Header-News-Banner

ଇନ୍ଦ୍ରାନ୍ଦି ମଣ୍ଡଳରେ ବିଜେପିର ମଣ୍ଡଳସ୍ତରୀୟ ପଦାଧିକାରୀ ବୈଠକ

0
WhatsApp Image 2026-06-05 at 6.16.12 PM

ଖଡ଼ିଆଳ, ୦୫/୦୬ (କଳିଙ୍ଗ ଫୋକସ) ଭଜନଲାଲ ଜଗତ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ଅନ୍ତର୍ଗତ ଇନ୍ଦ୍ରାନ୍ଦି ମଣ୍ଡଳରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ମଣ୍ଡଳସ୍ତରୀୟ ପଦାଧିକାରୀ ବୈଠକ ଆୟୋଜିତ ହୋଇଥିଲା । ମଣ୍ଡଳର ସମସ୍ତ ମୋର୍ଚ୍ଚା କମିଟିଙ୍କ ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି ବୈଠକରେ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଫଳ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ମଣ୍ଡଳ ସଭାପତି ଯୁଧିଷ୍ଠିର ହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ପ୍ରଭାରୀ ପ୍ରଶାନ୍ତ ଦାସ, ସହ-ପ୍ରଭାରୀ ଜନକ ନାୟକ, ପୂର୍ବତନ ଜିଲ୍ଲା ଉପସଭାପତି ମୋହନ ଭୋଇ, ପୂର୍ବତନ ମଣ୍ଡଳ ସମ୍ପାଦକ କୁଳମଣି ଘିଭେଲା, ବରିଷ୍ଠ କାର୍ଯ୍ୟକର୍ତ୍ତା ଲକ୍ଷ୍ମୀନାରାୟଣ ନାୟକ, ସଞ୍ଜୟ ତିୱାରୀ, ପୁଷ୍ପାଞ୍ଜଳୀ ପାଣ୍ଡେଙ୍କ ସମେତ ବହୁ ଜିଲ୍ଲା ଓ ମଣ୍ଡଳସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ବୈଠକରେ SIR ଓ BLA-2 ସଦସ୍ୟମାନଙ୍କ ଭୂମିକାକୁ ନେଇ ବିଶେଷ ଆଲୋଚନା ହୋଇଥିଲା । ଭୋଟର ତାଲିକାରେ ଯୋଗ୍ୟ ଭୋଟରଙ୍କ ନାମ ସଠିକ୍ ଭାବେ ସମ୍ମିଳିତ କରିବା, ତ୍ରୁଟି ସଂଶୋଧନ ଓ ନିର୍ବାଚନୀ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଦିଗନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ସହ ସଂଗଠନର ମୂଲ୍ୟବୋଧ, ନୀତି ଓ କାର୍ଯ୍ୟପଦ୍ଧତି, ଶକ୍ତି କେନ୍ଦ୍ର ବୈଠକ, ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମ, ‘ମନ କି ବାତ’ ଶ୍ରବଣ, ସାମାଜିକ ଗଣମାଧ୍ୟମର ସଫଳ ବ୍ୟବହାର ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷର ବିକାଶମୂଳକ ଉପଲବ୍ଧି ସମ୍ପର୍କରେ ମଧ୍ୟ ବିସ୍ତୃତ ଚର୍ଚ୍ଚା କରାଯାଇଥିଲା ।

ଶକ୍ତି କେନ୍ଦ୍ର ପ୍ରମୁଖ, ପ୍ରଭାରୀ ଓ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ଏବଂ ସଂଗଠନକୁ ଅଧିକ ସକ୍ରିୟ ଓ ଜନମୁଖୀ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଓବିସି ମୋର୍ଚ୍ଚା, ଏସସି ଓ ଏସଟି ମୋର୍ଚ୍ଚାର ପଦାଧିକାରୀମାନଙ୍କ ସହ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟଯୋଜନା ନେଇ ମତାମତ ପ୍ରଦାନ କରିଥିଲେ । ବୈଠକ ଶେଷରେ ସଂଗଠନର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇବା ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକଳାପକୁ ଅଧିକ ଗତିଶୀଳ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ସଂକଳ୍ପବଦ୍ଧ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *