ଗ୍ରାମରେ ମଦ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ |
ନବରଙ୍ଗପୁର,ଝରୀଗାଁ (କଳିଙ୍ଗ ଫୋକସ )ତା 21-06-26 ବର୍ତମାନ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ମଦ ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ନେଇଥିବା ବେଳେ ତାହାର ପ୍ରଭାବ ଝରିଗାଁ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି |ଜିଲ୍ଲାର ବିଭିନ୍ନ ବ୍ଲକ, ବିଭିନ୍ନ ପଂଚାୟତ ଏବଂ ବିଭିନ୍ନ ଗ୍ରାମରେ ମହିଳା ମାନେ ଏକତ୍ରିତ ହୋଇ ମହିଳା ମୋର୍ଚ୍ଚା ସଙ୍ଘ ସବୁ ଗଠନ କରି ମଦକୁ ତୀବ୍ର ବିରୋଧ କରିବା ସହିତ ହାତରେ ଲାଠି ସବୁ ଧରି ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ମଦ ରାନ୍ଧୁଥିବା ବ୍ୟକ୍ତି ମାନଙ୍କ ଘରେ ଯାଇ ମଦ ହାଣ୍ଡି ଭାଙ୍ଗିବା, ମହୁଲ ପୋଚ ଫିଙ୍ଗିବା ଏବଂ ମଦ ନରାନ୍ଧିବା ପାଇଁ ତାଦିଗ କରୁଥିବା ଦେଖିବାକୁ ମିଳୁଛି |ଏପରିକି ମଦ ପିଉଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ମଦ ନପିଇବା ପାଇଁ ଚେତାବନୀ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି |ମଦ ପାଇଁ ଅନେକ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ସ୍ୱାମୀସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଛି |ମଦ ନିଶାରେ ମଣିଷ ନିଜ ହିତାହିତ ଜ୍ଞାନ ଭୁଲି କେତେବେଳେ ସ୍ତ୍ରୀର ହତ୍ୟା କରୁଛି ତ କେତେବେଳେ ନିଜ ଜନ୍ମ କରିଥିବା ପୁଅଝିଅର ହତ୍ୟା କରୁଛି |ଏପରିକି ନିଜ ଜନ୍ମ କଲା ବାପାମା ଙ୍କୁ ବି ହତ୍ୟା କରିବାକୁ ପଛାଉ ନାହିଁ |ଦିନକୁ ଦିନ ସମାଜରେ ଅପହରଣ,ହତ୍ୟା ବଳାତ୍କାର ଭଳି ଘଟଣା ସବୁ ବୃଦ୍ଧି ପାଇବାରେ ଲାଗିଛି |ତେଣୁ ଏକ ଶୃଙ୍ଖଳିତ ପରିବାର ଓ ଏକ ସୁସ୍ଥ ସମାଜ ଗଠନ ପାଇଁ ମଦ ବନ୍ଦ କରିବା ଅତି ଜରୁରୀ ହୋଇପଡିଛି |ବର୍ତମାନ ନବରଙ୍ଗପୁର ଜିଲ୍ଲାର ନାରୀଶକ୍ତି ଚେଇଁ ଉଠିଛି ଓ ମଦ ବିରୋଧରେ ପ୍ରତିବାଦ ଆରମ୍ଭ କରିଦେଇଛି |ଯାହାର ପ୍ରତି ଫଳନ ଝରିଗାଁ ବ୍ଲକ ଇଚ୍ଛାପୁର ପଂଚାୟତର କେବିଡି ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି |ମଦ ପାଇଁ ଗ୍ରାମରେ ଅନେକ ଅଘଟଣ ଘଟିଯିବା ପରେ ଗ୍ରାମବାସୀ ସଚେତନ ହୋଇ ଏଭଳି ଏକ ଚରମ ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି |ଶନିବାର ଦିନ ଗ୍ରାମର ସମସ୍ତ ଜନସାଧାରଣ ଏକ ବୈଠକ କରି ଗ୍ରାମରେ ମଦ ବନ୍ଦ କରିବା ପାଇଁ ନିଷ୍ପତି ନେବା ସହିତ ଝରିଗାଁ ଥାନାରେ ମଧ୍ୟ ଏକ ଏତଲା ଦେଇଛନ୍ତି |ଗ୍ରାମର କୌଣସି ବ୍ୟକ୍ତି ମଦ ରାନ୍ଧିବେ ନାହିଁ, ଗ୍ରାମର କୌଣସି ବ୍ୟକ୍ତି ମଦ ବିକ୍ରି କରିବେ ନାହିଁ କି ଗ୍ରାମର କୌଣସି ବ୍ୟକ୍ତି ମଦ ପିଇବେ ନାହିଁ |ବୈଠକରେ ଏଭଳି ଏକ ଦୃଢ଼ ନିଷ୍ପତି ନିଆଯିବା ସହିତ ଗ୍ରାମର ସମସ୍ତ ଜନସାଧାରଣ ମାନଙ୍କୁ ସଚେତନ କରାଯାଇଛି |ଥାନାରେ ଏତଲା ଦେବାର କିଛି ସମୟ ପରେ ଝରିଗାଁ ଥାନା ଅଧିକାରୀ ରଚିତା ମାଡକାମୀ କେବିଡି ଗ୍ରାମରେ ପହଂଚି କିଛି ବିଦେଶୀ ମଦ ବିକୁଥିବା ବ୍ୟକ୍ତିଙ୍କ ଠାରୁ କିଛି ବିଦେଶୀ ମଦ ଓ ପୁଡି ମଦy ଜବତ କରିଥିବା ଖବର ମିଳିଛି |ତେବେ ଗ୍ରାମବାସୀଙ୍କ ଏହି ଅଭିଯାନ କେତେଦୂର ଫଳପ୍ରଦ ହେବ ତାହା ସମୟ ହିଁ କହିବ |