Header-News-Banner

ନୂଆପଡ଼ାରେ ସୂର୍ଯ୍ୟମୁଖୀ ଚାଷର ନୂଆ ବିପ୍ଲବ : ଚାଷୀଙ୍କ ଆୟ ଦ୍ୱିଗୁଣିତ ସହ ଶୁଦ୍ଧ ତେଲର ନୂଆ ଆଶା

0
WhatsApp Image 2026-05-19 at 7.30.27 PM

ନୂଆପଡ଼ା, ତା: ୨୦/୦୫ (କଳିଙ୍ଗ ଫୋକସ) ଭଜନଲାଲ ଜଗତ: କୃଷି ପ୍ରଧାନ ନୂଆପଡ଼ା ଜିଲ୍ଲାରେ ବର୍ତ୍ତମାନ ସୂର୍ଯ୍ୟମୁଖୀ ଚାଷ ଏକ ନୂଆ କୃଷି ବିପ୍ଲବର ଆକାର ନେଉଛି। ପାରମ୍ପରିକ ଧାନ ଚାଷ ସହ ଅଣ-ଧାନ ଚାଷକୁ ଅଗ୍ରାଧିକାର ଦେଇ ଚାଷୀମାନେ ଆର୍ଥିକ ସ୍ୱାବଳମ୍ବନତାର ନୂଆ ପଥ ଖୋଜିପାରୁଛନ୍ତି । ଜିଲ୍ଲାରେ ଚଳିତ ବର୍ଷକୁ “ସୂର୍ଯ୍ୟମୁଖୀ ବର୍ଷ” ଭାବେ ପାଳନ କରାଯାଉଥିବା ବେଳେ, ଏହି ଚାଷ କୃଷକଙ୍କ ପାଇଁ ଲାଭଦାୟକ ଓ ସ୍ୱାସ୍ଥ୍ୟକର ଜୀବନଶୈଳୀର ଏକ ନୂଆ ଦିଗ ଖୋଲିଦେଇଛି । ନୂଆପଡ଼ା ଜିଲ୍ଲାର ବିଶାଳ ଢିପ ଓ ସମତଳ ଜମି ବର୍ଷରୁ ବର୍ଷ ପଡ଼ିଆ ପଡ଼ିରହୁଥିବା ବେଳେ, ବର୍ତ୍ତମାନ ସେହି ଜମିରେ ସୁନାଲି ସୂର୍ଯ୍ୟମୁଖୀ ଫୁଲ ହସୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଣ-ଧାନ ଚାଷ ପ୍ରୋତ୍ସାହନ ନୀତି ସହ ଇକ୍ରୀସେଟ୍ (ICRISAT), ୟାର ସଂସ୍ଥା ଓ କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗରେ ଚାଷୀମାନେ ଉନ୍ନତ ମାନର ସୂର୍ଯ୍ୟମୁଖୀ ଚାଷ କରି ଅଧିକ ଅମଳ ପାଉଛନ୍ତି । ଏହା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେଉଛି । ବିଶେଷ କଥା ହେଉଛି, ସୂର୍ଯ୍ୟମୁଖୀ ମଞ୍ଜିରୁ ପ୍ରସ୍ତୁତ “କଞ୍ଚା ଘାନି” ତେଲ ପ୍ରତି ଲୋକମାନଙ୍କ ଆକର୍ଷଣ ବଢ଼ୁଛି । ବଜାରରେ ମିଶ୍ରିତ ଓ ଅସ୍ୱାସ୍ଥ୍ୟକର ତେଲର ବ୍ୟବହାର ମଧ୍ୟରେ ଏହି ଶୁଦ୍ଧ ସୂର୍ଯ୍ୟମୁଖୀ ତେଲ ଘରୋଇ ରନ୍ଧଣରେ ସ୍ୱାସ୍ଥ୍ୟକର ବିକଳ୍ପ ଭାବେ ଉଭୁ କରିଛି । ଚାଷୀମାନେ ନିଜେ ମଞ୍ଜିରୁ ତେଲ ପିଡ଼ାଇ ବ୍ୟବହାର କରୁଥିବା ବେଳେ ସ୍ଥାନୀୟ ବଜାରରେ ମଧ୍ୟ ଏହାର ଚାହିଦା ବଢ଼ିବାରେ ଲାଗିଛି । କୃଷି ଉତ୍ପାଦିତ ଦ୍ରବ୍ୟ ଉପରେ ଆଧାରିତ ଶିଳ୍ପ ଗଠନ ହେଲେ ନୂଆପଡ଼ା ଜିଲ୍ଲାରେ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି କୃଷି ବିଶେଷଜ୍ଞ ଓ ସଚେତନ ମହଳ ମତ ପ୍ରକାଶ କରିଛନ୍ତି । ଜିଲ୍ଲାର କେନ୍ଦ୍ରସ୍ଥଳରେ ସୂର୍ଯ୍ୟମୁଖୀ ତେଲ ପ୍ରକ୍ରିୟାକରଣ ଓ କୃଷି ଶିଳ୍ପ କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ଦାବି ଜୋର ଧରିଛି । ସୁନାଲି ସୂର୍ଯ୍ୟମୁଖୀ ଫୁଲରେ ଭରିଯାଇଥିବା କ୍ଷେତ ଏବେ କେବଳ ପ୍ରକୃତିର ସୌନ୍ଦର୍ଯ୍ୟକୁ ନୁହେଁ, ବରଂ ଚାଷୀଙ୍କ ଆର୍ଥିକ ସମୃଦ୍ଧି ଓ ସ୍ୱାସ୍ଥ୍ୟକର ଭବିଷ୍ୟତର ନୂଆ ସ୍ୱପ୍ନକୁ ମଧ୍ୟ ପ୍ରତିଫଳିତ କରୁଛି ।

Spread the love

Leave a Reply

Your email address will not be published. Required fields are marked *