ର — ସୁମିତ୍ ବାଗ, ସାଇ ସ୍ବରାଜ ପଣ୍ଡା ଓ କନ୍ହୟା ରାଉତ — “ସ୍ଥାନ ଆଧାରିତ ସତର୍କତା ଯନ୍ତ୍ର” (Location Based Alert System) ତିଆରି କରି ପୁରସ୍କୃତ ହୋଇଛନ୍ତି । ଶିକ୍ଷକ ଦେବରାଜ ଧିଣ୍ଡା ଓ ବିପ୍ଳବ ବାଗଙ୍କ ତତ୍ତ୍ୱାବଧାନ ଏବଂ ପ୍ରଧାନଶିକ୍ଷକ ଶଶିପାତ୍ର ତାଣ୍ଡିଙ୍କ ନେତୃତ୍ୱରେ ଛାତ୍ରମାନେ ଏହି ପ୍ରକଳ୍ପ ଉନ୍ନତ କରିଥିଲେ । ପ୍ରତିଦିନ ଯାତାୟାତ କରୁଥିବା ଚାଳକମାନଙ୍କ ପାଇଁ ଦୁର୍ଘଟଣା ପ୍ରବଣ ସ୍ଥାନମାନଙ୍କରେ ପୂର୍ବ ସତର୍କତା ସୂଚନା ଦେଇ ଏହି ଯନ୍ତ୍ର ମହତ୍ଵପୂର୍ଣ୍ଣ ଭୂମିକା ପାଳନ କରିପାରିବ । ଛାତ୍ରମାନେ ଏଥିପାଇଁ “ସତର୍କ ସଙ୍କେତ” ନାମକ ଏକ ମୋବାଇଲ ଆପ ତିଆରି କରିଛନ୍ତି । ଯେତେବେଳେ ଚାଳକ ଦୁର୍ଘଟଣା ପ୍ରବଣ ସ୍ଥାନକୁ ପହଞ୍ଚୁଥାନ୍ତି, ଆପ୍ ଯନ୍ତ୍ରକୁ ମେସେଜ ପଠାଇ ସାଉଣ୍ଡ ସିଗ୍ନାଲ୍ ଦେଇ ଚାଳକଙ୍କୁ ସତର୍କ କରାଏ । ଏହା ଦୁର୍ଘଟଣା ରୋକିବାରେ ସହାୟକ ହେବାକୁ ସମ୍ଭାବନାମୟ । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଏହି ନବୀନ ପ୍ରକଳ୍ପ ଦ୍ୱିତୀୟ ପୁରସ୍କାର ଅଜ୍ଞାତ କରି ନୂଆପଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି ।ଏହି ସଫଳତା ପାଇଁ ନୂଆପଡ଼ା ଡିଇଓ ପ୍ରଶାନ୍ତ କୁମାର ମହାନ୍ତି, ଏଡିଇଓ ରେଶମ ଲାଲ ନାୟକ ଏବଂ ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସାହା ଛାତ୍ର ଓ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜିଲ୍ଲାପାଳ ମଧୁସୂଦନ ଦାଶ ମଧ୍ୟ ଏହି ସଫଳତାକୁ ଜିଲ୍ଲାର ପାଇଁ ଗୌରବମୟ ବୋଲି କହି, ଛାତ୍ରଗଣ, ଶିକ୍ଷକବୃନ୍ଦ, ବିଦ୍ୟାଳୟ ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷା ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ।