ଭକ୍ତ ଭୌତିକ ଐଶ୍ୱର୍ଯ୍ୟପ୍ରାପ୍ତିରେ ଦୁଃଖିତ ନୁହେଁ:ଭାଗବତ
ନୀଳଗିରି,ତା,୦୪/୬(ନୀଳଗିରି)
ଶୁଦ୍ଧଭକ୍ତ ସର୍ବଦା ଭଗବାନଙ୍କ ସେବାରେ ଜଡିତ ଥାଏ । ସାମାନ୍ୟ ସ୍ବର୍ଣ୍ଣ ମୂର୍ଖଙ୍କୁ ମୋହିତ କରେ । ଋଷଭଦେବ ଆଦର୍ଶ ସ୍ଥାପନପାଇଁ ପ୍ରକଟ ହୋଇଥିଲେ । ମଣିଷର ମନ ଭବବନ୍ଧନର ମୂଳ କାରଣ ଅଟେ । କଳିର ମଣିଷ ରଜ ଓ ତମୋଗୁଣରେ ଆଛନ୍ନ ହୋଇ ରହିଥାଏ । ଯୋଗୀଗଣ ଅଣିମା, ଲଘିମା, ମହିମା, ପ୍ରାକାମ୍ୟ, ପ୍ରାପ୍ତି, ଇଷିତା, ବଶିତା, ଓ କାମବଶାୟିତା ଯାହା ଯୋଗସିଦ୍ଧିର ଲକ୍ଷଣ, ତାହା ଉପରେ ଦୃଷ୍ଟି ଦେଇଥାନ୍ତି । ଭଗବାନଙ୍କ ସହ ସମ୍ବନ୍ଧପାଇଁ ଭକ୍ତିଯୋଗ ହେଉଛି ମୂଳଭିତ୍ତି । ଭକ୍ତି ମୁକ୍ତିଠାରୁ ବହୁଗୁଣରେ ଉନ୍ନତ । ବଦ୍ଧଜୀବ ଭୌତିକ ଜଗତର କ୍ରିୟାକରି ସୁଖ ଓ ଆନନ୍ଦ ପାଇବାକୁ ଚେଷ୍ଟା କରେ । ସର୍ବୋପରି ମନର ନିୟନ୍ତ୍ରଣ ହିଁ ମୁକ୍ତିର ସୂଚନା ପ୍ରଦାନ କରେବୋଲି ସ୍ବର୍ଣ୍ଣଚୂଡ ସାହିତ୍ୟ ପରିବାରରେ ଆୟୋଜିତ ଶହେ ଏକତମ ଭାଗବତ ଆଭାସୀ ପାଠଚକ୍ରରେ ପଞ୍ଚମ ସ୍କନ୍ଧର ଷଷ୍ଠ ଅଧ୍ୟାୟରେ ଋଷଭଦେବ କ୍ରିୟାବଳୀ ପ୍ରସଙ୍ଗବର୍ଣ୍ଣନା କାଳରେ ଆଲୋଚକ ଯାଜପୁରର ପଣ୍ଡିତ ସଂଗ୍ରାମ କେଶରୀ ବଳ ଓ ଶୁଭେଛାବାର୍ତ୍ତାରେ ଥିବା ଯାଜପୁରର ପଣ୍ଡିତ ଗୋବର୍ଦ୍ଧନ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରାରମ୍ଭରେ ପରିବାରର ବରିଷ୍ଠ ସଦସ୍ୟ ଶିକ୍ଷାବିତ ନୀଳକଣ୍ଠ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଆସରରେ ଜୟଶ୍ରୀ ପଣ୍ଡା ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ଶେଷରେ ଭାର୍ଗବୀ ରାଉତ କୃତଜ୍ଞତା ଓ କେନ୍ଦୁଝରରୁ ଶିକ୍ଷାବିତ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ । ଉକ୍ତ ଆସରରେ ବହୁ ଶ୍ରୋତା ଯୋଗଦାନ କରିଥିଲେ ।