Header-News-Banner

ବ୍ଲକ ସଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ, ସମସ୍ୟା ଭୋଗୁଛନ୍ତି ଦୁଇ ପଞ୍ଚାୟତ

0
IMG-20251124-WA0093

ବ୍ଲକ ସଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ, ସମସ୍ୟା ଭୋଗୁଛନ୍ତି ଦୁଇ ପଞ୍ଚାୟତ ବାସୀ
କୁନ୍ଦୁରା,24/11: କଳିଙ୍ଗ ଫୋକସ (ମନୋଜ କୁମାର ମହୁଁ)ଆସନା ପଞ୍ଚାୟତ ସଦର ଠାରୁ ବ୍ଲକ ସଦର କୁନ୍ଦୁରାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା l କୁନ୍ଦୁରା ଠାରୁ
ପଖନାଗୁଡ଼ା ପର୍ଯ ୭ କି.ମି ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି l ପ୍ରାଧାନ ମନ୍ତ୍ରୀ ସଡ଼କ ଯୋଜନାରେ ହୋଇଛି ଏହି ରାସ୍ତା l ଗତ ୨୦୧୯ ରେ ୨ କୋଟି ୮୨ ଲକ୍ଷ ୨୮ ହଜାର ଟଙ୍କା ବ୍ଯୟରେ ନିର୍ମିତ ହୋଇଥିଲା l ପୂର୍ବରୁ ବହୁ ଦୟନୀୟ ଅବସ୍ଥାରେ ଥିବା ଏହି ମେଟାଲ୍ ମୋରମ୍ ରାସ୍ତା ପିଚୁ ହେବା ପରେ ଏହି ଦୁଇ ପଞ୍ଚାୟତ ବାସୀ ଖୁସି ବ୍ୟକ୍ତ କରିଥିଲେ l ରାସ୍ତା କାମ ମଧ୍ୟ ଭଲ ହୋଇଥିଲା କିନ୍ତୁ ମରାମତି ପାଇଁ ନିୟମ ଥିଲେ ବି ପରବର୍ତ୍ତୀ ସମୟରେ ଆଉ ମରାମତି କରାଗଲା ନାହିଁ l ମାତ୍ର ୬ ବର୍ଷରେ ପୂର୍ବଭଳି ଅବସ୍ଥା ହୋଇଯାଇଛି l ଏ ଭିତରେ ଗୁଲ୍ ମି ତାପଜ ବିଦ୍ୟୁତ ପ୍ରକଳ୍ପ ନିର୍ମାଣରେ ଆବଶ୍ୟକ ସମାଗ୍ରୀ,ମେଟାଲ୍, ବଲ୍ଡର, ଚିପ୍ସ ଠାରୁ ପ୍ରକଳ୍ପ ପାଇଁ ଆବଶ୍ୟକ ଭାରି ଜନ୍ତ୍ରପାତି ସବୁ ଭାରିଯାନରେ ନିଆଗଲା l ରାସ୍ତାର କ୍ଷମତା ଠାରୁ ଅଧିକ ମାତ୍ରାର ଭାରି ଯାନ ପ୍ରତିଦିନ ଯାତାୟତ କରିବା ଦ୍ୱାରା ରାସ୍ତା ୫୦ ପ୍ରତିଶତ ନଷ୍ଟ ହୋଇଥିଲା l ଗତ ବର୍ଷ ଠାରୁ ରାମଗିରି ବାଗଦେରୀ ମୁଖ୍ୟ ରାସ୍ତା ପୂର୍ତ୍ତ ବିଭାଗ ଦ୍ଵାରା ନୂତନ ରାସ୍ତା ନିର୍ମାଣ ଚାଲିଛି I ସେଥିରେ ଆବଶ୍ୟକ ସମସ୍ତ ଜିନିଷ ବାଲି, ମେଟାଲ୍, ଚିପ୍ସ ଆଦି ଏହି ରାସ୍ତା ଦେଇ ନିଆଯାଉଛି l ବର୍ତ୍ତମାନ ପୂର୍ବରୁ ଥିବା ମୋରମ୍ ରାସ୍ତା ଠାରୁ ବି ଅଧିକ ଶୋଚନୀୟ ହୋଇପଡ଼ିଛି ଏହି ମୁଖ୍ୟ ରାସ୍ତା l ଆଖିରେ ନ ଦେଖିଲେ ବିଶ୍ବାସ କରି ହେବ ନାହିଁ l ପ୍ରତିଦିନ ଉଚ୍ଚ କ୍ଷମତା ଭାରି ଯାନ ଯାତାୟତ କରିବା ଦ୍ୱାରା ଏହି ଵର୍ଷେ ଭିତରେ ରାସ୍ତାର ୮୦ ପ୍ରତିଶତ ସ୍ଥାନରେ ଦବି ଯାଇ ଫୁଟେ ଦୁଇ ଫୁଟର ଗାତ ହୋଇଛି l ଭାରିଯାନ ଓ ଟ୍ରାକଟର ଛଡା ଅନ୍ୟ ଗାଡ଼ି ଯାତାୟତ କରିବା ବହୁ କଷ୍ଟ ହୋଇ ପଢୁଛି l ଏହି ରାସ୍ତା ଦେଇ ଏହି ଦୁଇ ପଞ୍ଚାୟତର ସାଧାରଣ ଲୋକଙ୍କ ସମେତ ସ୍କୁଲ କଲେଜ ଛାତ୍ରଛାତ୍ରୀ, କୁନ୍ଦୁରା ସାପ୍ତାହିକ ହାଟ ଓ ଦୈନନ୍ଦିନ ବଜାର, ବ୍ଲକ ସଦରରେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତି ଦିନ ଶହ ଶହ ଲୋକ ଯାତାୟତ କରନ୍ତି l କେବଳ ଏହି ଦୁଇ ପଞ୍ଚାୟତ ନୁହଁ ବୈପାରୀଗୁଡ଼ା ବ୍ଲକର ଚେରକା, ସିନ୍ଧିଗାଁ,ହଳଦୀକୁଣ୍ଡ ଓ ଗୁପ୍ତେଶ୍ଵର ଆଦି ଅଞ୍ଚଳରୁ ବହୁ ଲୋକ କୁନ୍ଦୁରା ହାଟ,ବଜାର ଓ ଅନ୍ୟାନ୍ୟ କାମରେ କୁନ୍ଦୁରାକୁ ଯାତାୟତ କରିଥାନ୍ତି I କୁନ୍ଦୁରା ଠାରୁ ଗୁପ୍ତେଶ୍ଵର ଶୈବ ପୀଠକୁ ଯିବାକୁ ରାମଗିରି ବାଗଦେରୀ ମୁଖ୍ୟ ରାସ୍ତାକୁ ଖୁବ କମ ଦୂରରେ (ମାତ୍ର ୭ କି.ମି ମଧ୍ୟରେ) ସଂଯୋଗ କରୁଛି ଏହି ରାସ୍ତା l ଆସନା,ଫୁଲଭଟ୍ଟା, କେରମେଟି ବଗଦେରୀ ଆଦି ପଞ୍ଚାୟତ ଅଞ୍ଚଳ ପାଇଁ ଆସନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୧୦୮ ଆମ୍ବୁଲାନ୍ସ ରହିଛି l ଏ ସବୁ ଅଞ୍ଚଳରୁ ଏହି ରାସ୍ତା ଦେଇ ବ୍ଲକ ସଦରକୁ ଯାତାୟତ କରିଥାଏ l ମୁଖ୍ୟତଃ ସାଇକଲ୍, ମୋଟରସାଇକଲ୍, ଅଟୋ ଚାଳକଙ୍କ ପାଇଁ ପ୍ରତି ମୁହୂର୍ତ୍ତରେ ବିପଦ ରହିଛି l ପ୍ରତି ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି I ଏହି ରାସ୍ତା ଦେଇ ଆସନା ଓ କେରମେଟି ପଞ୍ଚାୟତକୁ ଲକ୍ଷ୍ମୀବସ ଯାତାୟତ କରୁଛି I ଯାହାଦ୍ୱାରା କୁନ୍ଦୁରା ବ୍ଲକର ଉପାନ୍ତ ଏହି ପଞ୍ଚାୟତ ବାସୀ ବହୁ ଉପକୃତ ହେଉଛନ୍ତି l ରାସ୍ତା ଦିନକୁ ଦିନ ଯେଉଁ ଭଳି ଭାବେ ଖରାପ ହେଉଛି ତୁରନ୍ତ ମରାମତି ନ ହେଲେ ବସ ଚଳାଚଳ ମଧ୍ୟ ବନ୍ଦ ହୋଇଯିବ l ସୂଚନା ଥାଉକି,କିଛି ମାସ ମଧ୍ୟରେ ରାସ୍ତା ମରାମତି କରାନଯାଏ ତେବେ ଆଗାମୀ ବର୍ଷା ଦିନେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଯିବ l ବସ ଆଉ ଆମ୍ବୁଲାନ୍ସ ସେବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେବେ ଏହି ଦୁଇ ପଞ୍ଚାୟତବାସୀ l ଏ ନେଇ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଇନ୍ଦ୍ର ବାସ୍କେଙ୍କୁ ପଚାରିବାରୁ ରାସ୍ତା ଅବସ୍ଥା ବହୁ ଶୋଚନୀୟ ରହିଛି l ପ୍ରତିଦିନ ଭାରିଯାନ ଯାତାୟତ କରୁଥିବାରୁ ବହୁ ଖରାପ ହୋଇ ପଡ଼ିଛି l ଉନ୍ନୟନ ବିଭାଗ ଦ୍ଵରା ରାସ୍ତା ଉନ୍ନତିକରଣ ନିମନ୍ତେ ପ୍ରକଳ୍ପ ପ୍ରସ୍ତାବ ପଠାଯାଇଛି l ଦୁଇ ତିନି ମାସ ମଧ୍ୟରେ ଅନୁମୋଦନ ହୋଇଯିବ l ଅନୁମୋଦନ ହେବା ପରେ ଖୁବ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *