ସରପଞ୍ଚଙ୍କ ବାହାଘରରେ ନିଆରା ଦୃଶ୍ୟ : ଭୋଜି ବାଣ୍ଟିଲେ ବିଡ଼ିଓ ଲକ୍ଷ୍ମଣ ମାଝୀ ।
ବରଗଡ :୧୩/୦୩(ଯୋଗେନ୍ଦ୍ର ସାହୁ) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବାହାଘର ଅବସରରେ ଆୟୋଜିତ ଭୋଜି କାର୍ଯ୍ୟକ୍ରମରେ ବିଡିଓ ମହାଶୟ ଯୋଗଦେଇ ଅତିଥିମାନଙ୍କୁ ନିଜ ହାତରେ ଭୋଜି ବାଣ୍ଟିଥିବା ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁଯାଇଛି। ସାଧାରଣତଃ ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ଥିବା ସତ୍ତ୍ୱେ ଏଭଳି ସାଧାରଣ ଲୋକଙ୍କ ସହ ମିଶି ଭୋଜି ବଣ୍ଟନ କରିବା ତାଙ୍କର ସରଳତା ଓ ମାନବିକତାକୁ ପ୍ରକାଶ କରିଛି। ବାହାଘର ଅବସରରେ ଗ୍ରାମବାସୀ ଓ ଅତିଥିମାନଙ୍କ ଭିଡ଼ ଲାଗିଥିବା ବେଳେ ବିଡିଓ ମହାଶୟ ସମସ୍ତଙ୍କ ସହ ମିଶି ଖୁସିମନେ ଭୋଜି ବାଣ୍ଟିଥିଲେ। ତାଙ୍କର ଏହି ନିଆରା ଅନ୍ଦାଜକୁ ଦେଖି ଉପସ୍ଥିତ ଲୋକମାନେ ବହୁତ ପ୍ରଶଂସା କରିଥିଲେ। ତେବେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ବିଡ଼ିଓ ମହାଶୟ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ରାସ୍ତା, ପାଣି, ବିଦ୍ୟୁତ, ଆବାସ ଯୋଜନା, ଭତ୍ତା, ରାସନ୍ ଭଳି ମୌଳିକ ସୁବିଧା ନେଇ ସେ ସଦା ସକ୍ରିୟ। ସାଧାରଣ ଲୋକଙ୍କ ଅଭିଯୋଗକୁ ଗମ୍ଭୀରତା ର ସହ ଶୁଣି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବା ତାଙ୍କର ପ୍ରଶାସନିକ ଶୈଳୀର ମୂଳ ଲକ୍ଷଣ। ବିଶେଷକରି ଅସହାୟ, ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଓ ଗରିବ ପରିବାରମାନଙ୍କ ପାଇଁ ସରକାରୀ ଯୋଜନାର ସଠିକ୍ ଲାଭ ପହଞ୍ଚାଇବାରେ ବିଡିଓଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଦୂରଦୂରାନ୍ତ ଗ୍ରାମକୁ ଯାଇ ସ୍ଥଳୀୟ ତଦନ୍ତ, ସମୀକ୍ଷା ଓ ଲୋକସମ୍ପର୍କ ତାଙ୍କୁ ସାଧାରଣ ମନୁଷ୍ୟଙ୍କ ନିକଟକୁ ଆଣିଛି। ଆଜିର ଏହି ଭୋଜି ବଣ୍ଟନ କାର୍ଯ୍ୟକୁ ଦେଖି ସାଧାରଣ ଲୋକମାନେ କହିଥିଲେ ଯେ, ଏଭଳି ଦକ୍ଷ ଓ ସରଳ ପ୍ରଶାସକ ଲୋକଙ୍କ ସହ ମିଶିଥିବାରୁ ସମାଜରେ ସମ୍ମାନ ଓ ଆତ୍ମୀୟତାର ପରିବେଶ ସୃଷ୍ଟି ହୁଏ। ବିଡିଓ ମହାଶୟଙ୍କ ଏହି ମାନବିକ ଭାବନାକୁ ସ୍ଥାନୀୟ ଅଞ୍ଚଳରେ ବହୁତ ସ୍ୱାଗତ କରାଯାଇଛି।