ସିନାପାଲିରେ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା: ପାଞ୍ଚଦିନିଆ ଧାର୍ମିକ ମହୋତ୍ସବର ସଫଳ ସମାପ୍ତି
ସିନାପାଲି, ୨୭/୦୪ (କଳିଙ୍ଗ ଫୋକସ): ମଳୟ ମେହେର: ନୂଆପଡା ଜିଲ୍ଲା ସିନାପାଲିରେ ନବନିର୍ମିତ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ପୂର୍ଣ୍ଣାହୁତି ସହ ଅତ୍ୟନ୍ତ ଭକ୍ତିମୟ ପରିବେଶରେ ସମାପ୍ତ ହୋଇଛି । ପାଞ୍ଚଦିନ ବ୍ୟାପି ଚାଲିଥିବା ଏହି ଧାର୍ମିକ ମହୋତ୍ସବ ସାରା ଅଞ୍ଚଳକୁ ଆଧ୍ୟାତ୍ମିକ ଉତ୍ସାହରେ ମୁଗ୍ଧ କରିଦେଇଛି । ଆଜି ସକାଳୁ ଧ୍ବଜାରୋହଣ, ବିଗ୍ରହଙ୍କ ନଗର ପରିକ୍ରମା ଓ ମନ୍ଦିର ପ୍ରବେଶ ନୀତି ସହ ଶେଷ ଦିନର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଗତ ଗୁରୁବାର ଭବ୍ୟ କଳସ ଶୋଭାଯାତ୍ରା ସହ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତିଦିନ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଭଳି ପବିତ୍ର କାର୍ଯ୍ୟ ସହ ରୁଦ୍ରାଭିଷେକ, ଷୋଡଶଉପଚାର, ଚଣ୍ଡୀପାଠ ଓ ସୂର୍ଯ୍ୟପୂଜା ଆଦି ରୀତିନୀତି ଅନୁଷ୍ଠିତ ହୋଇଥିଲା । ଉତ୍ସବ ଅବସରରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବୈଠକୀ କୀର୍ତନ ଭକ୍ତମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା । ଅଞ୍ଚଳ ସହିତ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ମହୋତ୍ସବରେ ଯୋଗଦେଇ ଭଗବାନ ଶିବଙ୍କ ଆଶୀର୍ବାଦ ଲାଭ କରିଥିଲେ । ଉତ୍ସବ ପରିଚାଳନା କମିଟିର ସଭାପତି ସୁବାଷ ଅଗ୍ରୱାଲଙ୍କ ନେତୃତ୍ୱରେ ଉପସଭାପତି ଈଶ୍ୱର ପ୍ରସାଦ ମେହେର, ସମ୍ପାଦକ ଚନ୍ଦ୍ରଶେଖର ମେହେର, ସହ-ସମ୍ପାଦକ ଗଣେଶରାମ ମେହେର ଓ କୋଷାଧକ୍ଷ ସନ୍ତୋଷ କୁମାର ମେହେର ସହ ଅନ୍ୟାନ୍ୟ ସଦସ୍ୟମାନେ ଏହି ବିଶାଳ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପାଦନ କରିଥିଲେ । ଦଶ ଯୋଡ଼ା ଦମ୍ପତି କର୍ତ୍ତା ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ପୂଜକ ଭାବେ ହରିଶ୍ଚନ୍ଦ୍ର ଖମାରୀ ନୀତିକାର୍ଯ୍ୟ ସଂଚାଳନ କରିଥିଲେ । ଇତିହାସର ପୃଷ୍ଠାକୁ ଲେଉଟି ଦେଖିଲେ, ପ୍ରାୟ ୧୯୪୦ ମସିହାରେ ଧର୍ମପ୍ରାଣ ବ୍ୟକ୍ତି ଧନୁ ମେହେରଙ୍କ ଉଦ୍ୟମରେ ଏକ ଗଛ ମୂଳରେ ଆରମ୍ଭ ହୋଇଥିବା ଏହି ଶିବ ଉପାସନା କ୍ରମେ ‘ମହାଦେବଗୁଡ଼ି’ ଭାବେ ପରିଚିତ ହୋଇ ଲୋକମାନଙ୍କ ଅଟୁଟ ବିଶ୍ୱାସର କେନ୍ଦ୍ରବିନ୍ଦୁ ହୋଇଉଠିଥିଲା । ବର୍ଷକାଳ ଧରି ଅନେକ ଭକ୍ତଙ୍କ ମନସ୍କାମନା ପୂରଣର କଥା ଏହି ପୀଠ ସହ ଜଡିତ ରହିଛି । ପରେ ୨୦୧୬ ମସିହାରେ ସେତେବେଳର ସରପଞ୍ଚ ସତ୍ୟବାନ ମେହେର ଓ ସ୍ଥାନୀୟ ସଚେତନ ମଣିଷମାନଙ୍କ ଉଦ୍ୟମରେ ଯମୁନା ମେହେରଙ୍କ ଦାନ କରାଯାଇଥିବା ଭୂମିରେ ସର୍ବସାଧାରଣଙ୍କ ସହଯୋଗରେ ଏହି ଗୁଡ଼ିକୁ ଭବ୍ୟ ମନ୍ଦିରରେ ପରିଣତ କରିବାର ପ୍ରୟାସ ଆରମ୍ଭ ହୋଇଥିଲା । ଆଜି ସେହି ସ୍ୱପ୍ନ ପ୍ରକାଶ ରୂପ ନେଇଥିବାରୁ ସାରା ଅଞ୍ଚଳରେ ଆନନ୍ଦ ଓ ଗର୍ବର ଲହରୀ ଖେଳିଯାଇଛି । ବଂଶାନୁକ୍ରମେ ସୌଦାଗର ଦାସଙ୍କ ପରିବାର ଏହି ମନ୍ଦିରର ପୂଜା ଦାୟିତ୍ୱ ବହନ କରୁଥିବା ବେଳେ ବର୍ତ୍ତମାନ ତାଙ୍କ ଉତ୍ତରାଧିକାରୀ ଭୀଷ୍ମରାଜ ଦାସ ଏହାକୁ ଆଗେଇ ନେଉଛନ୍ତି । ଏହି ଭବ୍ୟ ଶିବମନ୍ଦିର କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସମୂହ ଏକତା, ଶ୍ରଦ୍ଧା ଓ ସମର୍ପଣର ଜୀବନ୍ତ ଦୃଷ୍ଟାନ୍ତ ଭାବେ ସ୍ଥାପିତ ହୋଇଛି । ସିନାପାଲିର ଏହି ଐତିହାସିକ ଅବସର ଆଗାମୀ ଦିନରେ ଧାର୍ମିକ ପର୍ଯ୍ୟଟନ ଓ ସାମାଜିକ ସମୃଦ୍ଧିର ନୂଆ ଦିଗ ଖୋଲିବ ବୋଲି ସ୍ଥାନୀୟ ଶ୍ରଦ୍ଧାଲୁମାନେ ଆଶା ବ୍ୟକ୍ତ କରିଛନ୍ତି ।