ବୈପାରିଗୁଡା ଠାରେ ଐତିହାସିକ ବାଲିଯାତ୍ରା ପାଇଁ ବାଲି ଉଠାଣ ସହ ବିହନ ସଂଗ୍ରହ
ବୈପାରିଗୁଡା ତା:୨୩/୦୯/କଳିଙ୍ଗ ଫୋକସ:(ରିପୋର୍ଟ-ଶୁଭ ନାରାୟଣ ମହାନ୍ତି) କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ
ପାରମ୍ପରିକ କୃଷିଭିତ୍ତିକ ପର୍ବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ। କୋରାପୁଟ ଜିଲ୍ଲା ବୈପାରିଗୁଡାରେ ପାରମ୍ପରିକ କୃଷିଭିତ୍ତିକ ପର୍ବ ‘ବାଲିଯାତ୍ରା’ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଗଣେଶ ଚତୁର୍ଥୀର ନବମ ଦିନଠାରୁ ଏହି ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ ଏବଂ ଏହାର ନବମ ଦିନରେ ବାଲିଯାତ୍ରା ଆୟୋଜିତ ହୋଇଥାଏ।
ଚଳିତ ବର୍ଷ ନୂତନ ଭାବେ ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ପାଠାଗାର ପରିସରରେ ‘ବାଲି କୁଡ଼ିଆ’ ନିର୍ମାଣ କରାଯାଇଛି। ପରମ୍ପରା ଅନୁଯାୟୀ ଏହାକୁ ମା’ଙ୍କ ଅସ୍ଥାୟୀ ଘର ଭାବେ ବିବେଚନା କରାଯାଇଥାଏ। ପ୍ରଚଳିତ ପରମ୍ପରା ଅନୁଯାୟୀ, ମା’ଙ୍କ ଆଜ୍ଞାମାଳ ମିଳିବା ପରେ ନିକଟସ୍ଥ ନାଳରୁ ପବିତ୍ର ଜଳ ଓ ବାଲି ସଂଗ୍ରହ କରାଯାଇଥିଲା। ଏହାପରେ ଭକ୍ତମାନେ ଘର ଘର ବୁଲି ବିଭିନ୍ନ ପ୍ରକାର ବିହନ ସଂଗ୍ରହ କରିଥିଲେ। ପରେ ପରମ୍ପରା ଅନୁଯାୟୀ ସଂଗୃହୀତ ବିହନକୁ ବାଲିରୋଖାଯାଇଥି ଚାଙ୍ଗୁଡ଼ି ରେ ବୁଣାଯାଇଥିଲା। ବର୍ତ୍ତମାନ ବିହନଗୁଡ଼ିକ ଅଙ୍କୁରିତ ହୋଇଥିବା ବେଳେ ଏହାକୁ ନେଇ ଭକ୍ତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଆସନ୍ତା ୩୦ ସେପ୍ଟେମ୍ବର ବୁଧବାର ଦିନ ବାଲିଯାତ୍ରାର ଅନ୍ତିମ ପର୍ବ ଅନୁଷ୍ଠିତ ହେବ। ସେହିଦିନ ମା’ଙ୍କ ପ୍ରତୀକ ସ୍ୱରୂପ ଲାଠି ଆସି ନଗର ପରିକ୍ରମା କରିବା ପରେ ପାରମ୍ପରିକ ପୂଜାବିଧି ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। ସ୍ଥାନୀୟ ମାନ୍ୟତା ଅନୁଯାୟୀ, ବାଲିରେ ଅଙ୍କୁରିତ ହୋଇଥିବା ବିହନର ସବଳତା ଓ ବୃଦ୍ଧିକୁ ଦେଖି ପୂଜକମାନେ ଚଳିତ ବର୍ଷର ଚାଷର ସ୍ଥିତି ସମ୍ପର୍କରେ ଆକଳନ କରିଥାନ୍ତି। ଏହି ପରମ୍ପରା କୃଷି ଓ ଲୋକବିଶ୍ୱାସ ସହିତ ଗଭୀର ଭାବେ ଜଡ଼ିତ ଥିବାରୁ ବାଲିଯାତ୍ରାର ଗୁରୁତ୍ୱ ଅଞ୍ଚଳରେ ଅଧିକ ରହିଛି। ସମସ୍ତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେବାକୁ ଥିବା ଏହି ପାରମ୍ପରିକ ଯାତ୍ରାକୁ ନେଇ ବୈପାରିଗୁଡା ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହେଉଛି।