Header-News-Banner

ପରିବେଶ ସୁରକ୍ଷା ପାଇଁ ନିଷ୍ଠାର ସ୍ୱୀକୃତି: ରୂପେଶ କୁମାର ମେହେରଙ୍କୁ ‘ପ୍ରକୃତିବନ୍ଧୁ ପୁରସ୍କାର’

0
WhatsApp Image 2026-06-05 at 6.16.15 PM

ନୂଆପଡା: ୦୫/୦୬ (କଳିଙ୍ଗ ଫୋକସ) ବିଜୟ ବରିହା: ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିବା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମର ଯୁବ ସମାଜସେବୀ ରୂପେଶ କୁମାର ମେହେର ଚଳିତ ବର୍ଷର ‘ପ୍ରକୃତିବନ୍ଧୁ ପୁରସ୍କାର’ ପାଇ ସମ୍ମାନିତ ହୋଇଛନ୍ତି । ବିଶ୍ୱ ପରିବେଶ ଦିବସ ଅବସରରେ ଶୁକ୍ରବାର ନୂଆପଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ପରିବେଶ ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଚେତନତା ରାଲି, ଏବଂ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ସମାଜ’ ଗଠନ ପାଇଁ ନିରନ୍ତର ପ୍ରଚାର ଓ ଜନଜାଗରଣ ଅଭିଯାନକୁ ବିଚାରକୁ ନେଇ ତାଙ୍କୁ ସିନାପାଲି ବ୍ଲକର ପ୍ରତିନିଧି ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଜଣେ ଲେଖାଏଁ ପରିବେଶ କର୍ମୀଙ୍କୁ ଚୟନ କରାଯାଇଥିବା ବେଳେ ସିନାପାଲି ବ୍ଲକରୁ ରୂପେଶ ମେହେର ଏହି ଗୌରବ ହାସଲ କରିଛନ୍ତି । ଆୟୋଜିତ ସମ୍ମାନ ସମାରୋହରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ । ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ, ଡିଏଫଓ ସମୀର କୁମାର ସାହୁ, ଖରିଆର ଡିଏଫଓ ଅଜିଜ୍ ଖାନ୍, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପାଲ ବଳରାମ ମିଶ୍ର ଓ ଡିଏଲଏସଏ ସଚିବ ନବନିତା ଦାଶ ଉପସ୍ଥିତ ଥିଲେ । ରୂପେଶ ମେହେର ଦୀର୍ଘଦିନ ଧରି ଗ୍ରାମାଞ୍ଚଳରେ ବୃକ୍ଷରୋପଣ, ପରିବେଶ ସଚେତନତା ରାଲି, ସ୍ୱଚ୍ଛତା ଅଭିଯାନ ଏବଂ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ଲୋକଙ୍କୁ ସଚେତନ କରିଆସୁଛନ୍ତି । ତାଙ୍କର ଏହି ନିଷ୍ଠା ଓ ସମାଜ ପ୍ରତି ଦାୟିତ୍ୱବୋଧ ଆଜି ତାଙ୍କୁ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହି ସମ୍ମାନ ପ୍ରାପ୍ତି ପରେ ହାତୀବନ୍ଧା ସମେତ ସମଗ୍ର ସିନାପାଲି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଓ ପରିବେଶପ୍ରେମୀମାନେ ରୂପେଶଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ, ତାଙ୍କର ଏହି ସଫଳତା ଅନ୍ୟ ଯୁବପିଢ଼ିଙ୍କୁ ମଧ୍ୟ ପରିବେଶ ସୁରକ୍ଷା ପ୍ରତି ଆଗେଇ ଆସିବାକୁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି । ପ୍ରକୃତିକୁ ଭଲପାଇବା ମାନେ ଭବିଷ୍ୟତକୁ ସୁରକ୍ଷିତ କରିବା ରୂପେଶ ମେହେରଙ୍କ ଏହି ସଫଳତା ସେହି ବାର୍ତ୍ତାକୁ ଆହୁରି ସୁଦୃଢ଼ କରିଛି ।

Spread the love

Leave a Reply

Your email address will not be published. Required fields are marked *