Header-News-Banner

ଉପନିର୍ବାଚନ ପାଇଁ ତତ୍ପର ପ୍ରଶାସନ, ନୂଆପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ବିଭିନ୍ନ ବୁଥ ପରିଦର୍ଶନ

0
IMG-20251014-WA0122

ନୂଆପଡା: ୧୪/୧୦ (ମଳୟ ମେହେର) ଆସନ୍ତା ନୂଆପଡା ବିଧାନସଭା ଉପନିର୍ବାଚନକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟା ସୁଚାରୁ ଭାବେ ହେବା ପାଇଁ ଆଜି ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ନୂଆପଡା ବ୍ଲକ୍ ର ବିଭିନ୍ନ ବୁଥ ସମୂହ ପରିଦର୍ଶନ କଲେ । ସେମାନେ ବିଶୋରା, ବାବନ୍କେରା, ସେମେରିଆ, ପରକୋଡ, ବଲୋଦା, ବୁଢ଼ୀପାଲି, ଅମ୍ଳିଦାଦର୍ ଏବଂ ଖରିଆର ରୋଡ୍ ଅଞ୍ଚଳରେ ଥିବା ବୁଥ ସହିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ମଂଗ୍ରାପାଲି ସ୍କୁଲକୁ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବିଡିଓ ନୂଆପଡା ରୋହିତ ଭୋଇ ଓ ବିଏଲଓ ସୁପରଭାଇଜର ଅମିୟ ଜ୍ୟୋତି ପାଢ଼ୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଓ ଏସପି ବିଭିନ୍ନ ବୁଥର ସଂରଚନା, ମୌଳିକ ସୁବିଧା, ବିଜୁଳି, ପିଇବା ପାଣି, ଶୌଚାଳୟ, ପାଚେରୀ ଇତ୍ୟାଦି ସୁବିଧା ଯଥାବିଧି ଉପଲବ୍ଧ ଅଛି କି ନାହିଁ ବିଷୟରେ ତଦାରଖ କରିଥିଲେ। ଏହାସହିତ, ସମ୍ଭାବ୍ୟ ଆଇନ-ଶୃଙ୍ଖଳା ସମସ୍ୟା ଉପରେ ବି ବିଶେଷ ଧ୍ୟାନ ଦେଇଥିଲେ । ଯେଉଁ ବୁଥରେ କୌଣସି ଅଭାବ ଥିଲା, ସେସବୁକୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆଗରୁ ସମସ୍ତ ବୁଥର ପ୍ରସ୍ତୁତି ସଂପୂର୍ଣ୍ଣ ହେବା ଉଚିତ୍, ଯାହାଦ୍ୱାରା ମତଦାନ ଦିନରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଏହି ଗସ୍ତ ମାଧ୍ୟମରେ ପ୍ରଶାସନ ଦ୍ୱାରା ଜିଲ୍ଲାରେ ଶାନ୍ତିପୂର୍ଣ୍ଣ, ସୁଚାରୁ ଓ ସୁରକ୍ଷିତ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *