ଗୁରୁଙ୍କ ଚିରବିଦାୟରେ ତିର୍ତ୍ତୋଲରେ ଶୋକର ଛାୟା
ଜଗତସିଂହପୁର – ( ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ବିଶିଷ୍ଟ ଶିକ୍ଷକ, ସମାଜସେବୀ ଓ ଅଞ୍ଚଳର ଜଣେ ଅତ୍ୟନ୍ତ ଶ୍ରଦ୍ଧେୟ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ବୀର କିଶୋର ଦାସଙ୍କର ୧୦ ଅଗଷ୍ଟ ୨୦୨୬ ସୋମବାର ସକାଳ ୭. ୪୦ ସମୟରେ ହୃଦଘାତ ଜନିତ ଅକସ୍ମାତ ପରଲୋକ ଘଟିଛି। ତାଙ୍କ ବିୟୋଗ ସମ୍ବାଦ ପ୍ରଚାର ପାଇବା ପରେ ସମଗ୍ର ତିର୍ତ୍ତୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
୧୯୫୫ ନଭେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦାସ ନିଜ କର୍ମଜୀବନର ଆରମ୍ଭ ୦୫ ଅଗଷ୍ଟ ୧୯୭୫ ରେ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟରେ କିରାଣୀ ଭାବେ କରିଥିଲେ। ପରବର୍ତ୍ତୀ ସମୟରେ ନିଷ୍ଠା, ପରିଶ୍ରମ ଓ ଶିକ୍ଷାପ୍ରତି ଅଦମ୍ୟ ଆଗ୍ରହ ବଳରେ ସେ ଶିକ୍ଷକତାରେ ନିଜକୁ ସମର୍ପିତ କରିଥିଲେ। ଦୀର୍ଘ ୩୮ ବର୍ଷରୁ ଅଧିକ ସେବାକାଳ ଅତିକ୍ରମ କରି ୩୦ ନଭେମ୍ବର ୨୦୧୩ ରେ ସେହି ବିଦ୍ୟାଳୟରୁ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ।
ଶ୍ରୀ ବୀର କିଶୋର ଦାସ କେବଳ ଜଣେ ଶିକ୍ଷକ ନୁହେଁ, ବରଂ ଅନେକ ଛାତ୍ରଛାତ୍ରୀଙ୍କ ଜୀବନର ମାର୍ଗଦର୍ଶକ ଥିଲେ। ତାଙ୍କ ସରଳ ଜୀବନଯାପନ, ଛାତ୍ରବତ୍ସଳ ମନୋଭାବ, ମୃଦୁଭାଷୀ ସ୍ୱଭାବ ଓ ସମାଜପ୍ରତି ଅନୁରାଗ ତାଙ୍କୁ ସମସ୍ତଙ୍କ ନିକଟରେ ଅତ୍ୟନ୍ତ ପ୍ରିୟ କରିଥିଲା। ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଓ ନୈତିକ ମୂଲ୍ୟବୋଧ ଅନେକ ପିଢ଼ୀକୁ ପ୍ରେରଣା ଯୋଗାଇଆସିଛି।
ମରଶରୀର ନିକଟରେ ତାଙ୍କର ଏକମାତ୍ର ପୁତ୍ର ଶୀର୍ଷାନନ୍ଦ ଦାସ, ପୁତ୍ରବଧୂ, ପୁତୁରା, ପୁତୁରା ବୋହୂ, ୪ ଝିଅ, ୪ ଜୋଇଁ, ଭଉଣୀ, ଭିଣେଇ, ଭଣଜା, ଭାଣିଜୀ, ସାଳକ ଓ ବହୁ ସଂଖ୍ୟକ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ଏହାସହ ଗ୍ରାମର ୱାର୍ଡ ସଭ୍ୟ ରୂପ ରଞ୍ଜନ ମିଶ୍ର, ଗ୍ରାମବାସୀ ବୃନ୍ଦ ଓ ଅଞ୍ଚଳବାସୀ ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ମୁଖାଗ୍ନୀ କାର୍ଯ୍ୟ ତାଙ୍କର ଏକମାତ୍ର ପୁତ୍ର ଶୀର୍ଷାନନ୍ଦ ଦାସ ସମ୍ପନ୍ନ କରିଥିଲେ। ଶେଷଯାତ୍ରା ବେଳେ ଅଞ୍ଚଳବାସୀଙ୍କ ଭିଡ଼ ଓ ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା।
ତାଙ୍କ ଅକାଳ ବିୟୋଗରେ ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ ଶିକ୍ଷକ, ଶିକ୍ଷାପ୍ରେମୀ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନେକଙ୍କ ମତରେ, “ବୀର କିଶୋର ସାରଙ୍କ ସ୍ନେହ, ଆଶୀର୍ବାଦ ଓ ମାର୍ଗଦର୍ଶନ ଚିରଦିନ ପାଇଁ ଅମ୍ଳାନ ହୋଇ ରହିବ।”
ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିବା ବେଳେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଅସୀମ ଧୈର୍ଯ୍ୟ ଓ ମାନସିକ ଶକ୍ତି ପ୍ରଦାନ କରିବାକୁ ସମସ୍ତେ ପ୍ରାର୍ଥନା କରିଛନ୍ତି। ତାଙ୍କ ବିୟୋଗରେ ତିର୍ତ୍ତୋଲ ଅଞ୍ଚଳ ଜଣେ ଆଦର୍ଶ ଶିକ୍ଷକ, ମହାନ ମଣିଷ ଓ ସ୍ନେହମୟ ଗୁରୁଙ୍କୁ ହରାଇଲା ବୋଲି ସର୍ବତ୍ର ମତପ୍ରକାଶ ପାଉଛି।