ଗ୍ରାମୀଣ ହାଟ ଉଦଘାଟନ ଏବଂ ମହିଳା ଦିବସ ପାଳନ
ଗ
ଗଣିଆ ୧୩/୦୩(ସରୋଜ କୁମାର ଦାଶ) ଗଣିଆ ହାଟ ପଡିଆ ପରିସରରେ ନାବାର୍ଡ ସହାୟତାରେ ନିର୍ମାଣ କରାଯାଇଥିବା ଗ୍ରାମୀଣ ହାଟ ଉଦଘାଟିତ ହୋଇଥିବା ଜଣାପଡିଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ନାବାର୍ଡର ଜି.ଏମ୍ ସମିର ରଞ୍ଜନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳିକା ତୃପ୍ତି ତାପସୀ,ସିଡିପିଓ ଉଷାରାଣୀ ସାହୁ,ସୁପରଭାଇଜର କଳ୍ପନା ମିଶ୍ର,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ,ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକ, ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଏହି ହାଟକୁ ଉଦଘାଟନ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗଣିଆ ଉନ୍ନୟନ କମିଟି ପରିଚାଳନା ତଥା ନାବାର୍ଡର ସହାୟତାରେ ଗଣିଆ ହାଟପଡିଆରେ ଗ୍ରାମୀଣ ହାଟ ନିର୍ମାଣ କରାଯାଇଛି । ବ୍ୟବସାୟୀ ମାନଙ୍କ ପାଇଁ ୪୮ଟି ପିଣ୍ଡି ନିର୍ମାଣ କରିବା ସହିତ ଗୋଦାମ ଗୃହ ଏବଂ ଶୈଚାଳୟ ମଧ୍ୟ ନିର୍ମାଣ କରାଯାଇଛି । ମୁଖ୍ୟ ଅତିଥି ଗଣିଆ ହାଟରେ ବ୍ୟବସାୟୀ ମାନଙ୍କ ସହିତ ଆଲୋଚନା କରିଥିବା ବେଳେ ସେମାନେ ଏକ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଗଣିଆ ଉନ୍ନୟନ କମିଟି ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା । ମହିଳା ମାନେ ସବୁ କ୍ଷେତ୍ରରେ ଆଗକୁ ଆସିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ମତ ଦେଇଥିଲେ । ରାଜ୍ୟରେ ଲକ୍ଷ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଆଗକୁ ଆସି ନିଜର ପରିବାର ପ୍ରତିପୋଷଣ କରିପାରିଛନ୍ତି । ମହିଳା ମାନଙ୍କ ଦ୍ବାରା ମାଣ୍ଡିଆରୁ ତିଆରି ଅନେକ ଖାଦ୍ୟ ସାମଗ୍ରୀକୁ ଅତିଥି ମାନେ ପରିଦର୍ଶନ କରିଥିବା ବେଳେ ତାର ସ୍ବାଦ ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ମହିଳା ମାନଙ୍କୁ ପ୍ରଶଂସା କରିଥିଲେ । ନୟାଗଡ ଜିଲ୍ଲାର ଶ୍ରେଷ୍ଠ ଉଦ୍ୟୋଗୀ ଭାବେ ପାରଦର୍ଶିତା ଲାଭ କରିଥିବା
ରଣପୁରର ଲକ୍ଷ୍ମୀପ୍ରିୟା ଦଳବେହେରା,ସୁଷମା ପାତ୍ର, ଦଶପଲ୍ଲା ଜୟ ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀର ନିରୁପମା ମେହେର,ସୁଭାଶିନୀ ମେହେର, ବେଲପଡାପାଟଣାର ଉଷାରାଣୀ ପଣ୍ଡା,କାଦୁଆର ମମତା ମହାନ୍ତି,ଇନ୍ଦିପଟାର ରଞ୍ଜୁଲତା ପଣ୍ଡା,ଗଣିଆର ଗାରିମା ଗ୍ରାମ୍ୟ ଦୋକାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଭାପତି ଉଷା ପଟ୍ଟନାୟକ ପରିଚାଳନା କରିଥିଲେ । ପ୍ରାୟ ୨ ଶହରୁ ଅଧିକ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।