ଚିନାବାଦାମ ଚାଷରେ ବଦଳୁଛି ଚାଷୀଙ୍କ ଭାଗ୍ୟ
ଜାତୀୟ ତୈଳବୀଜ ମିଶନ ଯୋଜନାରେ ନୂଆପଡ଼ାରେ ଆୟ ଦ୍ୱିଗୁଣିତ ପଥେ କୃଷକ
କୋମନା: ୧୭/୦୫(କଳିଙ୍ଗ ଫୋକସ) ଭଜନଲାଲ ଜଗତ: ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ ଝଗ୍ରାହି ଗ୍ରାମ ପଞ୍ଚାୟତର କୁଟରିବାହାଲ ଗ୍ରାମରେ ଚିନାବାଦାମ ଚାଷ ଏବେ କୃଷକଙ୍କ ପାଇଁ ନୂଆ ଆଶାର କିରଣ ସାଜିଛି। ପୂର୍ବରୁ ଖାଲି ପଡ଼ି ରହୁଥିବା ଢିପ ଜମି ଏବେ ସୁନା ଫଳାଉଛି । ଜାତୀୟ ତୈଳବୀଜ ମିଶନ ଯୋଜନା ଅଧୀନରେ କୃଷି ଓ କୃଷକ କଲ୍ୟାଣ ବିଭାଗ, ଇକ୍ରିସେଟ ଓ ୟାର ସଂସ୍ଥାର ସହଯୋଗରେ ଚିନାବାଦାମ ଚାଷ କରି କୃଷକମାନେ ଆର୍ଥିକ ଭାବେ ସ୍ୱାବଳମ୍ବୀ ହେବା ଦିଗରେ ଆଗକୁ ବଢ଼ୁଛନ୍ତି । କେବଳ କୁଟରିବାହାଲ ନୁହେଁ, ମାଲିମୁଣ୍ଡା, ବୃନ୍ଦାପାଟ, ଖମ୍ବବାହୀ, ଲାଲଭଟ୍ଟ, ଜନ୍ଦ୍ରାମୁଣ୍ଡା ସହ ପ୍ରାୟ ୮ଟି ଗ୍ରାମରେ ବ୍ୟାପକ ଭାବରେ ଚିନାବାଦାମ ଚାଷ କରାଯାଇଛି । ସମଗ୍ର ଜିଲ୍ଲାରେ ୧୦୫୯ ଜଣ ଚାଷୀ ପ୍ରାୟ ୫୦୦ ହେକ୍ଟର ଜମିରେ ଏହି ତୈଳବୀଜ ଚାଷ କରିଥିବାରୁ ଚାଷୀଙ୍କ ଆୟ ବୃଦ୍ଧି ସହ ନୂଆ ଆର୍ଥିକ ସମ୍ଭାବନା ସୃଷ୍ଟି ହୋଇଛି । ଜଡାମୁଣ୍ଡା ମଧ୍ୟମ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ପାଣି ସୁବିଧା ଥିଲେ ମଧ୍ୟ ଅନେକ ଢିପ ଜମି ପୂର୍ବରୁ ଅବ୍ୟବହୃତ ଅବସ୍ଥାରେ ରହୁଥିଲା । କିନ୍ତୁ ଇକ୍ରିସେଟ ଓ ୟାର ସଂସ୍ଥା ପକ୍ଷରୁ ଉନ୍ନତ ବିହନ, ବୈଜ୍ଞାନିକ ପରାମର୍ଶ ଓ ଆଧୁନିକ କୃଷି ପ୍ରଣାଳୀର ପ୍ରୟୋଗ ଫଳରେ ଚାଷୀମାନେ ଅଧିକ ଅମଳ ପାଇବାରେ ସକ୍ଷମ ହୋଇଛନ୍ତି । ଏହା ଫଳରେ ଅଣଧାନ ଚାଷ ସହ ତୈଳବୀଜ ଉତ୍ପାଦନକୁ ମଧ୍ୟ ବିଶେଷ ପ୍ରୋତ୍ସାହନ ମିଳିଛି । ଚାଷୀମାନଙ୍କ ମତରେ, ଉତ୍ପାଦିତ ଚିନାବାଦାମର ସଠିକ ବିକ୍ରୟ ବ୍ୟବସ୍ଥା ହେଲେ ସେମାନେ ଆହୁରି ଲାଭବାନ ହେବେ । ସେଥିପାଇଁ ନୂଆପଡ଼ା ବ୍ଲକର ଦର୍ଲିପଦ, କୋମନା ବ୍ଲକର ଭେଳା ଓ ତର୍ବୋଡ, ଖଡ଼ିଆଳ ବ୍ଲକର ଖଡ଼ିଆଳ, ବୋଡ଼େନ ବ୍ଲକର ଖଇରା ଏବଂ ସିନାପାଲି ବ୍ଲକର ଗୋଲ୍ଲାଠାରେ ଚିନାବାଦାମ ମଣ୍ଡି ଖୋଲିବାକୁ ଦାବି ଜୋର ଧରିଛି । ଚଳିତ ରବି ଋତୁରେ ପ୍ରାୟ ୭୦୦୦ କ୍ୱିଣ୍ଟାଲ ଚିନାବାଦାମ ଉତ୍ପାଦନ ହେବାର ଆକଳନ କରାଯାଉଥିବା ବେଳେ, ତାହାରୁ ୪୦୦୦ କ୍ୱିଣ୍ଟାଲରୁ ଅଧିକ ମଣ୍ଡି ମାଧ୍ୟମରେ ବିକ୍ରି ହେବାର ସମ୍ଭାବନା ରହିଛି । ଯଦି ସରକାରୀ ସ୍ତରରେ ସୁବ୍ୟବସ୍ଥିତ ମଣ୍ଡି ବ୍ୟବସ୍ଥା ହୁଏ, ତେବେ ନୂଆପଡ଼ା ଜିଲ୍ଲା ଚିନାବାଦାମ ଉତ୍ପାଦନରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିବ ବୋଲି କୃଷକମାନେ ଆଶା ପ୍ରକାଶ କରିଛନ୍ତି ।