ଅବହେଳାରେ ଅସ୍ତିତ୍ୱ ହରାଉଛି ଘୁମକୁଡି ଜଳସେଚନ ପ୍ରକଳ୍ପ… ପାଣି ଅଭାବରେ ଦୁର୍ଦଶା ଭୋଗୁଛନ୍ତି ଚାଷୀ,
ବୌଦ୍ଧ ୨୩/୩/( କୁନା ବେହେରା) ବୌଦ୍ଧ ଜିଲ୍ଲା. ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅନ୍ତର୍ଗତ ଗୁଣ୍ଡୁରୀ ସାହିରେ ଅବସ୍ଥିତ ଘୁମକୁଡି ଖୁଦ୍ର ଜଳସେଚନ ପ୍ରକଳ୍ପ ଆଜି ଅବହେଳାରେ ଧୀରେ ଧୀରେ ତାର ଅସ୍ତିତ୍ୱ ହରାଇବାକୁ ବସିଛି। 2007-08 ମସିହାରେ ଚାଷୀମାନଙ୍କ ଲାଭ ପାଇଁ ନିର୍ମିତ ଏହି ଡ୍ୟାମ ବର୍ତ୍ତମାନ ପଙ୍କରେ ପୁରିଯାଇ ବାଲିଚରରେ ପରିଣତ ହୋଇଛି। ଫଳସ୍ୱରୂପ ଏହା ଆଉ ଜଳସେଚନରେ କାର୍ଯ୍ୟଅକ୍ଷମ ହୋଇପଡ଼ିଛି।ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ଡ୍ୟାମର ପାଣି ସୁଖିଯାଉଛି। ଫଳରେ ରବି ଓ ଖରିଫ ଋତୁରେ ଜମିକୁ ପାଣି ପହଞ୍ଚିପାରୁନାହିଁ। ଗତ ପନ୍ଦର ବର୍ଷ ଧରି ଏହି ସମସ୍ୟା ଚାଲିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ, ଯାହା ଚାଷୀମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ପ୍ରତିବର୍ଷ ଲକ୍ଷାଧିକ ଓ କୋଟି କୋଟି ଟଙ୍କା ବ୍ୟୟ କରି ଡ୍ୟାମ ପାର୍ଶ୍ୱବର୍ତ୍ତୀ ବିକାଶ କାମ କରାଯାଉଥିଲେ ମଧ୍ୟ, ମୂଳ ସମସ୍ୟା ରହିଯାଉଛି। ବିଶେଷ କରି ଡ୍ୟାମର ପଙ୍କ ଉଦ୍ଧାର, ମୁଖ୍ୟ ସୁଇଜ ଗେଟର ସଫାଇ ଓ ମରାମତି କାମ ଆରମ୍ଭ ଦିନରୁ ହୋଇନଥିବାରୁ ପାଣି ସଞ୍ଚୟ ହେଉନାହିଁ। ଫଳରେ ଡ୍ୟାମରେ ଥିବା ପାଣି ତଳ ଅଞ୍ଚଳକୁ ବୋହିଯାଉଛି ଏବଂ ଚାଷୀମାନେ ତାହାର କୌଣସି ଲାଭ ନେଇପାରୁନାହାନ୍ତି।
ଏହା ସହିତ ମୁଖ୍ୟ କେନାଲ ଓ ଶାଖା କେନାଲଗୁଡିକ ଅବହେଳାରେ ପଡ଼ିରହିଥିବାରୁ ପାଣି ବିତରଣ ବ୍ୟବସ୍ଥା ପ୍ରାୟ ଅଚଳ ହୋଇଯାଇଛି। ଅନେକ ସ୍ଥାନରେ କେନାଲଗୁଡିକ ପଙ୍କରେ ପୁରିଯାଇଥିବା ବେଳେ କେଉଁଠି କେଉଁଠି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଚାଷୀମାନେ ଦାବି କରିଛନ୍ତି ଯେ, ତତ୍କାଳ ଘୁମକୁଡି ଡ୍ୟାମର ସମ୍ପୂର୍ଣ୍ଣ ପଙ୍କ ଉଦ୍ଧାର, ମୁଖ୍ୟ ସୁଇଜ ଗେଟର ସଫାଇ ଓ ମରାମତି, ମୁଖ୍ୟ ଓ ଶାଖା କେନାଲଗୁଡିକର ପୁନରୁଦ୍ଧାର କାମ କରାଯାଉ। ଏହା ସହିତ ଅନ୍ୟାନ୍ୟ ଅଞ୍ଚଳକୁ କଡା କେନାଲ ସଂଯୋଗ କରାଯାଇ ପାଣି ବିତରଣକୁ ସୁନିଶ୍ଚିତ କରିବା ସହିତ ପାଣି ପଂଚାୟତ ଗଠନ କରି ପରିଚାଳନାକୁ ସୁଦୃଢ଼ କରାଯାଉ।
ସ୍ଥାନୀୟ ଲୋକଙ୍କ ମତାନୁସାରେ, ଯଦି ଏହି ପ୍ରକଳ୍ପକୁ ତୁରନ୍ତ ପୁନରୁଦ୍ଧାର କରାଯାଏ, ତେବେ ଅଞ୍ଚଳର ପନ୍ଦର ଖଣ୍ଡ ମୌଜାର ଚାଷୀମାନେ ଉପକୃତ ହେବେ। ନଚେତ ଆଗାମୀ ଦିନରେ ଚାଷୀମାନେ ବିକଳ୍ପ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।( ଜିଲ୍ଲା ପ୍ରତିନିଧି କୁନା ବେହେରା ଙ୍କ ରିପୋର୍ଟ୍ କଳିଙ୍ଗ ଫୋକସ )