Header-News-Banner

ବୋଡେ଼ନ ଅଁଳାଭଟାର ବରିଷ୍ଠ ନାଗରିକ ଗରିବ ତାଣ୍ଡିଙ୍କ ପରଲୋକ:ଲୋକସେବା ଓ କଳାକ୍ଷେତ୍ରରେ ଅବଦାନ ପାଇଁ ଅଞ୍ଚଳବାସୀଙ୍କ ଶ୍ରଦ୍ଧାଞ୍ଜଳି

0
WhatsApp Image 2026-06-26 at 4.15.41 PM

ବୋଡେ଼ନ: ୨୬/୦୬ (କଳିଙ୍ଗ ଫୋକସ) ଭଜନ ଲାଲ ଜଗତ : ବୋଡେ଼ନ ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମର ଜଣେ ବରିଷ୍ଠ, ଲୋକପ୍ରିୟ ଓ ସମାଜସେବୀ ବ୍ୟକ୍ତି ଗରିବ ତାଣ୍ଡିଙ୍କର ଆଜି ସକାଳ ୬ଟା ସମୟରେ ୯୪ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅଁଳାଭଟା ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

ସ୍ୱର୍ଗତ ଗରିବ ତାଣ୍ଡି ଜଣେ ସରଳ, ମିଷ୍ଠଭାଷୀ ଓ ମାନବପ୍ରେମୀ ବ୍ୟକ୍ତି ଭାବେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରଖିଥିଲେ । ୧୯୬୪ ମସିହାର ମରୁଡ଼ି ଓ ଦୁର୍ଦ୍ଦିନ ସମୟରେ ସେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ । ସେହି ସମୟରେ ଲଗାତାର ଦୁଇଥର ଲିଟିସର୍ଗି ଗ୍ରାମ ପଞ୍ଚାୟତର ୱାର୍ଡ ସଦସ୍ୟ ଭାବେ ଚୟନ ହୋଇ ଜନସେବା କରିଥିଲେ ।

ସେ କେବଳ ଜଣେ ଲୋକପ୍ରିୟ ବ୍ୟକ୍ତି ନୁହେଁ, ବରଂ ଜଣେ ସୁପ୍ରସିଦ୍ଧ କଳାକାର ମଧ୍ୟ ଥିଲେ । ମୁହୁରୀ, ନିସାନ, ଘୁଡୁକା, ଖଞ୍ଜଣୀ ଓ ବଂଶୀ ବାଦନରେ ତାଙ୍କର ଅସାଧାରଣ ପ୍ରତିଭା ଥିଲା । ଲୋକକଳାକୁ ଜୀବନ୍ତ ରଖିବାରେ ତାଙ୍କ ଅବଦାନ ଅଞ୍ଚଳବାସୀ ସଦା ସ୍ମରଣ କରିବେ ।

ସ୍ୱର୍ଗତ ଗରିବ ତାଣ୍ଡି ଅଲେଖ ମହିମା ଧର୍ମର ଅନୁଗାମୀ ହୋଇ ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ । ତାଙ୍କର ନିଷ୍ଠା, ସରଳତା ଓ ମାନବିକତା ପାଇଁ ସେ ସବୁବେଳେ ଲୋକଙ୍କ ମନରେ ଅମର ରହିବେ ।

ତାଙ୍କ ବିୟୋଗରେ ପୁତ୍ର ଯୁଧିଷ୍ଠିର ତାଣ୍ଡି, ଅଗଷ୍ଟି ତାଣ୍ଡି, ଝିଅ ଅନୁସୟା ବାଗ, ନାତି ନବୀନ ତାଣ୍ଡି ଓ ବୃଷଭ ତାଣ୍ଡି ସମେତ ସମସ୍ତ ପରିବାରବର୍ଗ ଗଭୀର ଶୋକରେ ଅଛନ୍ତି । ତାଙ୍କ ଅନ୍ତିମ ବିଦାୟରେ ଅଞ୍ଚଳର ବହୁ ଲୋକ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *