ତିଖାଲି ଡ୍ୟାମ ମଞ୍ଚରେ ସାଂସ୍କୃତିକ ଝଲକ : ଦ୍ୱିତୀୟ ସନ୍ଧ୍ୟାରେ ମନ ମୋହିଲେ କଳାକାର
ନୂଆପଡା, ୧୪/୦୩ (କଳିଙ୍ଗ ଫୋକସ): କଶ୍ୟପ ଜଗତ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଜଳେଶ୍ୱର ମନ୍ଦିର ପଡ଼ିଆ ପରିସରରେ ପ୍ରଥମ ଥର ପାଇଁ ଆୟୋଜିତ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସର ପରିବେଶ ସୃଷ୍ଟି କରିଥିଲା । ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ତଥା ମହୋତ୍ସବର ସଭାପତି ଗୌତମ ତାଣ୍ଡିଙ୍କ ପ୍ରତ୍ୟକ୍ଷ ପରିଚାଳନା ଓ କମିଟିର ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବ ଅଞ୍ଚଳରେ ଲୋକକଳା ଓ ସଂସ୍କୃତିର ଏକ ନୂଆ ଅଧ୍ୟାୟ ରଚିଛି । ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ କାର୍ଯ୍ୟକ୍ରମକୁ ମହୋତ୍ସବର ଉପସଭାପତି ରମେଶ କୁମାର ଠାକୁର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଏନଏସି ଚେୟାରମ୍ୟାନ ଉଜ୍ଜଳ ଉତ୍କଳ ଗୁପ୍ତା ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ପ୍ରାଧ୍ୟାପକ ସାମୁଏଲ ଦାନୀ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି କୋମନା ଚେୟାରମ୍ୟାନ ଅନୁସାୟ କୁମ୍ଭାର, ସିନାପାଲି ବିଡିଓ କର୍ମୀ ଓରାମ ଓ ଖଡ଼ିଆଳ ଏନଏସି ଇଓ ସ୍ୱାଧୀନ କେତନ ମହାରଣା ଉପସ୍ଥିତ ରହିଥିଲେ । ଅତିଥିମାନେ ନିଜ ଉଦ୍ବୋଧନରେ କହିଥିଲେ ଯେ, ତିଖାଲି ଡ୍ୟାମ ଅଞ୍ଚଳର ଲୋକକଳା, ଲୋକସାହିତ୍ୟ ଓ ପାରମ୍ପରିକ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଏହି ମହୋତ୍ସବର ପରିକଳ୍ପନା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ଆନନ୍ଦଦାୟକ ପଦକ୍ଷେପ । ଏହା ଅଞ୍ଚଳର ସାହିତ୍ୟ, ସଂସ୍କୃତି ଓ କଳାକୁ ଆଗକୁ ନେବାରେ ଏକ ମାଇଲସ୍ଟୋନ୍ ସାବିତ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସରକାରୀ ଉଚ୍ଚ ବିଦ୍ୟାଳୟ ଘରଧରାର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପ୍ରସ୍ତୁତ କରିଥିଲେ । ମହୋତ୍ସବର ଉପଦେଷ୍ଟା ପୁସୁରାମ ତାଣ୍ଡି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଶିଷ୍ଟ କଳାକାର ବିଭୂତି ଭୂଷଣ ବିଶି ଧନ୍ୟବାଦ ଜ୍ଞାପନ କରିଥିଲେ । ଅଧ୍ୟାପକ ଥବିର ଦୀପ ଘୋଷକ ଭାବେ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ । ସଭା ପରେ ଆୟୋଜିତ ସାଂସ୍କୃତିକ ଅନୁଷ୍ଠାନ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଦେଇଥିଲା । ଖଡ଼ିଆଳ ଲିଟିଲ୍ ଷ୍ଟାର ପବ୍ଲିକ ସ୍କୁଲର ଓଡ଼ିଶୀ ନୃତ୍ୟ, ଖଡ଼ିଆଳ ମହାତ୍ମା ଗାନ୍ଧୀ ବିଜ୍ଞାନ ଯୁକ୍ତ ଦୁଇ କଲେଜର ବଜାସାଲ, ନଟରାଜ ଡ୍ୟାନ୍ସ ଏକାଡେମୀ କଟକର ମୟୂରୀ ନୃତ୍ୟ, ବୋଡ଼େନ ଧୋବେଇ ଉଚ୍ଚ ବିଦ୍ୟାଳୟର ଆଦିବାସୀ ଲୋକନୃତ୍ୟ, ବରଗଡ଼ର ହୀରାଖଣ୍ଡ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶୀ, ରାୟଗଡ଼ାର ପିଡିଶୀ ଡ୍ୟାନ୍ସ ଗ୍ରୁପର ଢେମସା ନୃତ୍ୟ, ଖଡ଼ିଆଳ ଜୟ ମାତାଦୀ ସାଂସ୍କୃତିକ ଅନୁଷ୍ଠାନର ବଜାସାଲ, ନୂଆପଡ଼ା ନଟରାଜ ଡ୍ୟାନ୍ସ ଏକାଡେମୀର ଓଡ଼ିଶୀ ନୃତ୍ୟ ଓ ପଦ୍ମପୁରର ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟର ନୂଆଖାଇ ନୃତ୍ୟ ଦର୍ଶକଙ୍କ ମନକୁ ମୋହିତ କରିଥିଲା । ସେହିପରି ଝୋଳପଥର, ଘରଧରା, ଧରମସାଗର, ଚାନ୍ଦୋପଲା, ପୋଡ଼ାପାଲି, ତିଖାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୋମନା ଓ ବିଘ୍ନରାଜ ହାଇସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ପ୍ରସ୍ତୁତ କରି ମଞ୍ଚକୁ ରଙ୍ଗିନ କରିଦେଇଥିଲେ । ଏହି ମହୋତ୍ସବକୁ ସଫଳ କରିବାରେ କମିଟିର ଉପସଭାପତି ଦଶରଥ ବେହେରା ଓ ଶ୍ୟାମ ସୁନ୍ଦର କୁଲଦୀପ, ସାଧାରଣ ସମ୍ପାଦକ ପରମେଶ୍ୱର ବାରିକ, ସହ ସମ୍ପାଦକ ନବୀନ ହେର୍ଣା, ହେରାମ୍ବ ଶବର, ନରେଶ ମହାରଥା, କୋଷାଧ୍ୟକ୍ଷ ବାପିନା ସାହୁ, ଉପକୋଷାଧ୍ୟକ୍ଷ ଥମିର ମଙ୍ଗରାଜ ସହ ଅନ୍ୟାନ୍ୟ ସଦସ୍ୟମାନେ ଅନେକ ପରିଶ୍ରମ କରିଥିଲେ । ଉପଦେଷ୍ଟା କୁନୁ କରୁଆଁ, ପୂର୍ଣ୍ଣଚନ୍ଦ୍ର ବେହେରା, ପୁସୁରାମ ତାଣ୍ଡି, ମୁନିରାମ ବେହେରା ସହିତ ସଂଗଠକ ଓ ସଦସ୍ୟମାନଙ୍କ ସହଯୋଗରେ ମହୋତ୍ସବ ଆହୁରି ସଫଳ ହୋଇଥିଲା । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଆୟୋଜିତ ଏହି ବିବିଧ ସାଂସ୍କୃତିକ ଆୟୋଜନ ଦର୍ଶକମାନଙ୍କୁ ମନୋରଞ୍ଜନ ସହ ଓଡ଼ିଆ ପାରମ୍ପରିକ ସଂସ୍କୃତିର ଅନୁଭୂତି ଦେଇଥିଲା ।