ଗଣମାଧ୍ୟମ ବାରମ୍ବାର ଚେତାଇଲା, ତଥାପି ନିଦ୍ରାରେ ପ୍ରଶାସନ!
ବିପଦମୁଖରେ ବିଇଓ କାର୍ଯ୍ୟାଳୟର ପରିବେଷ୍ଟନୀ ବାଡ଼; ସ୍କୁଲ ଖୋଲିଲା, କିନ୍ତୁ ସୁରକ୍ଷା ଏବେ ବି ଅଧରା
ସିନାପାଲି, ୨୭/୦୬ (କଳିଙ୍ଗ ଫୋକସ) ମଳୟ ମେହେର: ଦୁର୍ଘଟଣା ଘଟିବା ପରେ ହିଁ କଣ ପ୍ରଶାସନର ନିଦ ଭାଙ୍ଗିବ? ନା କୌଣସି ନିରୀହ ଶିଶୁ ଉପରେ ଅଘଟଣ ହେବା ପରେ ଚେତିବ ସରକାରୀ ବ୍ୟବସ୍ଥା? ଏଭଳି ପ୍ରଶ୍ନ ଏବେ ସିନାପାଲିବାସୀଙ୍କ ମନରେ ଉଙ୍କି ମାରୁଛି । କାରଣ ଦୀର୍ଘଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ଥିବା ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ପରିବେଷ୍ଟନୀ ବାଡ଼କୁ ନେଇ ଏକାଧିକ ଗଣମାଧ୍ୟମରେ ଖବର ପ୍ରକାଶ ଓ ପ୍ରସାରଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।
ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇସାରିଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକଙ୍କ ସହ ପିଏମ୍ ଶ୍ରୀ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ରାଇଜିଂ ସନ ପବ୍ଲିକ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି । ସ୍କୁଲ ଛୁଟି ସମୟରେ ଏଠାରେ ପ୍ରବଳ ଭିଡ଼ ହେଉଥିବାରୁ ଯଦି ହଠାତ୍ ବାଡ଼ଟି ଭୁଶୁଡ଼ି ପଡ଼େ, ତେବେ ଏକ ବଡ଼ ଅଘଟଣ ଘଟିବାର ଆଶଙ୍କାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।
ସ୍ଥଳ ପରିଦର୍ଶନରୁ ସ୍ପଷ୍ଟ ହେଉଛି ଯେ, ମୁଖ୍ୟ ପ୍ରବେଶ ପଥର ଉଭୟ ପାର୍ଶ୍ୱରେ ବାଡ଼ ଗଭୀର ଭାବେ ଫାଟିଯାଇଛି । ଗୋଟିଏ ପାର୍ଶ୍ୱରେ ବିଶାଳ ଗଛର ମୂଳ ଚାପରେ ବାଡ଼ ଦୁର୍ବଳ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଲମ୍ବା ଫାଟ ସୃଷ୍ଟି ହୋଇ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ରହିଛି । ବାଡ଼ ତଳେ ଜମା ହୋଇଥିବା ଆବର୍ଜନା ଓ ଦୀର୍ଘଦିନର ଅବହେଳା ସ୍ଥିତିକୁ ଆହୁରି ସଙ୍କଟପୂର୍ଣ୍ଣ କରିଦେଇଛି ।
ସବୁଠାରୁ ବିସ୍ମୟକର କଥା ହେଲା, ଏହି କାର୍ଯ୍ୟାଳୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସରକାରୀ ବାସଭବନଠାରୁ ମାତ୍ର ପ୍ରାୟ ୨୦୦ ମିଟର ଦୂରରେ ଥିବା ସତ୍ତ୍ୱେ ମଧ୍ୟ ବିପଦପୂର୍ଣ୍ଣ ବାଡ଼ ଉପରେ କାହାରି ନଜର ପଡ଼ୁନାହିଁ । ପ୍ରଶାସନର ଏହି ନୀରବତା ଏବେ ସାଧାରଣ ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି ।
ଅଭିଭାବକମାନେ କହୁଛନ୍ତି, ପ୍ରତିଦିନ ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲକୁ ପଠାଇବା ବେଳେ ସେମାନେ ଭୟରେ ରହୁଛନ୍ତି । ଯଦି ଦୁର୍ଭାଗ୍ୟବଶତଃ ବାଡ଼ଟି କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଭୁଶୁଡ଼ି ପଡ଼େ, ତାହାର କ୍ଷତି କେବେ ପୂରଣ ହୋଇପାରିବ ନାହିଁ । ସେଥିପାଇଁ ପ୍ରଶାସନ ଦୁର୍ଘଟଣାକୁ ଅପେକ୍ଷା ନକରି ତୁରନ୍ତ ବାଡ଼ର ମରାମତି କିମ୍ବା ପୁନଃନିର୍ମାଣ କରି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି ହେଉଛି ।
ପ୍ରଶ୍ନ ଉଠୁଛି ଯେ, ଗଣମାଧ୍ୟମ ଆଉ କେତେଥର ଚେତାଇବ? ପ୍ରଶାସନ ଓ ଜନପ୍ରତିନିଧିମାନେ କେବେ ଉଠିବେ ? ଦୁର୍ଘଟଣା ପରେ ପଦକ୍ଷେପ ନେବା ଅପେକ୍ଷା, ଦୁର୍ଘଟଣାକୁ ରୋକିବା ହିଁ ପ୍ରକୃତ ପ୍ରଶାସନିକ ଦାୟିତ୍ୱ । ଏବେ ସମୟ ଆସିଛି ନୀରବତା ଭାଙ୍ଗି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ।