Header-News-Banner

ମାତୃଭାଷାର ମହାମନ୍ତ୍ରଦ୍ରଷ୍ଟା : ଅପହଞ୍ଚ ମାଟିରୁ ପଦ୍ମଶ୍ରୀ ପର୍ଯ୍ୟନ୍ତ ଡ଼. ମହେନ୍ଦ୍ର ମିଶ୍ର

0
WhatsApp Image 2026-05-28 at 7.27.19 PM

ବିଶେଷ ରିପୋର୍ଟ : ମଳୟ ମେହେର

ଯେଉଁ ମାଟିରେ ଜନଜାତିଙ୍କ ଗୀତ ହେଉଛି ଇତିହାସ, ଯେଉଁ ଅରଣ୍ୟର କାହାଣୀ ହେଉଛି ସଂସ୍କୃତିର ଜୀବନ୍ତ ଦସ୍ତାବିଜ୍‌, ସେହି ଅପହଞ୍ଚ ଇଲାକାରୁ ଉଠିଆସିଥିବା ଜଣେ ସାଧାରଣ ମଣିଷ ଆଜି ସାରା ଦେଶର ଗର୍ବର ପ୍ରତୀକ । ଜନଜାତିଙ୍କ ଭାଷା, ସାହିତ୍ୟ, ଲୋକପରମ୍ପରା ଓ ମାତୃଭାଷା ଶିକ୍ଷାକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ପ୍ରଖ୍ୟାତ ଶିକ୍ଷାବିତ୍‌, ଗବେଷକ ଓ ଲୋକସାହିତ୍ୟ ସଂରକ୍ଷକ ଡ଼. ମହେନ୍ଦ୍ର କୁମାର ମିଶ୍ରଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ-୨୦୨୬ ସମ୍ମାନ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ହସ୍ତରେ ଏହି ସମ୍ମାନ ଗ୍ରହଣ କରି ସେ କେବଳ ଓଡ଼ିଶା ନୁହେଁ, ସମଗ୍ର ଜନଜାତି ସମାଜର ମାନବିକ ସଂଘର୍ଷକୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ।

ନୂଆପଡ଼ା ଜିଲ୍ଲାର ସିନାପାଲି ଭଳି ଏକ ପଛୁଆ ଅଞ୍ଚଳରୁ ଉଠିଆସିଥିବା ଡ଼. ମିଶ୍ରଙ୍କ ଜୀବନ ହେଉଛି ସଂଘର୍ଷ, ସାଧନା ଓ ଆତ୍ମବଳର ଜ୍ୱଳନ୍ତ ଉଦାହରଣ । ୧୯୫୨ ଏପ୍ରିଲ ୧ ତାରିଖରେ ଜନ୍ମିତ ଡ଼. ମିଶ୍ର ଶୈଶବରୁ ଗ୍ରାମୀଣ ଓ ଜନଜାତି ଜୀବନ ସହ ଗଭୀର ସମ୍ପର୍କରେ ରହିଥିଲେ । ଶିକ୍ଷାଳୟରେ ମାତୃଭାଷାର ଅବହେଳା ଯୋଗୁଁ ଜନଜାତି ଶିଶୁମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଥିଲେ, ତାହା ତାଙ୍କ ମନକୁ ଗଭୀର ଭାବେ ଆଘାତ କରିଥିଲା । ସେଠାରୁ ଆରମ୍ଭ ହୋଇଥିଲା ତାଙ୍କର ଏକ ଅଦ୍ଭୁତ ଅଭିଯାନ, ମାତୃଭାଷା ମାଧ୍ୟମରେ ଶିକ୍ଷାର ଅଧିକାର ପାଇଁ ଲଢ଼େଇ ।

ପ୍ରାଥମିକ ଶିକ୍ଷକ ଭାବେ ନିଜ ଯାତ୍ରା ଆରମ୍ଭ କରି ପରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ସହ-ନିର୍ଦେଶକ ପଦ ପର୍ଯ୍ୟନ୍ତ ଅସୀମ ପରିଶ୍ରମରେ ପହଞ୍ଚିଥିଲେ ସେ । ୧୯୯୬ ରୁ ୨୦୧୦ ପର୍ଯ୍ୟନ୍ତ ଓଡ଼ିଶାରେ ବହୁଭାଷିକ ଶିକ୍ଷା (MLE) କାର୍ଯ୍ୟକ୍ରମର ରାଜ୍ୟ ସମନ୍ୱୟକ ଭାବେ କାର୍ଯ୍ୟ କରି ଜନଜାତି ଶିଶୁମାନଙ୍କ ପାଇଁ ନୂଆ ଶିକ୍ଷା ଦିଗ ଖୋଲିଥିଲେ । ଓଡ଼ିଶାର ୧୦ରୁ ଅଧିକ ଜନଜାତି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରି ସେ ପ୍ରମାଣ କରିଥିଲେ ଯେ ମାତୃଭାଷା ହେଉଛି ଶିକ୍ଷାର ସବୁଠାରୁ ଶକ୍ତିଶାଳୀ ଭିତ୍ତି ।

