ସବୁଜ ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ରୀଙ୍କ ସଂକଳ୍ପ: ମହଗାଁ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ
ସିନାପାଲି, ୦୫/୦୬ (କଳିଙ୍ଗ ଫୋକସ): ମଳୟ ମେହେର: ବିଶ୍ୱ ପରିବେଶ ଦିବସ ଅବସରରେ ସିନାପାଲି ବ୍ଲକ ଅନ୍ତର୍ଗତ ମହଗାଁ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ଦିବସଟି ଉତ୍ସାହ ଓ ଗାମ୍ଭୀର୍ୟର ସହ ପାଳନ କରାଯାଇଛି । ପରିବେଶ ସୁରକ୍ଷା ଓ ବିଶ୍ୱ ତାପନ ନିୟନ୍ତ୍ରଣ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ପରିବେଶ ପ୍ରତି ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ କରିଥିଲା । ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ଯୋଷୀଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ବିଶ୍ୱ ତାପନ, ପରିବେଶ ପ୍ରଦୂଷଣ ଓ ଜଙ୍ଗଲ କ୍ଷୟଜନିତ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀମାନେ ନିଜ ମତାମତ ରଖି କହିଥିଲେ ଯେ, ଅତ୍ୟଧିକ ବନନିଧନ ଓ ବଢ଼ୁଥିବା ପ୍ରଦୂଷଣ ପୃଥିବୀର ସନ୍ତୁଳନକୁ ବିପର୍ଯ୍ୟସ୍ତ କରୁଛି, ଯାହାର ପ୍ରଭାବରେ ବିଶ୍ୱବ୍ୟାପୀ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବକ୍ତାମାନେ ମତ ପ୍ରକାଶ କରିଥିଲେ ଯେ, ପରିବେଶ ସୁରକ୍ଷା କେବଳ ସରକାର କିମ୍ବା କୌଣସି ସଂସ୍ଥାର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ । ବୃକ୍ଷରୋପଣ, ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଏବଂ ସ୍ୱଚ୍ଛ ପରିବେଶ ଗଠନ ଦିଗରେ ସମସ୍ତଙ୍କ ସକ୍ରିୟ ଭୂମିକା ବିଶ୍ୱ ତାପନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରିବ । କାର୍ଯ୍ୟକ୍ରମ ଆରମ୍ଭରେ ବିଜ୍ଞାନ ଶିକ୍ଷକ ବାସୁଦେବ ବିଶି ସ୍ୱାଗତ ଭାଷଣ ସହ ସଭାର ଆଭିମୁଖ୍ୟ ଉପସ୍ଥାପନ କରି ବିଶ୍ୱ ପରିବେଶ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଗୁଣନିଧି ମୁଣ୍ଡ, ସନ୍ତୋଷ କୁମାର ମେହେରଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଆଲୋଚନାଚକ୍ର ଶେଷରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଚଳାଇ ପରିବେଶ ସୁରକ୍ଷା ପ୍ରତି ନିଜର ଅଙ୍ଗୀକାର ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ସୁସ୍ଥ ପରିବେଶ, ସୁନ୍ଦର ଭବିଷ୍ୟତ”ର ବାର୍ତ୍ତା ସମାଜକୁ ପ୍ରଦାନ କରାଯାଇଥିଲା ।