୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଗହଣରେ ପାଳିତ ହେଲା ପାଣ୍ଡବେଶ୍ୱର ବାବାଙ୍କ ଚୈତ୍ର ପର୍ବ
ସାରସକଣା:୧୫/୦୪(ପ୍ରଶାନ୍ତ କୁମାର ସାମନ୍ତରାୟ)
ସାରସକଣା ବ୍ଲକ ଅଧିନସ୍ଥ ପାଣ୍ଡରା ପଞ୍ଚାୟତର ପାଣ୍ଡରା ଗ୍ରାମ ସୁବର୍ଣ୍ଣରେଖା ନଦୀ ତଟରେ ବହୁ ପୁରାତନ ପୌରାଣିକ ଯୁଗରୁ ଆବିର୍ଭୁତ ହୋଇ ପୂଜା ପାଇ ଆସୁଥିବା ବାବା ପାଣ୍ଡବେଶ୍ୱର ବୁଢ଼ା ମହାଦେବ ଙ୍କ ପୀଠରେ ଗ୍ରାମବାସୀ ଙ୍କ ଦ୍ଵାରା କାହିଁ କେଉଁ କାଳରୁ ହୋଇ ଆସୁଛି ଚୈତ୍ର ପର୍ବ ମେଳା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗତ ୧୨ ତାରିଖରୁ ବାବାଙ୍କ “କାମନା ଘଟ” ଆରମ୍ଭ ହୋଇ ଆଜି ବୁଧବାର ସମାପନ ହୋଇଛି। ଗତ ୧୨ ତାରିଖ ରବିବାର ପାଣ୍ଡବେଶ୍ୱର ବାବାଙ୍କ ଆଶ୍ରିତ ୧୩ ଭକ୍ତାଙ୍କ ସହିତ ମାନସିକଧାରୀ ଭକ୍ତଗଣ ନଦୀରେ ଶୁଦ୍ଧ ସ୍ନାନ କରି ବାଲୁକା ଶଯ୍ୟାରେ ବାବା ପାଣ୍ଡବେଶ୍ୱରଙ୍କୁ ଆରାଧନା କରି କ୍ଷେତ୍ର ପ୍ରଦକ୍ଷଣ କରିବା ପରେ ପାଣ୍ଡରା ଗ୍ରାମ ପରିକ୍ରମା କରି ବାବାଙ୍କ ପୀଠକୁ ଆସିଥିଲେ। ବାବା ଙ୍କ ମୁଖ୍ୟ ପୂଜକ କାଶୀନାଥ ପଣ୍ଡାଙ୍କ ତତ୍ତ୍ଵାବଧାନରେ ପୂଜାର୍ଚ୍ଚନା କରିଥିଲେ। ଦ୍ଵିତୀୟ ଦିବସ ୧୩ ତାରିଖ ୧୩ ଭକ୍ତା ଙ୍କ ସହିତ ମାନସିକଧାରୀ ଭକ୍ତଗଣ ନଦୀରେ ଶୁଦ୍ଧ ସ୍ନାନ କରି ପୂର୍ବପରି ବାବାଙ୍କୁ ବାଲୁକା ଶଯ୍ୟାରେ ଆରାଧନା କରିଥିଲେ। ପରେ ଭକ୍ତଗଣ ନିଜ ନିଜ ମାନସିକ ମୁତାବକ ପିତ୍ତଳ ଓ ତମ୍ବାରେ ନିର୍ମିତ ତ୍ରିଶୂଳ ଧାରୀ କଣ୍ଟା କୁ ଜିଭରେ ଫୋଡି ଥିଲେ। ୧୩ ଭକ୍ତା ଙ୍କ ସହିତ କଣ୍ଟକଧାରୀ ମାନସିକ ଧାରୀ ଭକ୍ତଗଣ ଢୋଲ ମହୁରୀ ତାଳରେ ଝୁଣା ମାଡ଼ ମଧ୍ୟରେ ବାବା ପାଣ୍ଡବେଶ୍ୱରଙ୍କ ପୀଠକୁ ଆସି ଦେଉଳ ପରିକ୍ରମା କରି ବାବାଙ୍କ ଶରଣ ପୋଷି ଜିଭରୁ କଣ୍ଟକ କାଢିଥିଲେ।ଉକ୍ତ ଦିବସ ରାତ୍ର ୭ଘଣ୍ଟା ୩୦ ମିନିଟ ନିର୍ଦ୍ଧାରିତ ସମୟରେ ୧୨ ଭକ୍ତା,ପାଟଭକ୍ତା ନଲିନ ଚନ୍ଦ୍ର ସେନାପତି ଙ୍କ ତତ୍ତ୍ଵାବଧାନରେ ପୂଜକ , ଦଣ୍ଡୁଆ,ନାପିତ, ଢୋଲିଆ ଙ୍କ ସହିତ ନଦୀ ତଟ ବାରୁଣୀ ଘାଟକୁ ଯାଇ ସେଠାରେ ମହାଦେବଙ୍କୁ ସ୍ମରଣ କରି “ଗରିଆଭାର ଜଳ” ଉତ୍ତୋଳନ କରି ପୀଠକୁ ଆସି ଉକ୍ତ ଜଳରେ ମହାଦେବଙ୍କୁ ମହାସ୍ନାନ କରାଇଥିଲେ।