ଝାରପୋଖରିଆ ସାପ୍ତାହିକ ହାଟକୁ ୪,୧୬,୭୨୦ ଟଙ୍କାରେ ନିଲାମ ନେଲେ ଅଜିତମହାନ୍ତ
ସାରସକଣା:୨୭/୦୩(ପ୍ରଶାନ୍ତ କୁମାର ସାମନ୍ତରାୟ)
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଜଣାଶୁଣା ଝାରପୋଖରିଆ ପଞ୍ଚାୟତ ଝାରପୋଖରିଆ ଠାରେ ବସୁଥିବା ସାପ୍ତାହିକ ମଙ୍ଗଳବାର ହାଟକୁ ଗତକାଲି ନିଲାମ ଡାକରା କରାଯାଇଛି।ମୟୂରଭଞ୍ଜ ଜିଲ୍ଲା ଉପଜିଲ୍ଲାପାଳ ବାରିପଦା ଙ୍କ ଅନୁମୋଦିତ କ୍ରମେ ସାରସକଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତିଙ୍କ ପ୍ରେରିତ ଚିଠି ନମ୍ବର ୧୦୦୯ ତା୧୦-୦୩-୨୦୨୬ରିଖ ଅନୁଯାୟୀ ଗତକାଲି ଗୁରୁବାର ଦିବା ୧୧ ଘଟିକା ସମୟରେ ପଞ୍ଚାୟତର ସରପଞ୍ଚ ମାଳତୀ ସିଂ ଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସଭାକକ୍ଷରେ ନିଲାମ ପ୍ରକ୍ରିୟା କରାଯାଇଥିଲା।ଏଥିରେ ସାରସକଣା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାହୁ ନୋଡାଲ ଅଧିକାରୀ ଭାବେ ଅନ୍ୟାନ୍ୟ ବଜାରର ନିଲାମ ଡାକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପଞ୍ଚାୟତର ସରପଞ୍ଚ ମାଳତୀ ସିଂ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ପୁଷ୍ପାଞ୍ଜଳି ରାଉତ,ଏଡିଓ ଅଜୟ କୁମାର ଗିରୀଙ୍କ ସହିତ ନିଲାମଧାରୀ ମାନେ ଯୋଗଦେଇ ନିଲାମ ଡାକରେ ସହଭାଗିତା ହୋଇଥିଲେ।ଝାରପୋଖରିଆ(ବମ୍ୱେଛକ)ସାପ୍ତାହିକ ହାଟଟି ଗତ ୨୦୨୫-୨୬ ବର୍ଷରେ ୩ଲକ୍ଷ ୭୮ ହଜାର ୭୨୦ ଟଙ୍କାରେ ନିଲାମ ହୋଇଥିବାବେଳେ ଚଳିତ ବର୍ଷ ଏହାକୁ ସରକାରଙ୍କ ପକ୍ଷରୁ ୧୦ ଶତାଂଶ ଅଧିକ ହାରରେ ସରକାରୀ ଧାର୍ଯ୍ୟ ଭାବେ ୨୦୨୬-୨୭ ବର୍ଷ ନିମନ୍ତେ ୪ ଲକ୍ଷ ୧୬ ହଜାର ୫୭୦ ଟଙ୍କା ଥିବାବେଳେ ଏହାକୁ ଚଳିତ ବର୍ଷ ପାଇଁ ଉକ୍ତ ପଞ୍ଚାୟତର ଝାଡବେଡା ଗ୍ରାମର ଅଜିତ କୁମାର ମହାନ୍ତ ୪ ଲକ୍ଷ ୧୬ ହଜାର ୭୨୦ ଟଙ୍କାରେ ଡାକ ନିଲାମ ନେଇଛନ୍ତି।ସେହିପରି ଝାରପୋଖରିଆ ଦୈନିକ ବଜାରରେ ମାସୁଲ ଆଦାୟ ନିମନ୍ତେ ନିଲାମ କରାଯାଇଥିଲା।ଏହା ଗତ ୨୦୨୫-୨୬ରେ ୨୬ ହଜାର ୩୦୦ ଟଙ୍କାରେ ନିଲାମ କରାଯାଇଥିବା ବେଳେ ଚଳିତ ଅଧିବର୍ଷ ୨୬-୨୭ ପାଇଁ ସରକାରୀ ଧାର୍ଯ୍ୟ ୨୮ ହଜାର ୯ ଶହ ୩୦ ଟଙ୍କା ରଖାଯାଇଥିବା ବେଳେ ଏହାକୁ ରାଜାଲୋକା ଗ୍ରାମର ଶିବ ଶଙ୍କର ସାହୁ ୨୯ ହଜାର ଟଙ୍କା ରେ ନିଲାମ ନେଇଛନ୍ତି।ଉକ୍ତ ଝାରପୋଖରିଆ ପଞ୍ଚାୟତର ବମ୍ୱେଛକ ଠାରେ ଥିବା କଂସେଇଖାନା ଟିକୁ ନିଲାମ ଡାକ କରାଯାଇଛି।ଏହା ଗତ ୨୫-୨୬ ବର୍ଷରେ ୧୬ ହଜାର ୮୨୦ ଟଙ୍କା ନିଲାମ ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ନିମନ୍ତେ ଏହାକୁ ସରକାରୀ ଧାର୍ଯ୍ୟ ଭାବେ ୧୮ ହଜାର ୫୦୨ ଟଙ୍କା ରଖାଯାଇଛି।ଏହାକୁ ଚଳିତ ବର୍ଷ ରାଜାଲୋକା ଗ୍ରାମର ଶିବ ଶଙ୍କର ସାହୁ ୧୮ ହଜାର ୬ ଶହ ରେ ନିଲାମ ଡାକ ନେଇଥିବାର ପଞ୍ଚାୟତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।ସୂଚନାଯୋଗ୍ୟ ଯେ ଝାରପୋଖରିଆ ପଞ୍ଚାୟତ ରେ ଥିବା ନିଲାମ ହାଟ,ଦୈନିକ ବଜାର ତଥା ଅନ୍ୟାନ୍ୟ ନିଲାମ ସ୍ଥଳ ଗୁଡ଼ିକୁ ୨ୟ ପର୍ଯ୍ୟାୟ ରେ ଆଜି ୨୮ ତାରିଖ ଶନିବାର ଦିନ ନିଲାମ ଡାକ କରାଯିବାର ନିର୍ଦ୍ଦେଶ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।