Header-News-Banner

ସୀମିତ ସମ୍ବଳ, ଅସୀମ ସାହସ: ମୃତ୍ୟୁମୁଖରୁ ଯୁବକଙ୍କୁ ଫେରାଇ ଆଣିଲା ନୂଆପଡ଼ା ଡାକ୍ତରୀ ଦଳ

0
WhatsApp Image 2026-06-27 at 8.53.39 AM

ରାତି ୩ଟାରୁ ୪ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର; ପୁଣି ପ୍ରମାଣିତ ହେଲା—‘ସେବା ହିଁ ସର୍ବୋତ୍ତମ ଧର୍ମ’

ନୂଆପଡ଼ା: ୨୬/୦୬ (କଳିଙ୍ଗ ଫୋକସ) ମଳୟ ମେହେର: ଚିକିତ୍ସା କେବଳ ଏକ ପେଶା ନୁହେଁ, ଏହା ମାନବିକତା, ସେବା ଓ ଜୀବନ ପ୍ରତି ଅପାର ସମର୍ପଣର ଏକ ମହାନ ପ୍ରତିଶ୍ରୁତି । ସେହି ପ୍ରତିଶ୍ରୁତିକୁ ପୁଣିଥରେ ସାର୍ଥକ କରିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଦଳ । ସୀମିତ ସୁବିଧା ଓ ସମ୍ବଳ ମଧ୍ୟରେ ଅସାଧାରଣ ସାହସ, ଦକ୍ଷତା ଏବଂ ନିଷ୍ଠାର ପରିଚୟ ଦେଇ ଜଣେ ୧୮ ବର୍ଷୀୟ ଯୁବକଙ୍କ ଜୀବନ ବଞ୍ଚାଇ ସେମାନେ ପୁଣିଥରେ ଲୋକଙ୍କ ବିଶ୍ୱାସକୁ ଦୃଢ଼ କରିଛନ୍ତି?।

ଗୁରୁବାର ରାତିରେ ଜୋଙ୍କ ଥାନା ଅନ୍ତର୍ଗତ ବୁଢ଼ୀପାଲି ପଞ୍ଚାୟତର ପଲସାଭାଦର ଗ୍ରାମର ୧୮ ବର୍ଷୀୟ ଯୁବକ ଆକାଶ ଯାଦବ ଛତିଶଗଡ଼-ଓଡ଼ିଶା ସୀମାନ୍ତ ଟେମରି ଅଞ୍ଚଳର ଏକ ମେଳାକୁ ଯାଇଥିବା ବେଳେ କିଛି ଅସାମାଜିକ ଯୁବକଙ୍କ ସହ ବଚସାରେ ଜଡ଼ିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିବାଦ ଉଗ୍ର ରୂପ ନେବା ସହ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ତାଙ୍କ ପେଟ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇ ଅନ୍ତନଳୀ ବାହାରକୁ ଚାଲିଆସିଥିଲା । ଏହା ସହ ଯକୃତ ମଧ୍ୟ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇ ପ୍ରଚୁର ରକ୍ତସ୍ରାବ ହେଉଥିଲା । ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିବା ଯୁବକଙ୍କୁ ତୁରନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।

ସେତେବେଳେ ପ୍ରତ୍ୟେକ ମିନିଟ୍ ମୂଲ୍ୟବାନ ଥିଲା । ଡ୍ୟୁଟିରେ ଥିବା ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିରେଖା ନାୟକ ପରିସ୍ଥିତିର ଗମ୍ଭୀରତା ବୁଝି ତୁରନ୍ତ ଅପରେସନ ଥିଏଟର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ରାତି ପ୍ରାୟ ୩ଟାରେ ଆରମ୍ଭ ହୋଇଥିବା ଏହି ଜରୁରୀକାଳୀନ ଅସ୍ତ୍ରୋପଚାର ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିଥିଲା । ଲିଭର ଓ ପେଟର ଜଟିଳ ଆଘାତ ସତ୍ତ୍ୱେ ଡାକ୍ତରୀ ଦଳ ଧୈର୍ଯ୍ୟ, ଦକ୍ଷତା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରି ଯୁବକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।

ଏହି ଜୀବନରକ୍ଷାକାରୀ ଅସ୍ତ୍ରୋପଚାରରେ ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିରେଖା ନାୟକଙ୍କ ସହ ଏନେସ୍ଥେସିଆ ବିଶେଷଜ୍ଞ ଡାକ୍ତର ରଶ୍ମିଜିତ ବେହେରା, ସର୍ଜରୀ ବିଶେଷଜ୍ଞ ଡାକ୍ତର ଗୋବିନ୍ଦ ଚନ୍ଦ୍ର ସାହୁ, ଓ.ଟି. ଆସିଷ୍ଟାଣ୍ଟ ସୁଭରାଂଶୁ ଓ ଅଜୟ ସାହୁ, ହାଉସକିପିଂ କର୍ମଚାରୀ ହେମଲତା ସାହାନୀ ପ୍ରମୁଖ ସମନ୍ୱୟର ସହ କାର୍ଯ୍ୟ କରିଥିଲେ। ଅଧାରାତିରେ ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଯେ ଗୋଟିଏ ଜୀବନକୁ ବଞ୍ଚାଇବା ।

ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ସୁନାବେଡ଼ା ଅଞ୍ଚଳର ଜଣେ ଶିଶୁଙ୍କ ଶରୀରରୁ ସଫଳତାର ସହ ତୀର ବାହାର କରି ଏହି ଡାକ୍ତରୀ ଦଳ ରାଜ୍ୟବ୍ୟାପୀ ପ୍ରଶଂସା ସାଉଁଟିଥିଲେ । ଏବେ ପୁଣି ଆଉ ଏକ ଜଟିଳ ଅସ୍ତ୍ରୋପଚାରରେ ସଫଳତା ପାଇ ସେମାନେ ପ୍ରମାଣ କରିଛନ୍ତି ଯେ, ଦକ୍ଷତା, ସମର୍ପଣ ଓ ମାନବିକତା ଥିଲେ ସୀମିତ ସମ୍ବଳ ମଧ୍ୟ କେବେ ବାଧା ହୋଇପାରେ ନାହିଁ ।

ବର୍ତ୍ତମାନ ଆକାଶ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଥିବା ଜଣାପଡ଼ିଛି । ତାଙ୍କ ଜୀବନ ବଞ୍ଚିଯିବା ପରେ ପରିବାର ସଦସ୍ୟଙ୍କ ସହ ସମଗ୍ର ଅଞ୍ଚଳବାସୀ ଡାକ୍ତରୀ ଦଳ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।

ଅତ୍ୟାଧୁନିକ ଯନ୍ତ୍ରପାତି ଅପେକ୍ଷା ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ମାନବିକତା ଅଧିକ ଶକ୍ତିଶାଳୀ, ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଡାକ୍ତରୀ ଦଳ ପୁଣିଥରେ ତାହା ପ୍ରମାଣ କରିଛନ୍ତି । ସେମାନଙ୍କର ଏହି କାର୍ଯ୍ୟ କେବଳ ଜଣେ ଯୁବକଙ୍କ ଜୀବନ ବଞ୍ଚାଇନି, ବରଂ ସମାଜକୁ ଏକ ପ୍ରେରଣାଦାୟକ ବାର୍ତ୍ତା ଦେଇଛି ଯେ ସେବା, ସମର୍ପଣ ଓ ସାହସ ହିଁ ପ୍ରକୃତ ବୀରତ୍ୱର ପରିଚୟ ।

Spread the love

Leave a Reply

Your email address will not be published. Required fields are marked *