ଖଡ଼ିଆଳ ପୋଲିସର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ସଂଗୃହୀତ ହେଲା ୬୦ ୟୁନିଟ୍ ରକ୍ତ
ଖଡ଼ିଆଳ: ୦୮/୦୮ (କଳିଙ୍ଗ ଫୋକସ) ଭଜନ ଲାଲ ଜଗତ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୬୩ ଜଣ ରକ୍ତଦାତାଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଅମୃତ ପାଲ ସିଂ ସୂଚନା ଦେଇଛନ୍ତି।
ଏହି ଅବସରରେ ଏସ୍ପି ଅମୃତ ପାଲ ସିଂ କହିଥିଲେ ଯେ, ନାଗରିକଙ୍କ ସୁରକ୍ଷା ଦାୟିତ୍ୱ ନେବା ସହ ଆବଶ୍ୟକ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଇବା ଦିଗରେ ମଧ୍ୟ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି। ଗୋଟିଏ ୟୁନିଟ୍ ରକ୍ତ ଜଣଙ୍କ ଜୀବନ ବଞ୍ଚାଇପାରେ ବୋଲି ସେ କହିଥିଲେ।
ଶିବିରରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଏସ୍ଡିପିଓ ଉପେନ୍ଦ୍ର କୁମାର ପ୍ରଧାନ, ଖଡ଼ିଆଳ ଥାନା ଅଧିକାରୀ ସୁମନ୍ତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା ଜୈନଙ୍କ ସମେତ ବହୁ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ।
ରକ୍ତଦାନ କ୍ଷେତ୍ରରେ ସକ୍ରିୟ ଭାବେ ସେବା ଯୋଗାଇ ଆସୁଥିବା ସମାଜସେବୀ ସଞ୍ଜୟ ତିୱାରୀ ମଧ୍ୟ ଶିବିରରେ ଯୋଗଦେଇଥିଲେ। ଶିବିରର ଅନ୍ୟତମ ଆକର୍ଷଣ ଥିଲା ସାମ୍ବାଦିକ ଅଜିତ ପଣ୍ଡା ଓ ତାଙ୍କ ପତ୍ନୀ ଗାୟତ୍ରୀ ପଣ୍ଡାଙ୍କ ଏକାଠି ରକ୍ତଦାନ। ଉଭୟ ସ୍ୱାମୀ-ସ୍ତ୍ରୀ ରକ୍ତଦାନ କରି ସମାଜ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଥିଲେ।
ଏହି ଶିବିରରେ ବୋଡେନ, ସିନାପାଲି ସମେତ ବିଭିନ୍ନ ଅଞ୍ଚଳର ସ୍ୱେଚ୍ଛାସେବୀ, ଯୁବଗୋଷ୍ଠୀ, ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳର କର୍ମୀ ଓ ମହିଳାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଶିବିର ଶେଷରେ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅତିରିକ୍ତ ଆଇଆଇସି ପ୍ରତିମା ଡୁଙ୍ଗଡୁଙ୍ଗ, ସବ୍ଇନ୍ସପେକ୍ଟର ଆଶୋକ କୁମାର ବିହାରୀ, ଏଏସ୍ଆଇ କାଶୀନାଥ ପାଟ୍ଟଯୋଶୀ, ଏଏସ୍ଆଇ ଜୋସେଫ ସୁନା, ଏଏସ୍ଆଇ ଆର୍. କ୍ରିଷ୍ଣା, ଏଏସ୍ଆଇ ବିଶ୍ୱରଞ୍ଜନ ବେହେରାଙ୍କ ସମେତ ପୋଲିସ ଷ୍ଟାଫମାନେ ସହଯୋଗ କରିଥିଲେ।