Header-News-Banner

ଡୁଡା ସମୀକ୍ଷା ବୈଠକରେ ପ୍ଲାଷ୍ଟିକ ବିରୋଧୀ ଅଭିଯାନକୁ କଡା ନିର୍ଦ୍ଦେଶ

0
WhatsApp Image 2026-05-19 at 7.30.26 PM

ନୂଆପଡା:୧୯/୦୫ ( କଳିଙ୍ଗ ଫୋକସ) ବିଜୟ ବରିହା: ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା) ର ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ତିନୋଟି ଏନଏସି ନୂଆପଡା, ଖଡିଆଳ ଓ ଖରୀଆର ରୋଡର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା କରାଯାଇଥିଲା । ବୈଠକରେ ରାଜସ୍ୱ ସଂଗ୍ରହ, ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ନଗର) ଏବଂ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମଏସବିୱାଇ) ର କାର୍ଯ୍ୟାନ୍ବୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ବିଭିନ୍ନ ଏନଏସିର କାର୍ଯ୍ୟ ପ୍ରଗତି ଓ ଆର୍ଥିକ ତଥ୍ୟ ଉପସ୍ଥାପନ କରିଥିଲେ।ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଅଧୀନରେ ଖରୀଆର ଏନଏସିରେ ଏପର୍ଯ୍ୟନ୍ତ ୨୮୭୩ କିଲୋଗ୍ରାମ, ନୂଆପଡା ଏନଏସିରେ ୧୩୬୧ କିଲୋଗ୍ରାମ ଏବଂ ଖରୀଆର ରୋଡ ଏନଏସିରେ ୪୦୩୭ କିଲୋଗ୍ରାମ ପ୍ଲାଷ୍ଟିକ ଜବତ କରାଯାଇଛି। ଏହା ସହ ପ୍ଲାଷ୍ଟିକ ଡିପୋ ଉପରେ ନିୟମିତ ଚଢାଉ କରିବା ଓ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ କଡାକଡି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ୨.୦ ଅଧୀନରେ ଖରୀଆର ରୋଡ ଏନଏସିରେ ୨୭୯ଟି ଘର ଅନୁମୋଦିତ ହୋଇଥିବା ବେଳେ ୩୯ ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇଛି ଓ ନୂଆପଡା ଏନଏସିରେ ୨୯ ପ୍ରତିଶତ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଛି।ଆବର୍ଜନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ବ୍ୟାଟେରୀ ଚାଳିତ ଯାନ କ୍ରୟ କରି ସେଗୁଡିକୁ ଘରୋଇ ଆବର୍ଜନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିବାକୁ ଜିଲ୍ଲାପାଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହର ସମୀକ୍ଷା କରି ସରକାରୀ କାର୍ଯ୍ୟାଳୟଗୁଡିକ ଯଦି ଟ୍ୟାକ୍ସ ବକେୟା ରଖିଥାନ୍ତି, ତେବେ ସେମାନଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ କରି ଟ୍ୟାକ୍ସ ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଏନଏସି ଦ୍ୱାରା ଅନୁସରଣ କରାଯାଉଥିବା ଉତ୍କୃଷ୍ଟ ପଦ୍ଧତି (Best practices) ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ।
ଆସନ୍ତା ବୈଠକରୁ ଶ୍ରେଷ୍ଠ ଟ୍ୟାକ୍ସ ସଂଗ୍ରାହକଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ସ୍ୱଚ୍ଛତା ୱାର୍ଡକୁ ମଧ୍ୟ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେହିପରି ନଗର ପ୍ରଶାସନକୁ ସହଯୋଗ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥାକୁ “ପୌର ମିତ୍ର ପୁରସ୍କାର” ପ୍ରଦାନ କରାଯିବ। ଡୁଡା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ପୁରସ୍କାର ପାଇଁ ନାମ ସୁପାରିଶ କରିବ।ଏହି ବୈଠକରେ ନୂଆପଡା ଏନଏସିରକାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରୀଆର ରୋଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ସହ ନଗର ଉନ୍ନୟନ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *