ନୂଆପଡା ଜିଲ୍ଲାରେ ସଫଳତାର ସହ ସମାପ୍ତ ହେଲା ‘ସ୍କୁଲ ଚାଲ ଅଭିଯାନ’
ବୋଡେ଼ନ: ୧୬/୦୬ (କଳିଙ୍ଗ ଫୋକସ) କଶ୍ୟପ ଜଗତ: ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅନ୍ତର୍ଗତ ଅମ୍ବାଗୁଡା ଗ୍ରାମ ଏବଂ କୋମନା ବ୍ଲକ ଅନ୍ତର୍ଗତ ନାଗପଡା (କୋଟ୍ରିବାହାଲ) ଗ୍ରାମରେ ଆର.ସି.ଡି.ସି. ପକ୍ଷରୁ ଆୟୋଜିତ ‘ସ୍କୁଲ ଚାଲ ଅଭିଯାନ’ କାର୍ଯ୍ୟକ୍ରମ ମଙ୍ଗଳବାର ସୁରୁଖୁରୁରେ ସମାପନ ହୋଇଯାଇଛି । ଶିକ୍ଷାରୁ ବଞ୍ଚିତ ଏବଂ ସ୍କୁଲ ଛାଡ଼ିଥିବା ଶିଶୁମାନଙ୍କୁ ପୁନର୍ବାର ବିଦ୍ୟାଳୟମୁଖୀ କରିବା ସହ ସମସ୍ତ ଶିଶୁଙ୍କୁ ଶିକ୍ଷାର ମୂଳଧାରାରେ ସାମିଲ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ବୋଡେ଼ନ ବ୍ଲକର ଅମ୍ବାଗୁଡା ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମକୁ ସେହି ଗ୍ରାମର ‘ମା ମାଉଳି ଯୁବକ ସଂଘ’ ସକ୍ରିୟ ସହଯୋଗ ପ୍ରଦାନ କରିଥିଲା । ସେହିପରି କୋମନା ବ୍ଲକର ନାଗପଡା (କୋଟ୍ରିବାହାଲ) ଗ୍ରାମରେ ‘ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ’ ଓ ‘ଶିଶୁ ସଂଘ’ର ସହଯୋଗରେ ଏହି ଅଭିଯାନ ସଫଳତାର ସହ ପରିଚାଳିତ ହୋଇଥିଲା ।
ଅଭିଯାନ ଅବସରରେ ଅଭିଭାବକମାନଙ୍କୁ ଶିଶୁ ଶିକ୍ଷାର ଗୁରୁତ୍ୱ, ନିୟମିତ ବିଦ୍ୟାଳୟ ଯିବାର ଆବଶ୍ୟକତା ଏବଂ ଶିଶୁ ଶ୍ରମ ଓ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥା ବିରୋଧରେ ସଚେତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବୋଡେ଼ନ ବ୍ଲକର କମ୍ୟୁନିଟି ମୋବିଲାଇଜର କାଁହୁଚରଣ ବାଗ, କୋମନା ବ୍ଲକର କମ୍ୟୁନିଟି ମୋବିଲାଇଜର ବଳଭଦ୍ର ମାଝୀ ଏବଂ ଆର.ସି.ଡି.ସି.ର ଫିଲ୍ଡ କୋ-ଅର୍ଡିନେଟର ସନ୍ଦୀପ କୁମାର ନାଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ସ୍ଥାନୀୟ ଯୁବକ ସଂଘ ଓ ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ‘ସ୍କୁଲ ଚାଲ ଅଭିଯାନ’ ଦୁଇଟି ଗ୍ରାମରେ ସଫଳତାର ସହ ସମାପ୍ତ ହୋଇଥିବା ଜଣାପଡ଼ିଛି ।