ନଙ୍ଗଲବୋଡ ଆଶ୍ରମ ବିଦ୍ୟାଳୟରେ ଆଡମ୍ବରମୟ ବାର୍ଷିକ ଉତ୍ସବ
ସିନାପାଲି: ୦୩/୦୩ (କଳିଙ୍ଗ ଫୋକସ) ମଳୟ ମେହେର: ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲବୋଡ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଆଡମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଖଗେଶ୍ବର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ପୁର୍ବାହ୍ନ ୧୧ଟାରେ ସଭା ଆରମ୍ଭ ହୋଇଥିବାବେଳେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ତାଙ୍କ ଉଦ୍ବୋଧନରେ ଶିକ୍ଷାର ଗୁରୁତ୍ୱ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ କେତେ ଅପରିହାର୍ଯ୍ୟ ତାହା ଉଲ୍ଲେଖ କରିଥିଲେ ।ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ବିଭାଗର ଡି.ଆଇ. ଅଫ୍ ସ୍କୁଲ୍ସ ଶ୍ରୀ ଉଦୟ ସିଂ ମାଝୀ ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସଫଳତାକୁ ପ୍ରଶଂସା କରିଥିଲେ । ସହ ଶିକ୍ଷକ ସୁନିଲ ହେର୍ଣ୍ଣ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବାବେଳେ ସହ ଶିକ୍ଷକ ହରେକୃଷ୍ଣ ମେହେର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ଶିକ୍ଷା, କ୍ରୀଡା ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ, ଜେଡ଼ି ପି ସଦସ୍ୟ ପୁଷ୍ପାଞ୍ଜଳି ଗୁଆଲ, ସିନାପାଲି WEO ସୁନିଲ କୁମାର ସାମଲ, ନଙ୍ଗଲବୋଡ ସରପଞ୍ଚ ଜଗଦୀଶ ମାଝୀ, CRCC ଅରୁଣ କୁମାର ମେହେର, SMC ଅଧ୍ୟକ୍ଷ ହଳଧର ମାଝୀ, ଗିରିରାଜ ମାଝୀ ଓ ଖଇରପଦର ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଙ୍ଗା ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସନ୍ଧ୍ୟା ୪ଟାରୁ ଆରମ୍ଭ ହୋଇଥିବା ସାଂସ୍କୃତିକ ଅନୁଷ୍ଠାନରେ ଦେଶଭକ୍ତିମୟ ଗୀତ, ଲୋକନୃତ୍ୟ, ସଙ୍ଗୀତ ଓ “ମାଆର ମମତା” ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମକୁ ଉପସ୍ଥିତ ଅଭିଭାବକ ଓ ଅତିଥିମାନେ ଭୁରିଭୁରି ପ୍ରଶଂସା କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଶ୍ରୀ ଖଗେଶ୍ବର ମାଝୀ ଧନ୍ୟବାଦ ଜ୍ଞାପନ କରି ସଭାର ସମାପ୍ତି ଘୋଷଣା କରିଥିଲେ । ଏହି ବାର୍ଷିକ ଉତ୍ସବ ବିଦ୍ୟାଳୟର ଏକତା, ଶୃଙ୍ଖଳା ଓ ସୃଜନଶୀଳତାର ଉଜ୍ଜ୍ୱଳ ପ୍ରତିଛବି ପ୍ରଦର୍ଶନ କରିଥିଲା ।