ଉକ୍ତ ନିଶାର୍ଦ୍ଧ ରାତ୍ରିରେ ପୂଜକଙ୍କ ତତ୍ତ୍ଵାବଧାନରେ ଦେଉଳ ନିକଟ ଅର୍ଜୁନତଳ ଘାଟରୁ ୧୩ ଭକ୍ତା “କାଳିକା ଘଟ” ଆଣି ଦେଉଳ ଭିତରର ଉତ୍ତର କୋଣରେ ପୋତା ଯାଇଥିବା ଗତ ବର୍ଷର ପୁରାତନ ଘଟକୁ ବାହାର କରି ନୂତନ ଘଟକୁ ପୋତି ଦେଇଥିଲେ। ଉକ୍ତ ରାତ୍ର ୪ଘ.୩୦ମି. ସମୟରେ ୧୨ ଭକ୍ତା ପାଟ ଭକ୍ତାଙ୍କ କାଶିରେ ନିର୍ମିତ ପାଟ ଭକ୍ତାଙ୍କ ଶବକୁ ସ୍ଵତନ୍ତ୍ର ଦାହ ସ୍ଥାନରେ ଦାହ କରି ୧୨ ଭକ୍ତା ନଦୀରେ ଶୁଦ୍ଧସ୍ନାନ କରି ବାବା ପାଣ୍ଡବେଶ୍ୱର ବୁଢା ମହାଦେବଙ୍କୁ ଦର୍ଶନ କରିଥିଲେ। ଗତକାଲି ୧୪ ତାରିଖ ମଙ୍ଗଳବାର ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ପାଳିତ ହୁଏ “ଅଗ୍ନୀପାଟ ଉତ୍ସବ” ଏଥିରେ ବାବା ଙ୍କ ଆଶ୍ରିତ ଭକ୍ତାଗଣଙ୍କ ସହିତ ମାନସିକଧାରୀ ମାନେ ନଦୀରେ ଶୁଦ୍ଧ ସ୍ନାନ କରି ପୂଜକଙ୍କ ତତ୍ତ୍ଵାବଧାନରେ ବାବାଙ୍କ ପୀଠ ପାର୍ଶ୍ଵରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପଡ଼ିଆରେ ୧୨ ଫୁଟ ଲମ୍ବ ,ସାଢେ଼ ୩ ଫୁଟ ଚଉଡ଼ା ଏକ ଫୁଟ ଗଭୀରରେ ରଖାଯାଇଥିବା ଶୁଷ୍କ କାଠରେ କାଠକୁ ଘର୍ଷଣ କରି ଅଗ୍ନି ସଂଯୋଗ କରିଥିଲେ।ଉକ୍ତ ଅଗ୍ନି କୁଣ୍ଡରେ ମାନସିକଧାରୀ ମାନେ ଅଗ୍ନିରେ ଚାଲି ତାଙ୍କ ମାନସିକ ପୂର୍ଣ୍ଣ କରିଥିଲେ। ପରେ ମାନସିକଧାରୀ ଗଣ ବାବାଙ୍କ ଆଶ୍ରିତ ମହାଦେବଙ୍କ ୧୨ ଭକ୍ତାଙ୍କୁ ପଣା ,ମିଷ୍ଟାନ୍ନ ଓ ବସ୍ତ୍ର ପ୍ରଦାନ କରିଥିଲେ।ଆଜି ୧୫ ତାରିଖ ବୁଧବାର ବାବାଙ୍କ ଚୈତ୍ର ପର୍ବର ଶେଷ ଦିବସରେ ବାବା ପାଣ୍ଡବେଶ୍ୱର ବୁଢା ମହାଦେବଙ୍କ “ଆଇଖାନ ପର୍ବ” ଉପଲକ୍ଷେ ବାବାଙ୍କ ଆଶ୍ରିତ ୧୨ ଭକ୍ତା ରବିବାର, ସୋମବାର,ମଙ୍ଗଳବାର ତିନି ଦିନର କର୍ମକୁ ନେଇ ଦଣ୍ଡୁଆ ଢୋଲୁଆଙ୍କ ମାଧ୍ୟମରେ ଜଳ ଦ୍ଵାରା ମହାଦେବଙ୍କୁ ଜଳାଭିଷେକ କରି ମହାଦେବଙ୍କୁ ମହାସ୍ନାନ କରି ମହା ଶାନ୍ତି କରିଥିଲେ। ପର୍ବର ଶେଷରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ରାହ୍ମଣ,ଦଣ୍ଡୁଆ,ନାପିତ,ଗଣ୍ଡୁଆ ଓ ୧୨ ଭକ୍ତାଙ୍କୁ ପାଣ୍ଡବେଶ୍ୱର ବୁଢା ମହାଦେବଙ୍କ ଲାଗିତ ଖଜୁରୀ ଅନ୍ନ ମହାପ୍ରସାଦ “ମଣୋହି” ବଣ୍ଟନ କରିଥିଲେ।