କାକଟପୁର ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କଲେ ବଂଶୀଧର ମଲ୍ଲିକ: ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ମଧ୍ୟାହ୍ନ ଭୋଜନ ଉପରେ ଗୁରୁତ୍ୱ !
କାକଟପୁର:(୦୮/୦୮) କାକଟପୁର ବ୍ଲକ୍ ସମଗ୍ର ଶିକ୍ଷା ବିଭାଗ ଅଧୀନସ୍ଥ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଭାବେ ଅତିରିକ୍ତ ଶିକ୍ଷାଧିକାରୀ ବଂଶୀଧର ମଲ୍ଲିକଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ନମ୍ବର-୪୧୧୫ ଜରିଆରେ ଏକ ଆଧିକାରିକ ନିର୍ଦ୍ଦେଶନାମା ଜାରି ହେବା ପରେ ଶ୍ରୀ ମଲ୍ଲିକ ଏହି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି।
ଶ୍ରୀ ମଲ୍ଲିକଙ୍କ ଦୀର୍ଘ ଦିନର ପ୍ରଶାସନିକ ଅଭିଜ୍ଞତା, କାର୍ଯ୍ୟଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଏହି ବଡ଼ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ନିଯୁକ୍ତିକୁ ସ୍ଥାନୀୟ ଶିକ୍ଷା ମହଲରେ ବ୍ୟାପକ ସ୍ୱାଗତ କରାଯାଇଛି।ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ମଲ୍ଲିକ କହିଛନ୍ତି ଯେ, କାକଟପୁର ଅଞ୍ଚଳରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ବିକାଶ, ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି, ପ୍ରତ୍ୟେକ ଦିନ ପିଲା ମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନା ସୁପରିଚାଳନା ଏବଂ ସରକାରଙ୍କ ‘ସମଗ୍ର ଶିକ୍ଷା’ କାର୍ଯ୍ୟକ୍ରମର ସଫଳ ରୂପାୟନ ତାଙ୍କର ମୁଖ୍ୟ ପ୍ରାଥମିକତା ହେବ। ଶ୍ରୀ ମଲ୍ଲିକଙ୍କ ପରି ଜଣେ ଅଭିଜ୍ଞ ଅଧିକାରୀ ଏହି ଦାୟିତ୍ୱ ନେବା ଫଳରେ କାକଟପୁର ବ୍ଲକ୍ର ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼, ଶୃଙ୍ଖଳିତ ଓ କ୍ରିୟାଶୀଳ ହୋଇପାରିବ ବୋଲି ଅଞ୍ଚଳର ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଶିକ୍ଷକ ମହଲରେ ଦୃଢ଼ ଆଶା ପ୍ରକାଶ ପାଇଛି।