ପଲିଥିନ ମୁକ୍ତ ଗାଁ’ର ସଂକଳ୍ପରେ ଲାଞ୍ଜି: ସ୍ୱଚ୍ଛତା ପଦଯାତ୍ରା, ବୃକ୍ଷରୋପଣ ଓ ପ୍ଲାଷ୍ଟିକ ବିରୋଧୀ ଅଭିଯାନରେ ଜନସହଭାଗିତା
ଖଡ଼ିଆଳ, ୧୯/୦୭ (କଳିଙ୍ଗ ଫୋକସ) ଭଜନ ଲାଲ ଜଗତ: ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସୁସ୍ଥ ସମାଜ ଗଠନର ସଂକଳ୍ପକୁ ନେଇ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ଗ୍ରାମପଞ୍ଚାୟତରେ “ପଲିଥିନ ମୁକ୍ତ ଗାଁ ଆମର ନିଷ୍ପତ୍ତି” ଶୀର୍ଷକରେ ଏକ ବ୍ୟାପକ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ସକ୍ରିୟ ସହଭାଗିତା ଓ ପ୍ରଶାସନର ସମନ୍ୱିତ ପ୍ରୟାସ ଏହି କାର୍ଯ୍ୟକ୍ରମକୁ ସଫଳତାର ଏକ ନୂଆ ଦିଗ ପ୍ରଦାନ କରିଛି । ଲାଞ୍ଜି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବୈଦେହୀ ମାଝିଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ଗ୍ରାମକୁ ପଲିଥିନ ମୁକ୍ତ କରିବା ସହ ସ୍ୱଚ୍ଛ ଓ ସବୁଜ ପରିବେଶ ଗଠନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଦୋକାନକୁ ଯାଇ ପଲିଥିନ ବ୍ୟବହାରର ଯାଞ୍ଚ କରାଯିବା ସହ ବ୍ୟବସାୟୀମାନଙ୍କୁ କପଡ଼ା ଓ କାଗଜ ବ୍ୟାଗ ବ୍ୟବହାର ପାଇଁ ପ୍ରେରିତ କରାଯାଇଥିଲା । ଏହାସହ ସ୍ୱଚ୍ଛତା ପଦଯାତ୍ରା, ବୃକ୍ଷରୋପଣ, ସଫେଇ ଅଭିଯାନ ଏବଂ ବିଭିନ୍ନ ସ୍ଥାନରୁ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରାଯାଇ ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ କରାଯାଇଥିଲା । ସବୁଜ ଗ୍ରାମ ଗଠନର ଲକ୍ଷ୍ୟ ନେଇ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିବାବେଳେ, ପରିବେଶ ସୁରକ୍ଷାରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଉପସ୍ଥିତ ଟିମ୍ ଲାଞ୍ଜି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ପରିବେଶ, ସ୍ୱଚ୍ଛତା ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧାର ସମୀକ୍ଷା କରିଥିଲେ । ଛାତ୍ରୀମାନଙ୍କୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ସମ୍ପର୍କରେ ସଚେତନ କରାଯାଇଥିଲା । ଏହି ଅବସରରେ ଖଡ଼ିଆଳ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ମିଳନ ଝାଙ୍କର, ତହସିଲଦାର ଶ୍ରୀ ନରସିଂହ ଗୋଡ଼ବା, ସିଡିପିଓ ଶ୍ରୀମତୀ ଲତା ନିଗଲ, ଲାଞ୍ଜି ପିଇଓ ଶ୍ରୀମତୀ ସସ୍ମିତା ବେହେରା, ବ୍ଲକ ସାନିଟେସନ ବିଭାଗର ଶ୍ରୀ ବିପିନ ଯୋଶୀ, ଶ୍ରମଜୀବୀ ବିକାଶ ମଞ୍ଚର ମଦନମୋହନ ଜଗତ, ୱାର୍ଡ ସଦସ୍ୟ-ସଦସ୍ୟା, ସ୍ୱଚ୍ଛତା ମିତ୍ର, ସସ୍ମିତା ସାହୁ, ଏମ୍.ବି.କେ. ମାଣିକ୍ୟମାଳା କଛିଆ, ମିଶନ ଶକ୍ତିର ମା’ମାନେ, ଏସ୍ଏଚ୍ଜି ସଦସ୍ୟା ଏବଂ ବହୁସଂଖ୍ୟକ ଜନସାଧାରଣ ସକ୍ରିୟ ଭାବେ ଯୋଗଦେଇଥିଲେ । ଗ୍ରାମର ବିକାଶ କେବଳ ସରକାରୀ ଯୋଜନା ଉପରେ ନିର୍ଭରଶୀଳ ନୁହେଁ, ବରଂ ଗ୍ରାମବାସୀଙ୍କ ସଚେତନତା, ସାମୂହିକ ଅଂଶଗ୍ରହଣ ଓ ଦାୟିତ୍ୱବୋଧ ହିଁ ଏକ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଗ୍ରାମ ଗଠନର ମୂଳ ଚାବିକାଠି ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଲାଞ୍ଜି ଗ୍ରାମପଞ୍ଚାୟତର ଏହି ପଦକ୍ଷେପ ଅନ୍ୟ ଗ୍ରାମପଞ୍ଚାୟତମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି ।