‘SUP ମୁକ୍ତ ନୂଆପଡ଼ା’କୁ ବର୍ଷେ: ଜନଆନ୍ଦୋଳନରେ ପରିଣତ ପ୍ଲାଷ୍ଟିକ୍ ବିରୋଧୀ ଅଭିଯାନ
ନୂଆପଡ଼ା, ୦୪/୦୬ (କଳିଙ୍ଗ ଫୋକସ) ବିଜୟ ବରିହା/ ମଳୟ ମେହେର: ଏକ ବର୍ଷ ତଳେ ସ୍ୱଚ୍ଛ ଓ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଢ଼ିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ (SUP) ମୁକ୍ତ ନୂଆପଡ଼ା’ ଅଭିଯାନ ଆଜି ସଫଳତାର ଏକ ନୂଆ ଅଧ୍ୟାୟ ରଚିଛି। ଜୁନ୍ ୫, ୨୦୨୫ରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ କେବଳ ପ୍ରଶାସନିକ କାର୍ଯ୍ୟକ୍ରମ ନୁହେଁ, ବରଂ ଜନଆନ୍ଦୋଳନର ରୂପ ନେଇ ରାଜ୍ୟ ପାଇଁ ଏକ ଆଦର୍ଶ ମଡେଲ୍ ଭାବେ ଉଭା ହୋଇଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳରେ ୩,୫୯୫ଟି ସଚେତନତା କାର୍ଯ୍ୟକ୍ରମ ଏବଂ ୭,୪୧୯ଟି ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଛି । ଏହି ସମୟରେ ୩୦ ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ହୋଇଥିବା ବେଳେ ୪ ଟନ୍ରୁ ଅଧିକ ନିଷିଦ୍ଧ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୪.୩୬ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ଅଭିଯାନର ସବୁଠାରୁ ବଡ଼ ସଫଳତା ହେଉଛି ଲୋକଙ୍କ ଚିନ୍ତାଧାରାରେ ଆସିଥିବା ପରିବର୍ତ୍ତନ । ପ୍ଲାଷ୍ଟିକ୍ ବ୍ୟାଗ୍ ଓ ଏକକ ବ୍ୟବହାର ସାମଗ୍ରୀ ପ୍ରତି ନିର୍ଭରଶୀଳତା କମିଥିବା ବେଳେ କପଡ଼ା ଓ କାଗଜ ବ୍ୟାଗ୍ ଭଳି ପରିବେଶବନ୍ଧବ ବିକଳ୍ପର ବ୍ୟବହାର ବୃଦ୍ଧି ପାଇଛି । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ ରହିଛି । ଗ୍ରାମାଞ୍ଚଳରେ ଅଭିଯାନକୁ ସୁଦୃଢ଼ କରିବା ପାଇଁ ୧୩୧ ଜଣ ସ୍ୱଚ୍ଛତା ଦୂତ, ୧୪ ଜଣ ସ୍ୱଚ୍ଛତା ମିତ୍ର ଏବଂ ୩୦୯ ଜଣ ସ୍ୱଚ୍ଛତା କର୍ମୀଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କର ନିରନ୍ତର ପ୍ରୟାସ ଯୋଗୁଁ ପରିବେଶ ସୁରକ୍ଷା ଏକ ସାମୂହିକ ଦାୟିତ୍ୱରେ ପରିଣତ ହୋଇଛି । ଅଭିଯାନର ଅନ୍ୟତମ ଆକର୍ଷଣ ହେଉଛି ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ଓ ଏନ୍ଏସି ୱାର୍ଡରେ ସ୍ଥାପିତ ‘ବର୍ତ୍ତନ ବ୍ୟାଙ୍କ’। ବିବାହ, ଭୋଜି ଓ ସାମାଜିକ କାର୍ଯ୍ୟକ୍ରମରେ ପୁନଃବ୍ୟବହାରଯୋଗ୍ୟ ବାସନପତ୍ର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଏହା ଏକକ ବ୍ୟବହାର ପ୍ଲାଷ୍ଟିକ୍ର ଉପଯୁକ୍ତ ବିକଳ୍ପ ସାଜିଛି । ଏହାସହ ନୂଆପଡ଼ା ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କଠିନ ବର୍ଜ୍ୟବସ୍ତୁ ପରିଚାଳନା (SWM) ନିୟମ-୨୦୨୬କୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି । ଜିଲ୍ଲାପାଳ ମଧୁସୂଦନ ଦାଶ କହିଛନ୍ତି, “ଏହା କେବଳ ଏକ ଅଭିଯାନ ନୁହେଁ, ଲୋକଙ୍କ ଆନ୍ଦୋଳନ। ନୂଆପଡ଼ାବାସୀଙ୍କ ସହଯୋଗ ଓ ସଚେତନତା ହିଁ ଏହାର ସଫଳତାର ମୂଳ ଶକ୍ତି । ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ‘SUP ମୁକ୍ତ ନୂଆପଡ଼ା’ ପ୍ରମାଣ କରିଛି ଯେ ପ୍ରଶାସନର ଦୂରଦୃଷ୍ଟି, ଦୃଢ଼ ନେତୃତ୍ୱ ଓ ଜନସହଭାଗିତା ଏକାଠି ହେଲେ ସ୍ଥାୟୀ ପରିବର୍ତ୍ତନ ସମ୍ଭବ । ଆଜି ନୂଆପଡ଼ା ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ଭବିଷ୍ୟତ ଦିଗରେ ଦୃଢ଼ ପଦକ୍ଷେପ ନେଇଛି ।