Header-News-Banner

ସିନାପାଲି ପିଏମଶ୍ରୀ ହାଇସ୍କୁଲକୁ ମିଳିଲା ନୂତନ ନେତୃତ୍ୱ: ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେରଙ୍କୁ ଭବ୍ୟ ସ୍ୱାଗତ

0
WhatsApp Image 2026-06-04 at 6.11.47 PM (2)

ସିନାପାଲି, ୦୪/୦୬ (କଳିଙ୍ଗ ଫୋକସ) ମଳୟ ମେହେର: ଶିକ୍ଷା ହେଉଛି ସମାଜ ଗଠନର ମୂଳଦୁଆର, ଆଉ ଜଣେ ଦକ୍ଷ ଶିକ୍ଷକଙ୍କ ନେତୃତ୍ୱ ଶିକ୍ଷାନୁଷ୍ଠାନକୁ ନୂଆ ଦିଗନ୍ତରେ ପହଞ୍ଚାଇଥାଏ । ଏହି ଆଶା ଓ ଆସ୍ଥାକୁ ନେଇ ନୂଆପଡ଼ା ଜିଲ୍ଲାର ସିନାପାଲି ସ୍ଥିତ ପିଏମଶ୍ରୀ ହାଇସ୍କୁଲରେ ନବନିଯୁକ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେରଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ, ସ୍କୁଲ ପରିଚାଳନା କମିଟି ଓ କର୍ମଚାରୀମାନଙ୍କ ପକ୍ଷରୁ ଆନ୍ତରିକ ଓ ଭବ୍ୟ ସ୍ୱାଗତ ଜଣାଯାଇଛି ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ୱାଗତ ସଭା ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା । ଉପସ୍ଥିତ ଅତିଥିମାନେ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରି ଶ୍ରୀ ମେହେରଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାଳୟର ଗୌରବମୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀରାମ ମେହେର, ପ୍ରଜେଶ ପାଣିଗ୍ରାହୀ, ସମାଜସେବୀ ଶଶିଭୂଷଣ ମାଝୀ, ଅରିଗଞ୍ଜନ ଯୋଷୀ, ଯୁବନେତା ମନିଷ ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ସଭାରେ ଯୋଗଦେଇ ନବନିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ଅଭିଜ୍ଞତା ଓ ଦୂରଦୃଷ୍ଟି ବିଦ୍ୟାଳୟର ବିକାଶ ଯାତ୍ରାକୁ ନୂତନ ଗତି ପ୍ରଦାନ କରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଦୀର୍ଘ ସମୟ ପରେ ବିଦ୍ୟାଳୟକୁ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ମିଳିଥିବାରୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଳରେ ଉତ୍ସାହ ଓ ଆନନ୍ଦର ଲହରୀ ଦେଖିବାକୁ ମିଳିଥିଲା ।

ନିଜ ଅଭିଭାଷଣରେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର ସମସ୍ତଙ୍କ ସହଯୋଗ କାମନା କରି କହିଥିଲେ ଯେ, ବିଦ୍ୟାଳୟର ଶୈକ୍ଷିକ ମାନ, ଅନୁଶାସନ ଓ ସର୍ବାଙ୍ଗୀନ ବିକାଶ ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ । ତାଙ୍କ ନେତୃତ୍ୱରେ ବିଦ୍ୟାଳୟ ନୂତନ ସଫଳତାର ଶିଖର ଛୁଇଁବ ବୋଲି ଉପସ୍ଥିତ ମହଳ ଆଶା ପ୍ରକାଶ କରିଥିଲେ ।

ସ୍କୁଲ ପରିଚାଳନା କମିଟିର ସଭାପତି ଯତୀନ୍ଦ୍ର ଦାସଙ୍କ ସମେତ ବହୁ ଶିକ୍ଷକ, କର୍ମଚାରୀ ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ସଭାରେ ଉପସ୍ଥିତ ଥିଲେ । ଶେଷରେ ମହେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ନୂତନ ନେତୃତ୍ୱ, ନୂଆ ଆଶା ଓ ନୂଆ ସ୍ୱପ୍ନ ସହ ସିନାପାଲି ପିଏମଶ୍ରୀ ହାଇସ୍କୁଲ ଏବେ ଆଗାମୀ ଦିନର ସଫଳତାର ନୂଆ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ ।

Spread the love

Leave a Reply

Your email address will not be published. Required fields are marked *