Header-News-Banner

ଜୋଡା ରେଲୱେ ଓଭରବ୍ରିଜ୍ ତଳେ ଭୟଙ୍କର ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

0
WhatsApp Image 2026-06-06 at 4.04.15 PM

କେନ୍ଦୁଝର ଜିଲ୍ଲାର ଜୋଡା ରେଲୱେ ଓଭରବ୍ରିଜ୍ ତଳେ ୫୨୦ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବଲାଣିରୁ ତୁରୁମୁଙ୍ଗା ଅଭିମୁଖେ ଯାଉଥିବା ‘ବିଳାସିନୀ’ ନାମକ ଯାତ୍ରୀବାହୀ ବସକୁ ପଛପଟୁ ଏକ ଖଣିଜ ବୋଝେଇ ଟ୍ରେଲର ଜୋରଦାର ଧକ୍କା ଦେଇଥିଲା।
ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ବସଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ନଦୀ କୂଳ ଆଡ଼କୁ ଘଷି ହୋଇ ଯାଇଥିଲା। ତେବେ ସୌଭାଗ୍ୟବଶତଃ ରାସ୍ତା ପାର୍ଶ୍ୱରେ ଲାଗିଥିବା ସୁରକ୍ଷା ବାଡ଼ (କ୍ରାଶ ବ୍ୟାରିୟର) ବସଟିକୁ ନଦୀ ଗର୍ଭକୁ ଖସିପଡ଼ିବାରୁ ରକ୍ଷା କରିଥିଲା। ଫଳରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଦୁର୍ଘଟଣା ପରେ ବସଟି ଜାତୀୟ ରାଜପଥ ଉପରେ ଆଡ଼ବାଗ ହୋଇ ରହିଯାଇଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଏହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଦୀର୍ଘ ସମୟ ଧରି ପ୍ରବଳ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ପରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତାୟାତ ସ୍ୱାଭାବିକ କରିବାକୁ ପଦକ୍ଷେପ ନେଇଥିଲେ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଏଭଳି ସଡ଼କ ଦୁର୍ଘଟଣା ଘଟୁଥିବା ଏବଂ ଭାରୀ ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଧନଜୀବନ ହାନି ଘଟୁଥିବାରୁ ସ୍ଥାନୀୟ ଲୋକେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସାଧାରଣ ଲୋକ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *