Header-News-Banner

ରେଡିଓ ସ୍ୱରସଙ୍ଗମର ଅଭିନବ ପ୍ରୟାସ: ସିନାପାଲିରେ ଗୀତ-ନୃତ୍ୟର ଆସର, ଉଜ୍ଜ୍ୱଳ ହେଲା ଛାତ୍ରଛାତ୍ରୀଙ୍କ ପ୍ରତିଭା

0
a5ae393e-36f4-487d-8d20-e35b4984bac4

ସିନାପାଲି, ୦୯/୦୮ (କଳିଙ୍ଗ ଫୋକସ) ମଳୟ ମେହେର: ସ୍ୱରରେ ଦେଶପ୍ରେମ, ନୃତ୍ୟରେ ଓଡ଼ିଆ ସଂସ୍କୃତି ଓ ମଞ୍ଚରେ ଶିଶୁ ପ୍ରତିଭାର ଝଲକ। ସ୍ୱାଧୀନତା ଦିବସ ପାଳନକୁ ଆଖିଆଗରେ ରଖି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ଭାଇଚାରା ଓ ଅନ୍ତର୍ଧର୍ମୀୟ ସହଭାଗିତାର ବାର୍ତ୍ତା ନେଇ ସିନାପାଲିରେ ଅନୁଷ୍ଠିତ ହୋଇଛି ଏକ ଆକର୍ଷଣୀୟ ବ୍ଲକସ୍ତରୀୟ ଗୀତ ଓ ନୃତ୍ୟ ପ୍ରତିଯୋଗିତା।

ନୂଆପଡ଼ା ଜିଲ୍ଲା ସିନାପାଲିସ୍ଥିତ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସ୍ୱରସଙ୍ଗମ କଳାପରିଷଦ ତଥା ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସ୍ୱରସଙ୍ଗମ ୯୦.୮ ଏଫ୍‌ଏମ୍‌ ପକ୍ଷରୁ ରବିବାର ସ୍ଥାନୀୟ ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସିନାପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଉଦ୍‌ଘାଟନୀ ସଭାରେ ସ୍ୱରସଙ୍ଗମ କଳାପରିଷଦର ସଭାପତି ତଥା ବେତାର କେନ୍ଦ୍ରର ନିର୍ଦ୍ଦେଶକ ତ୍ରିନାଥ ମେହେର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଏବିଡିଓ ସୁବ୍ରତ ପରିଡ଼ା, ସମ୍ମାନିତ ଅତିଥି ଭାବେ ସଙ୍ଗୀତଜ୍ଞ ଅଶୋକ ମିଶ୍ର, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର ଓ ପରିଷଦର ସମ୍ପାଦକ ବୈଷ୍ଣବ ମେହେର ଯୋଗଦେଇଥିଲେ। ପ୍ରାରମ୍ଭରେ ବେତାର କେନ୍ଦ୍ରର ପରିଚାଳକ ପ୍ରଦ୍ୟୁମ୍ନ ସିଂହ ଚିନ୍ଦା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଡିଟର ଲିଙ୍ଗରାଜ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ।

ଗୀତରେ ଝୁମିଲା ମଞ୍ଚ, ନୃତ୍ୟରେ ମନ ମୋହିଲେ ପ୍ରତିଯୋଗୀ

ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସଙ୍ଗୀତ ଓ ନୃତ୍ୟର ଚମତ୍କାର ପ୍ରତିଭା ପ୍ରଦର୍ଶନ କରିଥିଲେ। ଗୀତର ବରିଷ୍ଠ ବର୍ଗରେ ଦୋଳଗୋବିନ୍ଦ ବାଗ, ତେଜସ୍ୱନୀ ଧୀବର ଓ ଅର୍ଚ୍ଚିତା ମେହେର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ବେଳେ କନିଷ୍ଠ ବର୍ଗରେ କାଜଲ ଧାକଡ଼, ଦୀକ୍ଷିତା ବୈଠାରୁ ଓ ପ୍ରଲିପ୍ତା ପଣ୍ଡା ପ୍ରଥମ ତିନିଟି ସ୍ଥାନ ଅଧିକାର କରିଥିଲେ।

ସେହିପରି ନୃତ୍ୟର ବରିଷ୍ଠ ବର୍ଗରେ ବନ୍ଦନା କଟା, ମଲ୍ଲୀକା ପଟେଲ, ପ୍ରିୟଙ୍କା ମାଝୀ ଓ ଅନୁଶ୍ରୀ ଦଣ୍ଡସେନା ଏବଂ କନିଷ୍ଠ ବର୍ଗରେ ରୋଜାଲିନ ମେହେର, କରିସ୍ମା ମାଝୀ ଓ ଚନ୍ଦ୍ରକଳା ମଶ୍ରା ନିଜ ନିଜ ବର୍ଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ।

ପ୍ରତିଯୋଗିତାର ଗୀତ ବିଭାଗରେ ନିକୁଞ୍ଜ ବିହାରୀ ସା, ସନ୍ତୋଷ ନାଏକ, ବଂଶୀଧର ଜଗତ, ନମିତା ମେହେର ଓ ଜଳନ୍ଧର ନିଆଲ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ନୃତ୍ୟ ବିଭାଗରେ ଜିତେନ୍ଦ୍ର ମେହେର, ନେତ୍ରନନ୍ଦ ମହାନନ୍ଦ, ପ୍ରିନ୍ସ ବାଗ, ରୋହିଣୀ ମାଝୀ ଓ ହରିପ୍ରିୟା ବଛା ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ।

କୃତୀଙ୍କୁ ସମ୍ମାନ, ପ୍ରତିଭାଗୀଙ୍କୁ ପ୍ରୋତ୍ସାହନ

କାର୍ଯ୍ୟକ୍ରମ ଶେଷରେ ତ୍ରିନାଥ ମେହେରଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ସୁବ୍ରତ ପରିଡ଼ା, ସମ୍ମାନିତ ଅତିଥି ଅଶୋକ ମିଶ୍ର ଓ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସେହିପରି ପ୍ରତ୍ୟେକ ପ୍ରତିଭାଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ତାଙ୍କ ପ୍ରତିଭାକୁ ଉତ୍ସାହିତ କରାଯାଇଥିଲା। ଅତୁଳ ପାତ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଉଦନ୍ତୀ ୟୁଥ୍ କ୍ଲବ୍, କର୍ମାଦେବୀ ଯୁବକ ସଂଘ, ସଂକଳ୍ପ ସେବା ସଂଘ ଓ ସାମୂହିକ ନୂଆଁଖାଇ ଭେଟଘାଟ ପରିବାରର ସଦସ୍ୟମାନଙ୍କ ସମେତ ସତ୍ୟବ୍ରତ ଗହୀର, ସାନୁର୍ଯ୍ୟ ମେହେର, ଶିବପ୍ରସାଦ ମେହେର, ନରେନ୍ଦ୍ର ନାଏକ, ଲୋଚନ ମେହେର, ଦୀପକ ସା, ଗୌତମ ମେହେର, ପ୍ରେମାନନ୍ଦ ମେହେର, ତସ୍ମିନ ମେହେର ଓ ହରେକୃଷ୍ଣ ମେହେର ପ୍ରମୁଖ ସହଯୋଗ କରିଥିଲେ।

ସ୍ୱାଧୀନତା ଦିବସ ପୂର୍ବରୁ ଏଭଳି ଆୟୋଜନ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ଲୁକ୍କାୟିତ ପ୍ରତିଭାକୁ ମଞ୍ଚ ଦେବାରେ ଏକ ସୁନ୍ଦର ପ୍ରୟାସ ବୋଲି ଅଞ୍ଚଳରେ ପ୍ରଶଂସା ପାଇଛି।

Spread the love

Leave a Reply

Your email address will not be published. Required fields are marked *