ପ୍ରକାଶ ପାଇଲା ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି; ଆଜିଠୁ ନାମାଙ୍କନ ଦାଖଲ, 8 ବୁଥ ପାଇଁ ହେଲିକପ୍ଟର ବ୍ୟବସ୍ଥା
ନୂଆପଡା, ତାରିଖ–13 ଅକ୍ଟୋବର:
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆପଡା ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଆସନ୍ତା ଅକ୍ଟୋବର 20 ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା, ଯେଉଁଥିରେ ଅକ୍ଟୋବର 22 ତାରିଖରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର 24 ହେଉଛି ପ୍ରତ୍ୟାହାରର ଶେଷ ଦିନ। ଭୋଟ ଗ୍ରହଣ ନଭେମ୍ବର 11 ତାରିଖରେ ଓ ଫଳାଫଳ ଘୋଷଣା ନଭେମ୍ବର 14 ରେ ହେବ।
ଜିଲ୍ଲା ପ୍ରଶାସନ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଗତ ସାଧାରଣ ନିର୍ବାଚନରେ 302 ମତଦାନ କେନ୍ଦ୍ର ଥିଲେ ମଧ୍ୟ ଏବେ ଭୋଟର ସୁବିଧା ପାଇଁ 56 ନୂତନ ବୁଥ ବଢ଼ାଯାଇଛି, ଯାହା ଫଳରେ ଏଥିବାର ଉପନିର୍ବାଚନରେ ମୋଟ 358 ମତଦାନ କେନ୍ଦ୍ର ରହିବ। ଏହିମଧ୍ୟରୁ 47ଟି ବୁଥ ମାଓପ୍ରବଣ ଓ ସମ୍ବେଦନଶୀଳ ହୋଇଥିବାରୁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ହେବ।
ସେହିଭଳି 8ଟି ବୁଥ ପାଇଁ ହେଲିକପ୍ଟର ବ୍ୟବସ୍ଥା ରହିଛି, ଯେଉଁଠି ପୋଲିଂ ଅଧିକାରୀମାନେ ହେଲିକପ୍ଟରରେ ଯାଇ ଭୋଟିଂ ସମ୍ପନ୍ନ କରି ଫେରିବେ। ମାଓ ଅଞ୍ଚଳର 47ଟି ବୁଥରେ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟିଂ ହେବ, ଯେତେବେଳେ ଅନ୍ୟ ସମସ୍ତ ବୁଥରେ ସକାଳ 7ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଭୋଟିଂ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମତଦାନ କେନ୍ଦ୍ରରେ CCTV କ୍ୟାମେରା ଲଗାଯିବା ସହିତ ନିର୍ବାଚନ ସମୟରେ 14 କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍ ଫୋର୍ସ ମୁତୟନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥ ଗୋପାଳନ ଜଣାଇଛନ୍ତି।
ନିର୍ବାଚନ ସମୟରେ କୌଣସି ଅସୁବିଧା ହେଲେ ଲୋକମାନେ ଅଭିଯୋଗ କରିପାରିବେ ବୋଲି ଟୋଲ୍ ଫ୍ରି ନମ୍ବର ଜାରି ହେବ। ଏହାସହିତ ନିର୍ବାଚନ ପୂର୍ବରୁ ନୂଆପଡା SP ଅମ୍ରିତପାଲ ସିଂ ଙ୍କ ନେତୃତ୍ୱରେ ସର୍କିଟ ହାଉସରୁ ଟେଲିପଡ଼ା ଛକ ପର୍ଯ୍ୟନ୍ତ ପ୍ରାୟ 3 କିମି ଫ୍ଲାଗ ମାର୍ଚ୍ଚ ହୋଇ ଲୋକମାନଙ୍କୁ ସଚେତନ କରାଯାଇଛି।
ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି, କିନ୍ତୁ ବିଜେଡି ଓ ବିଜେପି ତାଙ୍କ ପ୍ରାର୍ଥୀ ନାମ ଘୋଷଣା କରିନାହାନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା କୋର କମିଟି ବୈଠକ ପରେ ପ୍ରାର୍ଥୀ ନାମ ଦିଲ୍ଲୀକୁ ପଠାଯାଇଛି, ଯାହା ଦୁଇ ଦିନ ମଧ୍ୟରେ ଘୋଷଣା ହେବ ବୋଲି ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି। ଅଭିଜ୍ଞମାନଙ୍କ ମତାନୁସାରେ ଏଥିପାଇଁ ଜୟ ଢୋଲକିଆଙ୍କ ନାମ ସୁପାରିଶ ହୋଇଛି ବୋଲି ଚର୍ଚ୍ଚା ଚାଲିଛି।
ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା 2,53,624, ଯେଉଁଥିରେ ମହିଳା ଭୋଟର 1,29,495, ପୁରୁଷ 1,24,108, ତୃତୀୟ ଲିଙ୍ଗି 21, ବରିଷ୍ଠ ନାଗରିକ 1,786 ଓ ଯୁବ ଭୋଟର 9,529 ଅଛନ୍ତି। ଏଥିସହିତ ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ 63 ଗ୍ରାମପଞ୍ଚାୟତ, 365 ଗ୍ରାମ ଓ 2ଟି NAC ରହିଛି ବୋଲି ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।
🗳️ ମୁଖ୍ୟ ତାରିଖଗୁଡିକ:
• ନାମାଙ୍କନ ଦାଖଲ: 13–20 ଅକ୍ଟୋବର
• ଯାଞ୍ଚ: 22 ଅକ୍ଟୋବର
• ପ୍ରତ୍ୟାହାର: 24 ଅକ୍ଟୋବର
• ଭୋଟ ଗ୍ରହଣ: 11 ନଭେମ୍ବର
• ଫଳାଫଳ: 14 ନଭେମ୍ବର
📍ମୁଖ୍ୟ ବିଶେଷତା:
• 358 ମତଦାନ କେନ୍ଦ୍ର
• 47 ସମ୍ବେଦନଶୀଳ ବୁଥ
• 8 ହେଲିକପ୍ଟର ବୁଥ
• 14 କମ୍ପାନୀ ସେଣ୍ଟ୍ରାଲ ଫୋର୍ସ
• ମାଓ ବୁଥରେ ଭୋଟିଂ ସମୟ: 7 ରୁ 4
• ଅନ୍ୟ ବୁଥରେ: 7 ରୁ 5
ନୂଆପଡା SP ଅମ୍ରିତପାଲ ସିଂ କହିଛନ୍ତି, “ନିର୍ବାଚନ ଅବାଧ ଓ ନିରପେକ୍ଷ ଭାବେ ହେବା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ।”