Header-News-Banner

ଜଙ୍ଗଲ ହିଁ ଜୀବନ, ଗଛ ହିଁ ପରିବାର: କପୁରଚନଙ୍କ ପ୍ରେରଣାଦାୟକ ଗାଥା

0
WhatsApp Image 2026-06-05 at 6.16.14 PM

ସିନାପାଲି: କୋମନା, ୦୫/୦୬ (କଳିଙ୍ଗ ଫୋକସ) ମଳୟ ମେହେର/ଗିରେନ୍ଦ୍ର ଜଗତ:
ଆଜିର ସ୍ୱାର୍ଥପର ଦୁନିଆରେ ଯେଉଁଠି ଅନେକେ ପ୍ରକୃତିର ମହତ୍ତ୍ୱକୁ ଭୁଲି ଯାଉଛନ୍ତି, ସେଠାରେ ନୂଆପଡ଼ା ଜିଲ୍ଲା କୋମନା ବନାଞ୍ଚଳର ଜଣେ ସାଧାରଣ ଆଦିବାସୀ ବୃଦ୍ଧ ନିଜ ଜୀବନକୁ ଜଙ୍ଗଲ ଓ ଗଛପଲାର ସୁରକ୍ଷା ପାଇଁ ଉତ୍ସର୍ଗ କରି ଏକ ଅସାଧାରଣ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ସେ ହେଲେ କାଶୀପଲା ଗ୍ରାମ ପଞ୍ଚାୟତର ପଲସିପାଣି ଅଞ୍ଚଳର ବାସିନ୍ଦା କପୁରଚନ ଶବର ।

ଗତ ପ୍ରାୟ ଦୁଇ ଦଶନ୍ଧି ଧରି ଖରିଆର ବନ ବିଭାଗ ଅଧୀନସ୍ଥ କୋମନା ରେଞ୍ଜର ବିଭିନ୍ନ ନର୍ସରୀ ଓ ପ୍ଲାଣ୍ଟେସନ୍‌ର ଜଗୁଆଳି ଭାବେ କାମ କରୁଛନ୍ତି କପୁରଚନ। କିନ୍ତୁ ଏହା କେବଳ ତାଙ୍କର ଚାକିରି ନୁହେଁ, ବରଂ ତାଙ୍କର ଜୀବନର ଏକ ଅବିଚ୍ଛିନ୍ନ ଅଂଶ ।

ପ୍ରତିଦିନ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସେ ପ୍ଲାଣ୍ଟେସନ୍‌କୁ ପହଞ୍ଚିଯାଆନ୍ତି । ସେଠାରେ ଏକ ଛୋଟ କୁଡ଼ିଆ ଘର ତିଆରି କରି ରହୁଛନ୍ତି, ନିଜେ ରୋଷେଇ କରନ୍ତି ଓ ଦିନର ବଡ଼ ଅଂଶ ଗଛଗୁଡ଼ିକର ଯତ୍ନରେ କଟାନ୍ତି । ତାଙ୍କ ସ୍ତ୍ରୀ ଆଉ ନାହାନ୍ତି । ବିଧବା ଝିଅ ଉର୍ମିଳା ଶବର ଓ ନାତି ଜିତେନ୍ଦ୍ର ଶବର ତାଙ୍କ ସହ ରହନ୍ତି । ଝିଅ ମଧ୍ୟ ବନ ବିଭାଗରେ ଜଗୁଆଳି ଭାବେ କାମ କରୁଥିବାବେଳେ ନାତି ତାଙ୍କୁ ସହଯୋଗ କରେ । ଏହି ତିନି ଜଣଙ୍କ ପରିଶ୍ରମ ହିଁ ପରିବାରର ଜୀବିକାର ଆଧାର ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଖରା, ବର୍ଷା କିମ୍ବା କଡ଼ା ଶୀତ, ଯେ କୌଣସି ପରିସ୍ଥିତି ହେଉ, କପୁରଚନଙ୍କୁ ପ୍ଲାଣ୍ଟେସନ୍‌ରେ ଦେଖିବାକୁ ମିଳେ । ଗଛଗୁଡ଼ିକୁ ସେ ନିଜ ସନ୍ତାନ ଭଳି ସ୍ନେହ ଓ ମମତାରେ ଲାଳନ କରନ୍ତି । ନର୍ସରୀର ପ୍ରତ୍ୟେକ ଚାରା ଓ ପ୍ଲାଣ୍ଟେସନ୍‌ର ପ୍ରତ୍ୟେକ ଗଛ ସହ ତାଙ୍କର ଯେପରି ଏକ ଆତ୍ମୀୟ ସମ୍ପର୍କ ଗଢ଼ିଉଠିଛି ।

କପୁରଚନଙ୍କ ଭାବନା ଆହୁରି ଗଭୀର । ସେ ଅନେକ ସମୟରେ କୁହନ୍ତି, “ମୋର ପରିବାର ହେଉଛି ଏହି ଜଙ୍ଗଲ, ଗଛଲତା, ପାହାଡ଼ ଓ ପ୍ରକୃତି । ଘରେ ରହିଲେ ମନ ଲାଗେନି । ପ୍ଲାଣ୍ଟେସନ୍‌କୁ ଆସିଲେ ମୋତେ ଶାନ୍ତି ମିଳେ । ଏପରିକି ସେ ଭାବବିହ୍ୱଳ ହୋଇ କୁହନ୍ତି, “ମୁଁ ମରିଗଲେ ମୋତେ ଏହି କାଶୀପଲା ପ୍ଲାଣ୍ଟେସନ୍‌ରେ ପୋତି ଦେବ, କାରଣ ଏହି ଜଙ୍ଗଲ ହିଁ ମୋର ପ୍ରକୃତ ଘର ।”

ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ କପୁରଚନ ଶବରଙ୍କ ଜୀବନଗାଥା ଆମ ସମାଜ ପାଇଁ ଏକ ବଡ଼ ଶିକ୍ଷା । ଯେଉଁଠି ଆଧୁନିକତାର ନାଁରେ ପ୍ରକୃତି ଧ୍ୱଂସ ହେଉଛି, ସେଠାରେ ଜଣେ ସାଧାରଣ ବୃଦ୍ଧ ନିଜ ନିରବ ସେବା ଓ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ପରିବେଶ ସୁରକ୍ଷାର ଏକ ଅନନ୍ୟ ବାର୍ତ୍ତା ଦେଉଛନ୍ତି । କପୁରଚନ ଶବରଙ୍କ ଏହି ନିଷ୍ଠା, ତ୍ୟାଗ ଓ ପ୍ରକୃତି ପ୍ରତି ଅପାର ଭଲପାଇବା ନିଶ୍ଚିତ ଭାବରେ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ରହିବ ।

Spread the love

Leave a Reply

Your email address will not be published. Required fields are marked *