ସିନାପାଲିରେ ମୌଳିକ ସମସ୍ୟାର ଜଟିଳ ଚିତ୍ର:ପାଣି ପାଇଁ ସଂଘର୍ଷ, ଡ୍ରେନେଜ ଅବ୍ୟବସ୍ଥା, ମରଣଯନ୍ତା ରାସ୍ତା ଓ ଅନ୍ଧକାର ସହର
ସିନାପାଲି: ୨୮/୦୫ (କଳିଙ୍ଗ ଫୋକସ) ମଳୟ ମେହେର : ଗ୍ରୀଷ୍ମର ପ୍ରଚଣ୍ଡ ତାପ ସହ ସିନାପାଲି ରେ ଏବେ ମୌଳିକ ସମସ୍ୟାର ଚିତ୍ର ଦିନକୁ ଦିନ ଗଭୀର ହେବାରେ ଲାଗିଛି । ପାନୀୟ ଜଳ ସଂକଟ, ଡ୍ରେନେଜ ବ୍ୟବସ୍ଥାର ଅବ୍ୟବସ୍ଥା, ଭାଙ୍ଗିପଡିଥିବା ରାସ୍ତାଘାଟ, ବାରମ୍ବାର ବିଦ୍ୟୁତ କାଟ ଓ ଅଚଳ ଷ୍ଟ୍ରିଟ ଲାଇଟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଲୋକଙ୍କ ଅଭିଯୋଗ ଏକ, ସମସ୍ୟା ବଢୁଛି, କିନ୍ତୁ ସ୍ଥାୟୀ ସମାଧାନ ଆଜିବି ଅଧୁରା । ସବୁଠାରୁ ଅଧିକ ଚିନ୍ତାଜନକ ହୋଇପଡିଛି ଡ୍ରେନେଜ ସମସ୍ୟା । ସହରର ଅନେକ ସ୍ଥାନରେ ଡ୍ରେନ ଆବର୍ଜନାରେ ପୂର୍ଣ୍ଣ ହୋଇ ପାଣି ନିଷ୍କାସନ ବନ୍ଦ ହୋଇଯାଇଛି । ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତା ଉପରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ପ୍ରଶାସନ ପକ୍ଷରୁ ଡ୍ରେନ ସଫା କାମ ହେଉଥିଲେ ମଧ୍ୟ ଲୋକଙ୍କ ଅସଚେତନତା ଏହି ସମସ୍ୟାକୁ ପୁଣି ପୁରୁଣା ଅବସ୍ଥାକୁ ଫେରାଇ ଦେଉଛି । ପ୍ଲାଷ୍ଟିକ, ଘରୋଇ ଆବର୍ଜନା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଡ୍ରେନରେ ପକାଯାଉଥିବାରୁ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ଏଥିପାଇଁ ଲୋକଙ୍କୁ ସଚେତନ କରିବା ମଧ୍ୟ ନିହାତି ଜରୁରୀ l ଅନ୍ୟପଟେ ପାନୀୟ ଜଳ ସମସ୍ୟା ଲୋକଙ୍କ ଦୁଃଖକୁ ଆହୁରି ବଢାଇଦେଇଛି । ଉଦନ୍ତୀ ନଦୀରେ ଜଳସ୍ତର କମିଯାଇଥିବାରୁ ପଞ୍ଚାୟତ ପକ୍ଷରୁ ଚହଲା ଖନନ କରି ପାଣି ସଂଗ୍ରହ କରାଯାଉଛି । କିନ୍ତୁ ଏଭଳି ସଂକଟ ସମୟରେ ମଧ୍ୟ କେତେକ ଅଞ୍ଚଳରେ ଚାଷୀମାନେ ମୋଟର ଲଗାଇ ନଦୀରୁ ବ୍ୟାପକ ଭାବେ ପାଣି ଉଠାଇ ଚାଷ କରୁଥିବା ଅଭିଯୋଗ ହେଉଛି । ଜୀବିକା ପାଇଁ ଚାଷ ଆବଶ୍ୟକ ହେଲେ ମଧ୍ୟ ହଜାର ହଜାର ଲୋକଙ୍କ ପାନୀୟ ଜଳ ସମସ୍ୟାକୁ ଅଣଦେଖା କରି ଅନିୟନ୍ତ୍ରିତ ଭାବେ ପାଣି ବ୍ୟବହାରକୁ ସ୍ଥାନୀୟ ଲୋକ ଅନୁଚିତ ବୋଲି କହିଛନ୍ତି । ପାନୀୟ ଜଳ ଓ ଚାଷ ପାଇଁ ପୃଥକ ବ୍ୟବସ୍ଥା କରିବାକୁ ଦାବି ଜୋରଦାର ହେଉଛି । ସେହିପରି ରାସ୍ତାଘାଟର ଅବସ୍ଥା ମଧ୍ୟ ଦୟନୀୟ । ସିନାପାଲି ବ୍ଲକର ବିଭିନ୍ନ ସଡକ ଭାଙ୍ଗିଯାଇ ମରଣଯନ୍ତାର ରୂପ ନେଇଛି । ଯାତାୟାତ ସମୟରେ ଲୋକମାନେ ଦୁର୍ଘଟଣାର ଭୟ ନେଇ ଚାଲିବାକୁ ବାଧ୍ୟ ହେଉଛନ୍ତି । ବର୍ଷା ଋତୁ ଆସିଲେ ଏହି ସମସ୍ୟା ଆହୁରି ଭୟାବହ ହେବାର ଆଶଙ୍କା ରହିଛି । ବିଦ୍ୟୁତ ସମସ୍ୟା ମଧ୍ୟ ଲୋକଙ୍କ ଅସନ୍ତୋଷକୁ ଚରମ ସୀମାକୁ ନେଇଯାଇଛି । ସିନାପାଲି ସହର ସହ ଆଖପାଖ ଅଞ୍ଚଳର ଅଧିକାଂଶ ଷ୍ଟ୍ରିଟ ଲାଇଟ ଅଚଳ ହୋଇପଡିଥିବାରୁ ସନ୍ଧ୍ୟା ହେଲେ ସହର ଅନ୍ଧକାରରେ ଡୁବିଯାଉଛି । କେତେକ ସ୍ଥାନରେ ବକେୟା ବିଦ୍ୟୁତ ବିଲ ଯୋଗୁଁ ଷ୍ଟ୍ରିଟ ଲାଇଟ ସଂଯୋଗ ବିଚ୍ଛିନ୍ନ ହୋଇଥିବା ମଧ୍ୟ ଜଣାପଡିଛି । ଏହାସହ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାମାନ୍ୟ ପବନ କିମ୍ବା ଅନ୍ୟାନ୍ୟ ଛୋଟ କାରଣରେ ମଧ୍ୟ ବିଦ୍ୟୁତ ସରବରାହ ବନ୍ଦ ହେଉଥିବାରୁ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଯଥାଶୀଘ୍ର ପାନୀୟ ଜଳ, ଡ୍ରେନେଜ, ରାସ୍ତାଘାଟ ଓ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଢ ଏବଂ ପ୍ରାଭାବୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।