ଡ଼. ମିଶ୍ରଙ୍କ ଚିନ୍ତାଧାରା କେବଳ ଶିକ୍ଷାରେ ସୀମିତ ରହିନଥିଲା । ସେ ଗ୍ରାମ, ଜନଜାତି, ଲୋକସଂସ୍କୃତି ଓ ଶିକ୍ଷାକୁ ଏକ ସୂତ୍ରରେ ବାନ୍ଧିଥିଲେ । ସ୍କୁଲ ଶିକ୍ଷା ସହ ଲୋକଗୀତ, ପରମ୍ପରା, ଗାଥା, ନୃତ୍ୟ ଓ ଅନୁଭବକୁ ଯୋଡ଼ି ସେ “ସ୍କୁଲ-କମ୍ୟୁନିଟି ଲିଙ୍କେଜ୍”ର ଏକ ଅଭିନବ ମଡେଲ ତିଆରି କରିଥିଲେ । ଆଜି ଦେଶର ନୂତନ ଜାତୀୟ ଶିକ୍ଷାନୀତି (NEP-2020)ରେ ଯେଉଁ ମାତୃଭାଷା ଆଧାରିତ ଶିକ୍ଷାର ଗୁରୁତ୍ୱ ଦିଆଯାଇଛି, ତାହାର ମୂଳରେ ଡ଼. ମିଶ୍ରଙ୍କ ଦୂରଦୃଷ୍ଟି ସ୍ପଷ୍ଟ ଭାବେ ଦେଖିବାକୁ ମିଳେ ।

ଜଣେ ଗବେଷକ ଭାବେ ମଧ୍ୟ ତାଙ୍କ ଅବଦାନ ଅସାଧାରଣ । ଜନଜାତି ସମାଜର ଲୋକଗାଥା, ପ୍ରବଚନ, ମିଥ, ପୁରାଣ ଓ ଲୋକଗୀତକୁ ସଂଗ୍ରହ କରି ସେ ଅମୂଲ୍ୟ ସାହିତ୍ୟ ଦସ୍ତାବିଜ୍‌ ସୃଷ୍ଟି କରିଛନ୍ତି । “କଳାହାଣ୍ଡିର ଲୋକସଂସ୍କୃତି”, “ଓରାଲ ଏପିକ୍ସ ଅଫ୍ କଳାହାଣ୍ଡି”, “ସାଉରା ଟେଲ୍ସ ଆଣ୍ଡ ସଙ୍ଗ୍ସ” ପରି ତାଙ୍କ ଗ୍ରନ୍ଥଗୁଡ଼ିକ ଲୋକସାହିତ୍ୟ ଗବେଷଣାରେ ମାଇଲଖୁଣ୍ଟ ସାବିତ ହୋଇଛି । ଫିନ୍ଲ୍ୟାଣ୍ଡର ଜାତୀୟ ମହାକାବ୍ୟ “କାଲେଭାଲା”କୁ ଓଡ଼ିଆରେ ଅନୁବାଦ କରି ସେ ଓଡ଼ିଆ ସାହିତ୍ୟକୁ ଆନ୍ତର୍ଜାତିକ ପରିସରକୁ ନେଇଥିଲେ ।

ସେ କେବଳ ଗବେଷକ ନୁହେଁ, ଜନଜାତି ଭାଷାର ଜୀବନ୍ତ ଅଭିଭାବକ । “ଲୋକରତ୍ନ” ପତ୍ରିକାର ସମ୍ପାଦନା ସହିତ ଫୋକଲୋର ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ଭାବେ ସେ ଦୀର୍ଘଦିନ ଧରି ଲୋକସାହିତ୍ୟ ଓ ମୌଖିକ ପରମ୍ପରାର ସୁରକ୍ଷା ପାଇଁ କାମ କରୁଛନ୍ତି ।

ତାଙ୍କ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୯୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯ରେ ମଧ୍ୟପ୍ରଦେଶ ସରକାରଙ୍କ “ବୀରଶଙ୍କର ରଘୁନାଥ ସାହା ପୁରସ୍କାର”, ୨୦୨୩ରେ ୟୁନେସ୍କୋର “ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର” ତାଙ୍କ ସଫଳତାର ଦୀପ୍ତ ସାକ୍ଷୀ । ୟୁନେସ୍କୋ ପକ୍ଷରୁ ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ଗବେଷକ ଭାବେ ସେ ନୂତନ ଇତିହାସ ରଚିଥିଲେ ।

ଆଜି ୭୩ ବର୍ଷ ବୟସରେ ମଧ୍ୟ ଡ଼. ମହେନ୍ଦ୍ର ମିଶ୍ର ନିରନ୍ତର କାର୍ଯ୍ୟରତ। ଭାଷା ଓ ଶିକ୍ଷାର ମାଧ୍ୟମରେ ସମାଜର ପଛୁଆ ମଣିଷଙ୍କୁ ମୁଖ୍ୟ ସ୍ରୋତରେ ଆଣିବାର ତାଙ୍କ ଅଭିଯାନ ଅବିରତ ଚାଲିଛି । ତାଙ୍କ ଜୀବନ ଆମକୁ ଶିଖାଏ, ସଫଳତା କୌଣସି ସୁବିଧାର ଫଳ ନୁହେଁ, ଏହା ହେଉଛି ଅଦମ୍ୟ ଇଚ୍ଛାଶକ୍ତି, ପରିଶ୍ରମ ଓ ଆତ୍ମବିଶ୍ୱାସର ପରିଣାମ ।

ଡ଼. ମହେନ୍ଦ୍ର ମିଶ୍ରଙ୍କ ପଦ୍ମଶ୍ରୀ ସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କ ସଫଳତା ନୁହେଁ; ଏହା ହେଉଛି ଜନଜାତି ଭାଷା, ମାତୃଭାଷା ଶିକ୍ଷା ଓ ଲୋକସଂସ୍କୃତିର ଗୌରବର ଜାତୀୟ ସ୍ୱୀକୃତି । ଅପହଞ୍ଚ ଇଲାକାର ଏହି ‘ପଦ୍ମ’ ଆଜି ସାରା ଦେଶ ପାଇଁ ପ୍ରେରଣାର ପ୍ରତୀକ ।

Spread the love

Leave a Reply

Your email address will not be published. Required fields are marked *