Header-News-Banner

ପୁରୀ ଜିଲ୍ଲାର କଣାସ ବ୍ଲକ ଅନ୍ତର୍ଗତ ଗଡ଼ଖାରଦ ଗ୍ରାମ ପଞ୍ଚାୟତର

0
WhatsApp Image 2026-04-07 at 6.13.16 PM

ବାଦୁରାବର ଗାଁରେ ଦୀର୍ଘଦିନର ଡ୍ରେନେଜ୍ ସମସ୍ୟା ଏବେ ଜନଜୀବନକୁ ଗୁରୁତର ପ୍ରଭାବିତ କରୁଛି। ସାଧାରଣ ବର୍ଷା ହେଲେ ମଧ୍ୟ ଗାଁର ଦାଣ୍ଡ ଓ ମୁଖ୍ୟ ରାସ୍ତା ଆବର୍ଜନା ପାଣିରେ ଡୁବିଯାଉଥିବାରୁ, ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ବିଶେଷକରି ବିଦ୍ୟାଳୟ ଛାତ୍ରଛାତ୍ରୀ, ରୋଗୀ ଓ ବୃଦ୍ଧମାନେ ଏହି ଅବସ୍ଥାରେ ଅତ୍ୟନ୍ତ ଦୁର୍ଭୋଗ ଭୋଗୁଛନ୍ତି।
ଗ୍ରାମବାସୀମାନଙ୍କ କହିବା ଅନୁସାରେ, ଏହି ସମସ୍ୟା ପ୍ରାୟ ୨୦ ବର୍ଷ ଧରି ଚାଲିଆସୁଛି। ବହୁବାର ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ, କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଅଧିକାରୀମାନେ କେବଳ ନିରୀକ୍ଷଣ ଓ ଆଶ୍ୱାସନରେ ସୀମିତ ରହି, ଭୂମିସ୍ତରରେ କାର୍ଯ୍ୟନ୍ୱୟନ କରିବାରେ ବିଫଳ ହେଉଥିବାରୁ, ସେମାନଙ୍କ ଅବହେଳା ଏବେ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି।
ଏହା ସହିତ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ଏହି ସମସ୍ୟାକୁ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ ଉଠିଛି। ବହୁ ଅନୁରୋଧ ସତ୍ତ୍ୱେ ଯୋଜନାଗତ ଭାବେ କୌଣସି ପଦକ୍ଷେପ ନ ନିଆଯାଇଥିବାରୁ, ସମସ୍ୟା ଦିନକୁ ଦିନ ଗଭୀର ହୋଇଛି।
ବର୍ତ୍ତମାନ ବିଧାୟକଙ୍କୁ ନେଇ ମଧ୍ୟ ଗ୍ରାମବାସୀମାନଙ୍କ ଅସନ୍ତୋଷ ଦେଖିବାକୁ ମିଳୁଛି। ନୂଆ ସରକାର ଆସିବା ପରେ ଲୋକମାନେ ଆଶା କରିଥିଲେ ଯେ, ଏହି ପୁରୁଣା ସମସ୍ୟାର ସ୍ଥାୟୀ ସମାଧାନ ହେବ, କିନ୍ତୁ ସେହି ଆଶା ଅଧୂରା ରହିଯାଇଛି। ସମସ୍ୟା ସମ୍ପର୍କରେ ଅବଗତ ଥିଲେ ମଧ୍ୟ ପ୍ରାୟୋଗିକ ଉଦ୍ୟମ ନ ଦେଖାଯିବାରୁ, “ଜାଣିଶୁଣି ଅଣଦେଖା” କରାଯାଉଛି ବୋଲି ଲୋକମାନେ କହୁଛନ୍ତି।
ଅନ୍ୟପଟେ, ଗଡ଼ଖାରଦ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଭୂମିକା ମଧ୍ୟ ପ୍ରଶ୍ନବିଦ୍ଧ ହୋଇପଡ଼ିଛି। ଗ୍ରାମସଭାରେ ଏହି ସମସ୍ୟାକୁ ପ୍ରାଥମ୍ୟ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ, ଭୂମିସ୍ତରରେ ତାହାର ପ୍ରତିଫଳ ନ ଦେଖିବାକୁ ମିଳିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିଚାଲିଛି। ବିଭିନ୍ନ ଯୋଜନାର କାମ ସଫଳ ଦର୍ଶାଇ ବିଲ୍ ହାତେବାରେ ଆଗ୍ରହ ଥିବା ବେଳେ, ମୂଳ ଜନସମସ୍ୟା ଅବହେଳିତ ରହିଯାଇଛି ବୋଲି ଅଭିଯୋଗ ହେଉଛି।
ଏହି ପରିସ୍ଥିତିକୁ ନେଇ ବାଦୁରାବର ଗ୍ରାମବାସୀ ଓ ଅଞ୍ଚଳବାସୀମାନେ ଦୃଢ଼ ଆକ୍ଷେପ ଜଣାଇ କହିଛନ୍ତି ଯେ, ବିଭାଗୀୟ ଅଧିକାରୀ ଠାରୁ ଆରମ୍ଭ କରି ଜନପ୍ରତିନିଧି ପର୍ଯ୍ୟନ୍ତ ସମସ୍ତଙ୍କ ଅବହେଳାର ଫଳରେ ଏହି ସମସ୍ୟା ଏପର୍ଯ୍ୟନ୍ତ ଅନିରାକୃତ ରହିଛି। ଯଦି ଶୀଘ୍ର ଡ୍ରେନେଜ୍ ବ୍ୟବସ୍ଥା କରାଯାଇ ଏହାର ସ୍ଥାୟୀ ସମାଧାନ ନ କରାଯାଏ, ତେବେ ଆସନ୍ତା ଦିନରେ ସେମାନେ ରାଜରାସ୍ତା ଅବରୋଧ ସହିତ ବଡ଼ ଆନ୍ଦୋଳନ କରିବେ ବୋଲି ସତର୍କ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *