ବଡଫୁର୍ଲା ନବ ନିର୍ମିତ ଅଲେଖ ମହିମା ମନ୍ଦିରରେ କଳସ ଯାତ୍ରା ସହ ସମ୍ପନ୍ନ ହେଲା ବିଶ୍ଵ ଶାନ୍ତି ଅଖଣ୍ଡ ବ୍ରହ୍ମ ଯଜ୍ଞ
କଳାହାଣ୍ଡି,ଧର୍ମଗଡ ଉପଖଣ୍ଡ ୦୩/୦୩: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା ,ଧର୍ମଗଡ ବ୍ଲକ୍, ବଡଫୁର୍ଲା ସ୍ଥିତ ନବ ନିର୍ମିତ ଅଲେଖ ମହିମା ମନ୍ଦିରରେ କଳସ ଯାତ୍ରା ସହ ସମ୍ପନ୍ନ ହୋଇଛି ବିଶ୍ୱ ଶାନ୍ତି ଅଖଣ୍ଡ ବ୍ରହ୍ମ ଯଜ୍ଞ। ନବ ନିର୍ମିତ ଅଲେଖ ମହିମା ମନ୍ଦିରର ତୃତୀୟ ବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଏହି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞରେ ବଡଫୁର୍ଲା ସମେତ ଅଞ୍ଚଳର ଶତାଧିକ ଧର୍ମ ପିପାସୁ ସାଧୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ଭଜନ ତଥା ସାଂସ୍କୃତିକ ଦଳ ସହ ପଡୋଶୀ ନବରଙ୍ଗପୁର ଜିଲ୍ଲାରୁ ମଧ୍ଯ ଦୁଇଟି ଭଜନ ଦଳ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠିତ ହୋଇଥିବା ଏହି ବ୍ରହ୍ମ ଯଜ୍ଞକୁ ପୂଜ୍ୟ ସାଧୁ ଗୌରାଙ୍ଗ ଚରଣ ବାବା, ମଣ୍ଟୁ ବାବା ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଉପସ୍ଥିତ ସାଧୁ ଓ ଭକ୍ତ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକତାର କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦାନ କରି ଅଲେଖ ମହିମା ପ୍ରଭୁଙ୍କ ଦର୍ଶନ ପୂର୍ବକ କୃପା ଭିକ୍ଷା କରିଥିଲେ।ସର୍ବ ପ୍ରଥମେ କଳସ ଯାତ୍ରା ପରେ ରାତ୍ରରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଥିଲା l ମହିମା ଧର୍ମ ପରମ୍ପରା ଅନୁଯାୟୀ ରାତି ସାରା ଆସିଥିବା ଭଜନ ତଥା ସାଂସ୍କୃତିକ ଦଳମାନେ ପ୍ରଭୁଙ୍କ ନାମ ଭଜନ କୀର୍ତ୍ତନ କରିଥିଲେ। ତା ଆର ଦିନ ବ୍ରାହ୍ମ ମୁହୂର୍ତ୍ତରେ ପଣା ପାଣି ଅର୍ପଣ ପୂର୍ବକ ପ୍ରସାଦ ସେବନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ବଡ଼ଫୁର୍ଲା ଅଲେଖ ମହିମା ମନ୍ଦିରର ବଡଭାଇ ବଳଭଦ୍ର ଦୁର୍ଗା, ଅଧିକାରୀ ଲାଲବାହାଦୁର ମଙ୍ଗରାଜ, ଟହଳିଆ ହେମନ୍ତ ପାଲ ସହ ବ୍ରହ୍ମ ଯଜ୍ଞ ପରିଚାଳନା କମିଟିର ସଭାପତି କୁଶଧ୍ଵଜ ପାଲ ,ସମ୍ପାଦକ ପ୍ରବୀଣ ମଙ୍ଗରାଜ, ସଦସ୍ୟ ରାଶିନ୍ଦ୍ର ମଙ୍ଗରାଜ, ବାମଦେବ ନାଗ, ପୃଥ୍ୱୀରାଜ ଚୌହାନ, ଅଭିରାମ ଦୁର୍ଗା, ହେମନ୍ତ ପାଲ, ପଦ୍ମ ନାଭ ଦୁର୍ଗା, ଧର୍ମାନନ୍ଦ ପାଲ , ହେମନ୍ତ ପାଲ, ଲକ୍ଷ୍ମୀ ପାଲ ସହ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।