Header-News-Banner

ଦିବ୍ୟ ରଥକୁ ଦେଖି ଭକ୍ତିରେ ଭିଜିଲା ଝାରପୋଖରିଆ; ବ୍ରିଗେଡ୍ ସ୍କୁଲରେ ଭବ୍ୟ ସମାଗମ

0
bccbaf9e-c7ac-4dfd-b759-32be3c908402

ଓଡ଼ିଶା ବ୍ରିଗେଡ୍ ସ୍କୁଲରେ ଭକ୍ତିମୟ ପରିବେଶ

ସାରସକଣା:୨୨/୦୯(ପ୍ରଶାନ୍ତ କୁମାର ସାମନ୍ତରାୟ)
ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପ୍ରେମ, ଶାନ୍ତି ଓ ସେବାର ବାର୍ତ୍ତା ନେଇ ସମଗ୍ର ଭାରତ ପରିକ୍ରମା କରୁଥିବା ଦିବ୍ୟ ‘ପ୍ରେମ ପ୍ରବାହିନୀ’ ରଥ ମଙ୍ଗଳବାର ଝାରପୋଖରିଆସ୍ଥିତ ଓଡ଼ିଶା ବ୍ରିଗେଡ୍ ସ୍କୁଲରେ ପହଞ୍ଚିଥିଲା। ରଥକୁ ବିଦ୍ୟାଳୟ ପରିସରରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭବ୍ୟ ସ୍ୱାଗତ କରାଯାଇଥିଲା।ସୂଚନାନୁଯାୟୀ, ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପୁଟ୍ଟପର୍ତ୍ତୀ ଜନ୍ମସ୍ଥଳୀରୁ ଆରାଧନା ମହୋତ୍ସବ ଅବସରରେ ୨୦୨୫ ଏପ୍ରିଲ ୨୪ରୁ ୫ଟି ଦିବ୍ୟ ରଥ ସମଗ୍ର ଦେଶ ପରିକ୍ରମା କରୁଛି। ଏହା ମଧ୍ୟରୁ ଗୋଟିଏ ରଥ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ଦେଉଛି।ଗତ ୨୦ ତାରିଖରେ ମୟୂରଭଞ୍ଜରେ ପ୍ରବେଶ କରିଥିବା ଏହି ରଥ ମଙ୍ଗଳପୁର, ଚିତ୍ରଡା, ବୈଶିଙ୍ଗା ଓ ବେତନଟୀ ଦେଇ ଉଦଳାରେ ରାତ୍ରିଯାପନ କରିଥିଲା। ୨୧ ତାରିଖରେ ବାରିପଦାରେ ପହଞ୍ଚିବା ପରେ ମଙ୍ଗଳବାର ସକାଳେ କୁଳିଅଣାରେ ଭକ୍ତଙ୍କୁ ଦର୍ଶନ ଦେଇ ଝାରପୋଖରିଆ ଅଭିମୁଖେ ଆସିଥିଲା। ପୂର୍ବାହ୍ନ ପ୍ରାୟ ୧୦ଟାରେ ରଥ ଓଡ଼ିଶା ବ୍ରିଗେଡ୍ ସ୍କୁଲରେ ପହଞ୍ଚିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ କେନ୍ଦୁଝର ଅଭିମୁଖେ ଯାତ୍ରା କରିଥିଲା।
ରଥ ପହଞ୍ଚିବା ପରେ ବିଦ୍ୟାଳୟର ଯୁଗ୍ମ ସମ୍ପାଦିକା ଦୀପିକା ଦାଶ ଓ ଅଧ୍ୟକ୍ଷା ମିତାଞ୍ଜଳି ଶାସମଲ ସ୍ୱାଗତ କାର୍ଡ ଅର୍ପଣ କରି ରଥକୁ ସ୍ୱାଗତ କରିଥିଲେ। ବିଦ୍ୟାଳୟ ସମ୍ପାଦକ ସାଇକୃପା ଜେନା ଓ ପୁରାତନ ସତ୍ୟସାଇ ଆଶ୍ରିତ ଅମିୟ ଦ୍ୱାରୀଙ୍କ ଦ୍ୱାରା ମଙ୍ଗଳ ଆରତୀ କରାଯାଇଥିଲା।ଏହି ଅବସରରେ ବହୁ ସଂଖ୍ୟକ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ଦିବ୍ୟ ରଥ ଦର୍ଶନ କରିଥିଲେ। ଶ୍ରୀ ସତ୍ୟସାଇ ସେବା ସଂଗଠନ, ମୟୂରଭଞ୍ଜର ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ସାହୁ, ଜିଲ୍ଲା ବେଦ ପ୍ରଶିକ୍ଷକ ଭାଗ୍ୟଧର ନନ୍ଦ, ଭଜନ ପ୍ରଶିକ୍ଷକା କଳ୍ପନା ମହାନ୍ତି ଓ ପାଦାମ୍ବୁଜ ଗ୍ରାମ ଇନ୍-ଚାର୍ଜ ଅମ୍ବିକା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଶ୍ରୀ ସତ୍ୟସାଇ ବାବାଙ୍କ ‘ମାନବ ଜାତି, ପ୍ରେମର ଧର୍ମ, ହୃଦୟର ଭାଷା’ ବାର୍ତ୍ତା ଉପରେ ଆଲୋକପାତ କରାଯାଇଥିଲା। ରଥର ଆଗମନକୁ ନେଇ ବିଦ୍ୟାଳୟ ପରିସର ଭକ୍ତିମୟ ହୋଇଉଠିଥିବାବେଳେ ଶେଷରେ ମଙ୍ଗଳ ଆରତୀ ସହ ସମସ୍ତଙ୍କ ଶାନ୍ତି, ମଙ୍ଗଳ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *