ଉପାନ୍ତ ଦୁଇମାନ ଗ୍ରାମବାସୀଙ୍କୁ ନାଳ ପାଣି ଭରସା,ନାଳ ପାରି ହୋଇ ପାରୁନି ବିକାଶ,ରାସ୍ତା ଓ ବିଦ୍ୟୁତ ସାତ ସପନ |
ଝରିଗାଁ ତା08/03/2026-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ହେବା ପରେ ମଧ୍ୟ ଯଥେଷ୍ଟ ପାଣି ବାହାରୁ ନଥିବା ଯୋଗୁଁ ପାନୀୟ ଜଳ ସମସ୍ୟା ଦେଖା ଦେଉଥିବା ବେଳେ କିଛି ଗ୍ରାମରେ ପ୍ରଶାସନ ପକ୍ଷରୁ ଆଦୌ ନୂତନ ନଳକୂପ ଖନନ ହୋଇ ନଥିବା ଯୋଗୁଁ ଗ୍ରାମବାସୀ ଝରଣା ଓ ନାଳ ପାଣି ଉପରେ ନିର୍ଭର କରୁଛନ୍ତି।ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଦୁଇମାନ ଗ୍ରାମରେ ଏଭଳି ପାନୀୟ ଜଳ ସମସ୍ୟା ଦେଖାଦେଇଛି।ଦୁଇମାନ ଗ୍ରାମ ବାହାରକରମରି ଛକ ଠାରୁ ପ୍ରାୟ 4କିଲୋମିଟର ଭିତର କର୍ମରୀ ରାସ୍ତାରେ ଗଲେ ରାସ୍ତାର ଡାହାଣ ପାର୍ଶ୍ଵରେ ରହିଛି ଦୁଇମାନ ଗ୍ରାମ |ଗ୍ରାମଟି ଏକ ନାଳକୁ ପାର ହୋଇ ପ୍ରାୟ 1 ଶହ ମିଟର ଦୂରରେ ଅବସ୍ଥିତ।ଗ୍ରାମ ସ୍ଥାପନ ହୋଇ 20ବର୍ଷ ହେବ।ଗ୍ରାମରେ ପ୍ରାୟ 10 ପରିବାର ରହୁଛନ୍ତି।ଦୀର୍ଘ ବର୍ଷ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଟିଏ ଗ୍ରାମରେ ଖନନ ହୋଇ ନଥିବା ଗ୍ରାମବାସୀ କହିଛନ୍ତି।ଗ୍ରାମରେ ନଳକୂପ ନଥିବା ଯୋଗୁଁ ଦୁଇମାନ ଗ୍ରାମକୁ ଘେରି ବହି ଯାଉଥିବା କଚରା ନାଳର ପାଣି ଉପରେ ନିର୍ଭର କରୁଛନ୍ତି।ଅନ୍ୟ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ପାନୀୟ ଜଳ ସହ ଅନ୍ୟାନ୍ୟ କାମ ପାଇଁ ଏକ ମାତ୍ର ନାଳ ହିଁ ଭରସା।ନାଳ ପାଣି ବ୍ୟବହାର କରି ବେଳେ ବେଳେ ସ୍ୱାସ୍ଥ୍ୟ ଖରାପ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସେହିଭଳି ଭିତରକରମରି ଠାରୁ ଦୁଇମାନ ଗ୍ରାମ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ ହୋଇ ନାହିଁ।ଫଳରେ ବର୍ଷା ଦିନ ମାନଙ୍କରେ ଯାତାୟତରେ ସମସ୍ୟା ହେବା ସହ ନାଳରେ ବର୍ଷା ପାଣି ଅଧିକ ହେଲେ କିଛି ସମୟ ପାଇଁ ଗ୍ରାମବାସୀଙ୍କୁ ଜଳବନ୍ଦୀ ହେବା ପାଇଁ ପଡିଥାଏ। ସେହିଭଳି ଜଙ୍ଗଲ ପାହାଡ଼ ଘେରା ଦୁଇମାନ ଗ୍ରାମରେ ପାଞ୍ଚ ବର୍ଷ ତଳେ ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତିବା, ତାର ବିଛାଇବା ସହ ଟ୍ରାନ୍ସଫର୍ମର ଲଗାଯାଇଥିଲା।ତେବେ ବିଦ୍ୟୁତ ସଂଯୋଗ କାମ ବିଳମ୍ବ ଯୋଗୁଁ ଦୁଇଟି ଖୁଣ୍ଟ ଥିବା ବେଳେ ତାର ଓ ଟ୍ରାନ୍ସଫର୍ମର ଚୋରି ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ବିଦ୍ୟୁତ ସଂଯୋଗ ହୋଇ ନଥିବା ଯୋଗୁଁ ସନ୍ଧ୍ୟା ହେଲେ ଜଙ୍ଗଲ ଜନ୍ତୁ ଓ ସରୀସୃପ ପ୍ରାଣୀ ଭୟରେ ତାଟି କବାଟ ବନ୍ଦ କରିଦିଅନ୍ତି।ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମାନେ ଡିବିରି ଆଲୁଅ ଉପରେ ନିର୍ଭର କରୁଛନ୍ତି।ଗ୍ରାମର ବିଭିନ୍ନ ସମସ୍ୟା ନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମର ବାସବ ଭତରା, ଚନ୍ଦ୍ରା ଭତରା, କରଫୁଲ ଭତରା, ବନସିଂ ଭତରା, ଲଳିତା ଭତରା, ପଦ୍ମନୀ ଭତରା, ଧନ ମାଝୀ, ଡ଼ୁମେର ମାଝୀ, ଭଜନ ମାଝୀ, ଉସାବତୀ ମାଝୀ, ହରିବନ୍ଧୁ ଭତରା, ଲବାଏ ଭତରା ପ୍ରମୁଖ ଦାବି କରିଛନ୍ତି।ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।